ନୂଆଦିଲ୍ଲୀ: ସାରା ବିଶ୍ବକୁ ସ୍ତବ୍ଧ କରିଛି ପହଲଗାମ ଆତଙ୍କବାଦୀ ହମଲା । ୨୮ଜଣଙ୍କ ଜୀବନ ନେଇଛନ୍ତି ନୃଶଂସ ଆତଙ୍କୀ । କାଶ୍ମୀର ରାଜନୀତି ସହ ଆଦୌ ସଂପର୍କ ନଥିବା ଲୋକଙ୍କୁ ଏଥର ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ । ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । ଲୋକଙ୍କୁ ପରିଚୟ ପଚାରି ହତ୍ୟା କରାଯିବା ଘଟଣା ସବୁଠୁ ହୃଦୟ ବିଦାରକ । ଘଟଣା ପରେ ପୁଣି ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ବଢିଛି । ପାକିସ୍ତାନୀ ସେନା ମୁଖ୍ୟଙ୍କ ଧମକର କିଛି ଦିନ ପରେ ହିଁ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । କାଶ୍ମୀରକୁ ପାକିସ୍ତାନ ଗଳାର ଶିରା କହିଥିଲେ ସେନା ମୁଖ୍ୟ ଅସିମ ମୁନିର। ତେବେ ପ୍ରଶ୍ନ ଉଠୁଛି, ଆତଙ୍କବାଦୀ ଆକ୍ରମଣ ପରେ ଆଗକୁ କ’ଣ ହେବ?
ଆତଙ୍କୀ ହମଲାର ପାକିସ୍ତାନୀ କନେକ୍ସନ୍ !
ପହଲଗାମ ଆତଙ୍କବାଦୀ ହମଲା ପଛରେ ପାକିସ୍ତାନର ହାତ ରହିଥିବା ନେଇ ଏନଆଇଏକୁ ପ୍ରମାଣ ମିଳିଥିବା କୁହାଯାଉଛି । ଆକ୍ରମଣରେ ଆମେରିକାରେ ପ୍ରସ୍ତୁତ ଏମ୍-୪ କାର୍ବାଇନ୍ ଆସଲଟ ରାଇଫଲ୍ ବ୍ୟବହାର ହୋଇଥିଲା । ଏହାକୁ ପାକିସ୍ତାନୀ ଆତଙ୍କୀ ଆଫଗାନିସ୍ତାନର ତାଲିବାନଠାରୁ ନେଇଥିବା କୁହାଯାଉଛି । ୨୦୨୧ ଅଗଷ୍ଟରେ ଆମେରିକା ଆଫଗାନିସ୍ତାନରୁ ନିଜ ସେନା ପ୍ରତ୍ୟାହାର କରିଥିଲା । ତେବେ ଅସ୍ତ୍ରଶସ୍ତ୍ରର ଭଣ୍ଡାର ସେଠାରେ ଛାଡି ଆସିଥିଲା ସେନା । ଏସବୁ ଅସ୍ତ୍ରଶସ୍ତ୍ରକୁ କବଜା କରିବା ସହ ଆତଙ୍କବାଦୀ ସଂଗଠନକୁ ବିକ୍ରି କରୁଛି ତାଲିବାନ। ଏହାସହ ଘଟଣାସ୍ଥଳରୁ ମିଳିଥିବା ଏକେ-୪୭ର ଗୁଳି ବା ଷ୍ଟିଲ ବୁଲେଟ ଚୀନରେ ନିର୍ମିତ । ଚୀନଠାରୁ ପାକିସ୍ତାନ ବହୁ ସଂଖ୍ୟାରେ ହତିଆର ଓ ଗୁଳିଗୋଳା କିଣିଥାଏ। ପାକିସ୍ତାନ ହିଁ ଆତଙ୍କୀଙ୍କୁ ଚୀନ୍ ନିର୍ମିତ ଗୁଳିଗୋଳା ଯୋଗାଇ ଥିବା ସନ୍ଦେହ କରାଯାଉଛି । ଏହାସହ ଆତଙ୍କୀଙ୍କୁ ଜାମ୍ମୁ କାଶ୍ମୀରର କିଛି ସ୍ଥାନୀୟ ଲୋକଙ୍କ ସହାୟତା ମିଳିଥିବା ବି କୁହାଯାଉଛି ।
ପୁଣି ହେବ କି ସର୍ଜିକାଲ୍ ଷ୍ଟ୍ରାଇକ୍ ?
