Latest Odisha News

BREAKING NEWS

‘ଶକ୍ତି ସଂରକ୍ଷଣ’କୁ ନେଇ ‘ଏନଟିପିସି’ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା, ଭାଗ ନେଲେ ୬ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡିଶାରେ ଶକ୍ତି ସଂରକ୍ଷଣକୁ ନେଇ ଆୟୋଜିତ ଏକ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ରାଜଧାନୀରେ ଏନଟିପିସି ପକ୍ଷରୁ ଆୟୋଜିତ ହୋଇଯାଇଛି । ରାଜ୍ୟର ୨୨ଟି ଜିଲ୍ଲାରୁ ୬ ଲକ୍ଷରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଏଥିରେ ସମସ୍ତ ପୁରସ୍କାର ବିଜୟୀ ଛାତ୍ରଛାତ୍ରୀମାନେ ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।

ଏଥିରୁ ନିର୍ବାଚିତ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ‘କ’ ଏବଂ ‘ଖ’ ବର୍ଗରେ (ଚତୁର୍ଥ, ପଂଚମ, ଷଷ୍ଠ ଏବଂ ସପ୍ତମ, ଅଷ୍ଟମ, ନବମ ଶ୍ରେଣୀର) ଭାଗ ନେଇଥିଲେ । ୩ ଜଣ ଛାତ୍ରଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଘୋଷଣା କରାଯାଇଥିଲା ଏବଂ ଉଭୟ ବର୍ଗରେ ୧୦ଟି ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଜ୍ୟରେ ଏହି ଅଭିଯାନର ଆୟୋଜନ କରିବାରେ ମୂଳ ସଙ୍ଗଠନ ହେଉଛି ଜାତୀୟ ତାପଜ ବିଦ୍ୟୁତ ନିଗମ – ଏନଟିପିସି ।

ରାଜ୍ୟ ଚିତ୍ରକଳା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ ଓଡିଶା ଓପିଇପିଏର ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଓ ଏନଟିପିସି (ପୂର୍ବାଂଚଳ-୨)ର ଆଂଚଳିକ ପରିଚାଳନା ନିର୍ଦ୍ଦେଶକ ଏମ ପି ସିଂ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏନଟିପିସିର ଜିଏମ (ଓଏସ) ବିବି ତ୍ରିପାଠୀ, ଏନଟିପିସିର ଜିଏମ (ଏଚଆର) ସେବାଷ୍ଟିଆନ ଯୋଶେଫ, ଓପିଇପିଏର ଉପ ନିର୍ଦ୍ଦେଶକ ମାନସ ରଂଜନ ସାମଲ ଏବଂ ଓଡିଶା ଶକ୍ତି ସଂରକ୍ଷଣ ମୁଖ୍ୟ ଯନ୍ତ୍ରୀ ସନ୍ତୋଷ ଦାସ ସାମିଲ ଥିଲେ ।

ଜାତୀୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ନୂଆଦିଲ୍ଲୀଠାରେ ୨୦୧୮ ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହାର ପୁରସ୍କାର ବିତରଣୀ ଉତ୍ସବ ଡିସେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନକୁ ମଧ୍ୟ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଇଥାଏ ।

ଚତୁର୍ଥରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପୁରସ୍କାର ବିଜୟୀ ଛାତ୍ରମାନେ ହେଲେ – ‘କ’ ଶ୍ରେଣୀରେ ପ୍ରଥମ ପୁରସ୍କାର ବିଜୟୀ ହୋଇଥିଲେ କଳିଙ୍ଗନଗର ଡିଏଭି ପବ୍ଲିକ ସ୍କୁଲ, ଭୁବନେଶ୍ୱରର ପାୟୋସିନି ମିଶ୍ର । ତାଙ୍କୁ ପୁରସ୍କାର ସ୍ୱରୂପ ୨୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ଦ୍ୱିତୀୟ ପୁରସ୍କାର ପାଇଥିଲେ ଡିପିଏସ କଳିଙ୍ଗ, କଟକର ସୋମେଶ କୁମାର ଶତପଥି ।

ତାଙ୍କୁ ୧୫,୦୦୦ ଟଙ୍କାର ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ତୃତୀୟ ସ୍ଥାନରେ ରହି ୧୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ପାଇଥିଲେ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲର ବିଦିଶା ଲେଙ୍କା ।

ସପ୍ତମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କୃତି ପ୍ରତିଯୋଗୀମାନେ ହେଲେ – ‘ଖ’ ଶ୍ରେଣୀରେ ପ୍ରଥମ ସ୍ଥାନରେ ରହି ମଦର୍ସ ପବ୍ଲିକ ସ୍କୁଲ, ଭୁବନେଶ୍ୱରର ଶୈଲିଜା ମିଶ୍ର ୨୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ବିଜୟୀ ହୋଇଥିଲେ ।

କେମ୍ବ୍ରିଜ ସ୍କୁଲ, କଟକର ଗୌରବ ମହାନ୍ତି ଜିତିଥିଲେ ଦ୍ୱିତୀୟ ପୁରସ୍କାର ଏବଂ ତାଙ୍କୁ ମିଳିଥିଲା ୧୫,୦୦୦ ଟଙ୍କା ।

ଅରବିନ୍ଦ ସେଂଟର ଅଫ ଇଂଟିଗ୍ରାଲ ଏଜୁକେସନ, ବାଲେଶ୍ୱରର ଶୁଭଶ୍ରୀ ଦାସ ତୃତୀୟ ପୁରସ୍କାର ଜିତି ୧୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ପାଇଥିଲେ । ସମସ୍ତ ପୁରସ୍କାର ବିଜୟୀ ଛାତ୍ରଛାତ୍ରୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।

ଉଭୟ ବର୍ଗରେ ୧୦ ଜଣ ଲେଖାଁଏ ଛାତ୍ରଙ୍କୁ ୫,୦୦୦ ଟଙ୍କାର ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.