Latest Odisha News

BREAKING NEWS

ଇମ୍ରାନଙ୍କୁ ଝଟକା, ବିରୋଧୀଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ବିରୋଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ଦାଖଲ ହୋଇଥିବା ଆବେଦନ ମାମଲାରେ ଶୁଣାଣି ଆସନ୍ତାକାଲି ହେବ ବୋଲି ପାକିସ୍ତାନର ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ପଠାଇ ପକ୍ଷ ରଖିବାକୁ କହିଛନ୍ତି। ଏହାପୂର୍ବରୁ ପାକିସ୍ତାନର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ଦ୍ୱାରା ସଂସଦ ଭାଙ୍ଗିବାକୁ ବା ସରକାର ଭାଙ୍ଗିବା ପ୍ରସଙ୍ଗର ଆଇନଗତ ଦିଗ ସମୀକ୍ଷା କରିବାକୁ ଏକ ସ୍ୱତନ୍ତ୍ର ବେଞ୍ଚ ଗଠନ କରିଥିଲେ। ଏହି ସ୍ୱତନ୍ତ୍ର ବେଞ୍ଚ ଏହାର ସମୀକ୍ଷା କରିବ।

ରବିବାର ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ଉପ ବାଚସ୍ପତି କାସୀମ ଖାନ ସୁରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଥିଲେ। ସମ୍ବିଧାନର ଧାରା 5 କୁ ଦର୍ଶାଇ ସେ ଏହି ପ୍ରସ୍ତାବକୁ ଉପ ବାଚସ୍ପତି ପ୍ରତ୍ୟାଖ୍ୟାନ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାଖ୍ୟାନ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଗୃହ ଭଙ୍ଗ କରିବାକୁ ପରାମର୍ଶ ଦେବା ସହିତ ନୂଆ ନିର୍ବାଚନ କରିବାକୁ ସୁପାରିଶ କରିଥିଲେ। ରାଷ୍ଟ୍ରପତି ଅଲଭି ମଧ୍ୟ ଇମ୍ରାନଙ୍କ ଏହି ସୁପାରିଶକୁ ଅନୁମୋଦନ ଦେଇଛନ୍ତି।

ତେବେ ଇମ୍ରାନ ସରକାରଙ୍କ ଏପରି ପ୍ରସ୍ତାବକୁ ବିରୋଧୀ ବିରୋଧ କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି ସଭାପତି ବିଲାୱାଲ ଭୁଟ୍ଟୋ ଜରଦାରୀ କହିଥିଲେ ଏହି ନିଷ୍ପତ୍ତି ବିରୋଧରେ ବିରୋଧୀ ଶୀଘ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ ସରକାର ଅନାସ୍ଥା ପ୍ରସ୍ତାବର ଭୋଟରୁ ବିରତି ରହି ଯାହା କରି ସମ୍ବିଧାନକୁ ଉଲ୍ଲଂଘନ କରିଛନ୍ତି ।

Comments are closed.