କେନ୍ଦୁଝର: ଶୋ’ରୁମ୍ ଭିତରୁ ଜଣେ ମହିଳା ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣା କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଗୁଟୁର ଅଞ୍ଚଳରେ ରବିବାର ଦିନ ଘଟିଛି। ମୃତ ମହିଳା ଜଣକ ‘ଅର୍ଚ୍ଚନା ଟ୍ରେଡର୍ସ’ ନାମକ ଏକ ଟ୍ରାକ୍ଟର ଶୋ’ରୁମ୍ର ମାଲିକାଣୀ ଅର୍ଚ୍ଚନା ପରିଡ଼ା ବୋଲି ଜଣାପଡ଼ିଛି। ଅର୍ଚ୍ଚନାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ତାହାକୁ ନେଇ ସନ୍ଦେହ ଘନୀଭୂତ ହେଉଥିବା ବେଳେ ପୋଲିସ ତାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡ଼ାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳେ ଅଭିମନ୍ୟୁ ନିଜେ ପୋଲିସକୁ ଫୋନ୍ କରି ଦୋକାନ ଭିତରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି । ତେବେ ଅର୍ଚ୍ଚନାଙ୍କ ବାପଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି । ଅର୍ଚ୍ଚନାଙ୍କ ଭାଇ ଅଜୟ କୁମାର ବାରିକ୍ଙ୍କ ଅଭିଯୋଗ ମୁତାବକ, ଅଭିମନ୍ୟୁ ପ୍ରତିଦିନ ମଦ ପିଇ ଅର୍ଚ୍ଚନାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଉଭୟେ ବଣିଆପାଟ ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ । ସେଠାରେ ହିଁ ଅର୍ଚ୍ଚନାଙ୍କୁ ପିଟିପିଟି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଶବକୁ ଶୋ’ରୁମ୍କୁ ଆଣି ଝୁଲାଇ ଦିଆଯାଇଥିଲା ।
ଅନ୍ୟପକ୍ଷରେ, ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି, ଯେଉଁଥିରେ ନିଜ ମୃତ୍ୟୁ ପାଇଁ ସ୍ୱାମୀ ଦାୟୀ ନୁହନ୍ତି ବୋଲି ଉଲ୍ଲେଖ ରହିଛି। ମାତ୍ର ଏହି ଚିଠିଟି ଅଭିମନ୍ୟୁ ନିଜେ ଲେଖି ରଖିଥିବା ପରିବାର ଲୋକେ ଦାବି କରିଛନ୍ତି । ମୃତଦେହର ବିଭିନ୍ନ ସ୍ଥାନରେ ମାଡ଼ର ଦାଗ ରହିଥିବା ମଧ୍ୟ ଦେଖିବାକୁ ମିଳିଛି ।
କେନ୍ଦୁଝର ସଦର ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି ଯେ, ମୃତକଙ୍କ ଭାଇଙ୍କ ଏତଲା ଭିତ୍ତିରେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ବନ୍ଦ ରୁମ୍ ଖୋଲାଯାଇଥିଲା । ଶବଟି ଚଟାଣରେ ପଡ଼ିଥିବା ବେଳେ ବେକରେ ଗାଢ଼ ଦାଗ ଏବଂ ଦେହରେ ବେଡସିଟ୍ ଗୁଡ଼ାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ପୋଲିସ ଅଭିମନ୍ୟୁଙ୍କୁ ଘଟଣାସ୍ଥଳରୁ ଥାନାକୁ ନେବା ସମୟରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସୁଇସାଇଡ୍ ନୋଟ୍ର ଫୋରେନ୍ସିକ୍ ଯାଞ୍ଚ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

