Latest Odisha News

BREAKING NEWS

Jaish Headquarters: ପାକିସ୍ତାନରେ ପୁଣି ଠିଆ ହେଉଛି ଜୈଶ୍‌ର ଆତଙ୍କୀ ଆଡ୍ଡା;ସାଟେଲାଇଟ୍ ଚିତ୍ରରୁ ପଦାରେ ପଡ଼ିଲା ISIର ଚକ୍ରାନ୍ତ

ନୂଆଦିଲ୍ଲୀ:’ଅପରେସନ୍ ସିନ୍ଦୂର’ (Operation Sindoor) ସମୟରେ ଧ୍ୱଂସ ହୋଇଯାଇଥିବା ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ର ବାହାୱାଲପୁରସ୍ଥିତ ମୁଖ୍ୟାଳୟକୁ ପୁନର୍ନିର୍ମାଣ କରାଯାଉଛି । ଗତ ବର୍ଷ ମେ’ ମାସରେ ‘ଅପରେସନ୍ ସିନ୍ଦୂର’ ଅଧୀନରେ କରାଯାଇଥିବା ଏକ ବାୟୁସେନା ଆକ୍ରମଣ ସମୟରେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ବାହାୱାଲପୁରସ୍ଥିତ ଏହି ଜୈଶ ମୁଖ୍ୟାଳୟକୁ ଟାର୍ଗେଟ୍ କରିଥିଲା। ବର୍ତ୍ତମାନ ଏହି ମୁଖ୍ୟାଳୟ ଭବନର ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ଏହା ସମ୍ପୂର୍ଣ୍ଣ ରୂପେ ପୁନଃସ୍ଥାପିତ ହୋଇଥିବା ଦେଖିବାକୁ ମିଳୁଛି।

ଭାରତୀୟ ସେନା ଦ୍ୱାରା ‘ଅପରେସନ୍ ସିନ୍ଦୂର’ ରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ର ବାହାବଲପୁରସ୍ଥିତ ମୁଖ୍ୟାଳୟକୁ ପାକିସ୍ତାନ ପୁନର୍ବାର ନିର୍ମାଣ କରୁଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ସାଟେଲାଇଟ୍ ଚିତ୍ର ଏବଂ ଗୁପ୍ତଚର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କୀ ଆଡ୍ଡା ଜାମିଆ ସୁବହାନ ଆଲ୍ଲା ପରିସରରେ ପୁନଃନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

ପୂର୍ବରୁ ଭାରତୀୟ ବାୟୁସେନାର ସଠିକ୍ ଏବଂ ସାଂଘାତିକ ଏୟାରଷ୍ଟ୍ରାଇକ୍‌ରେ ଜୈଶର ଏହି ମୁଖ୍ୟ କମାଣ୍ଡ ସେଣ୍ଟର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିଲା। ଏହି ଅପରେସନରେ ଜୈଶ୍ ପ୍ରମୁଖ ମାସୁଦ ଅଜହରର ପରିବାରର ୧୦ ଜଣ ସଦସ୍ୟଙ୍କ ସମେତ ଅନେକ ପ୍ରମୁଖ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ପାକିସ୍ତାନୀ ସେନା ଏବଂ ଗୁପ୍ତଚର ସଂସ୍ଥା ISI ର ପ୍ରତ୍ୟକ୍ଷ ଛତ୍ରଛାୟା ଓ ଆର୍ଥିକ ସହାୟତାରେ ଏହି ସ୍ଥାନକୁ ପୁଣି ସକ୍ରିୟ କରାଯାଉଛି । ନିକଟରେ ସାମ୍ନାକୁ ଆସିଥିବା ଚିତ୍ରରେ ଭାରୀ ଯନ୍ତ୍ରପାତି ଏବଂ ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଧ୍ୱଂସ ହୋଇଥିବା ଗମ୍ବୁଜ ଏବଂ କୋଠାଗୁଡ଼ିକୁ ସିମେଣ୍ଟ ଦ୍ୱାରା ମରାମତି କରାଯାଉଛି। ଏହା ବ୍ୟତୀତ, ନିର୍ମାଣ ଖର୍ଚ୍ଚ ପାଇଁ ଜୈଶ୍ ସହିତ ଜଡ଼ିତ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ଖୋଲାଖୋଲି ଭାବେ ଡିଜିଟାଲ୍ ଚାନ୍ଦା ସଂଗ୍ରହ କରାଯାଉଛି ।

ଏହି ଘଟଣା ପାକିସ୍ତାନର ଆତଙ୍କବାଦ ନିରୋଧୀ ଦାବିର ଅସଲ ଚେହେରାକୁ ପୁଣି ଥରେ ପଦାରେ ପକାଇଛି। ଆତଙ୍କୀ ଅର୍ଥପୋଷଣ ରୋକିବାରେ FATF ର ନିୟମାବଳୀକୁ ପାକିସ୍ତାନ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ଭାରତର ବଡ ଆକ୍ରମଣ ପରେ ବି ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀ ଭିତ୍ତିଭୂମିକୁ ପୁନର୍ଜୀବିତ କରିବା ପାଇଁ ପ୍ରଶ୍ରୟ ଦେଉଥିବାରୁ ଆନ୍ତର୍ଜାତୀୟ ସ୍ତରରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ, ଜୈଶ-ଏ-ମହମ୍ମଦ ପାକିସ୍ତାନୀ ଅଧିକାରୀଙ୍କଠାରୁ ନଗଦ କିସ୍ତି ଆକାରରେ ୨୫ କୋଟି ପାକିସ୍ତାନୀ ଟଙ୍କା ପାଇଥିଲା। ଏହି ରାଶି ମଧ୍ୟରୁ ୧୧ କୋଟି ଟଙ୍କା ମୁଖ୍ୟ ହଲ୍‌ର ନବୀକରଣ ପାଇଁ ଉଦ୍ଦିଷ୍ଟ ଥିଲା।

Leave A Reply

Your email address will not be published.