ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଅମୃତ ସ୍ନାନ ପୂର୍ବରୁ ଦଳାଚକଟାରେ ୧୨ରୁ ଅଧିକ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବା କୁହାଯାଉଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ସେପଟେ ଦଳାଚକଟା ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଦଳାଚକଟା ସମ୍ପର୍କରେ ୯ଟାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ ଦେବେ ଅଧିକାରୀ। ସେପଟେ ସ୍ଥିତିକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଣ୍ଟାଏ ଭିତରେ ଦୁଇ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ଥିତି ଉପରେ ନଜର ରଖିଛନ୍ତି ମୋଦି। ପବିତ୍ର ବୁଡ଼ ପକାଇବାକୁ ଆସିଥିବା ଭକ୍ତମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ନାହିଁ ସେ ବିଷୟରେ ପ୍ରଧାନମନ୍ତ୍ରୀ ନିଜେ ପ୍ରତି ମୁହୂର୍ତ୍ତରେ ଅପଡେଟ୍ ନେଉଛନ୍ତି।
ଅନ୍ୟପଟେ ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଭରସା ଦେଇଛନ୍ତି ଗୃହମନ୍ତ୍ରୀ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ମହାକୁମ୍ଭରେ ଉପସ୍ଥିତ ଭକ୍ତମାନଙ୍କୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନ ହେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଆଜି ମୌନି ଅମାବାସ୍ୟା ଅବସରରେ କୋଟି କୋଟି ଭକ୍ତ ବୁଡ଼ ପକାଇବା ପାଇଁ ସଙ୍ଗମ କୂଳରେ ପହଞ୍ଚିଛନ୍ତି।
Comments are closed.