୨୦୧୯ ପୁଲଓ୍ବାମା ଆକ୍ରମଣ ପରେ ପହଲଗାମରେ ବଡ଼ ଆତଙ୍କୀ ହମଲା ହୋଇଛି । ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନୀ ଏୟାରସ୍ପେସରେ ପଶି ବାଲାକୋଟରେ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ବୋମାମାଡ଼ କରିଥିଲା । ପହଲଗାମ ଆକ୍ରମଣ ପରେ ସେଭଳି କୌଣସି ଆକ୍ସନ ଆଶଙ୍କାରେ ନିଜ ଦେଶର ବାୟୁସେନାକୁ ଆଲର୍ଟ ମୋଡରେ ରଖିଛି ପାକିସ୍ତାନ । ଭାରତୀୟ ସୀମା ନିକଟରେ ପାକିସ୍ତାନୀ ଏୟାରଫୋର୍ସର ଉପସ୍ଥିତି ବଢାଯାଇଛି । ଆକାଶମାର୍ଗରେ ଯେକୌଣସି ଗତିବିଧି ଉପରେ ନଜର ରଖିଛି ପାକିସ୍ତାନ ।
ହେବ କି ଭାରତ-ପାକିସ୍ତାନ ଯୁଦ୍ଧ ?
କିଛି ଦିନ ତଳେ ହିଁ ହିନ୍ଦୁ-ମୁସଲିମ ଦୁଇ ରାଷ୍ଟ୍ରୀୟ ଥିଓରିକୁ ସମର୍ଥନ କରିବା ସହ କାଶ୍ମୀରକୁ ପାକିସ୍ତାନର ଗଳାର ଶିର ବୋଲି କହିଥିଲେ ପାକ୍ ସେନା ମୁଖ୍ୟ ଅସିମ ମୁନୀର । ଏହାପରେ ପହଲଗାମ ଆକ୍ରମଣରେ ପରିଚୟ ପଚାରି ଆତଙ୍କୀଙ୍କ ନରସଂହାର ସହ ପାକିସ୍ତାନୀ କନେକ୍ସନ୍ ସ୍ପଷ୍ଟ କରୁଥିବା ବୈଦେଶିକ ବ୍ୟାପାର ବିଶେଷଜ୍ଞ କହିଛନ୍ତି । ପାକିସ୍ତାନ ତୁରନ୍ତ ନିଜ ସୀମା ଖୋଲିବା ସହ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ଯାଞ୍ଚରେ ସହଯୋଗ କରନ୍ତୁ । ନହେଲେ ଏହାକୁ ପହଲଗାମ ହମଲାକୁ ଶତ୍ରୁର ସିଧା ଆକ୍ରମଣ ବୋଲି ମନେ କରାଯିବ । ପାକିସ୍ତାନ ତଦନ୍ତରେ ସହଯୋଗ ନକଲେ ସାରା ବିଶ୍ବ ଏହାକୁ ଏକଘରିକିଆ କରିବା ଉଚିତ୍ । କାରଣ ଏହି ଆକ୍ରମଣ ଅନ୍ତର୍ଜାତୀୟ ଆତଙ୍କବାଦ । ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ବଢିଛି । ଏପରିକି ଯୁଦ୍ଧ ଆଶଙ୍କା ବି ରହିଥିବା ବୈଦେଶିକ ବ୍ୟାପାର ବିଶେଷଜ୍ଞ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ୧୯୪୭-୪୮, ୧୯୬୫, ୧୯୭୧ ଓ ୧୯୯୯ କାରଗିଲ ଯୁଦ୍ଧ ପରେ ପୁଣି ଦୁଇ ଦେଶ ମଧ୍ୟରେ ହେବ କି ଯୁଦ୍ଧ ?
Comments are closed.