Latest Odisha News

BREAKING NEWS

ଗାୟକ ଜଗତର ମୁକ୍ତା : ନୃସିଂହ ଚରଣ ହୋତା

ସାମ୍ପ୍ରତିକ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣେ ସଫଳ ପାଲା ଗାୟକ ହେଉଛନ୍ତି ଗାୟକ ଯୁବ ସମ୍ରାଟ୍ ନୃସିଂହ ଚରଣ ହୋତା । ରାଜ୍ୟରେ ଯେଉଁ କେତେ ଜଣ ଯୁବ ଗାୟକ ବର୍ତ୍ତମାନ ପାଲାରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି, ସବୁ ବର୍ଗର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟତମ ନୃସିଂହ ଚରଣ ହୋତା ।

୧୯୭୭ ମସିହା ମସିହା ଜୁନ ୩ ତାରିଖରେ କଟକ ଜିଲ୍ଲା ବଡମ୍ବା ଅନ୍ତର୍ଗତ ନନପୁର ଗ୍ରାମରେ ନୃସିଂହ ହୋତାଙ୍କର ଜନ୍ମ । ବାପା କୈଳାସ ଚନ୍ଦ୍ର ହୋତା ଏବଂ ମାଆ କୁନ୍ତଳା କୁମାରୀ ହୋତାଙ୍କର ସେ ହେଉଛନ୍ତି ବଡ ପୁଅ । ଜେଜେ ବାପା ହରିହର ଷଡଙ୍ଗୀ ଥିଲେ ଜଣେ ପ୍ରତିଷ୍ଠିତ ପାଲା ଗାୟକ ।

ପିଲାଟି ଦିନରୁ କଳା, ସାହିତ୍ୟ ଏବଂ ସଙ୍ଗୀତ ପ୍ରତି ନୃସିଂହଙ୍କର ଥିଲା ଅହେତୁକ ରୁଚି । ଅଷ୍ଟମ ଶ୍ରେଣୀରେ ପଢିବା ବେଳେ ଶିକ୍ଷକ ସୁବୋଧ ଚରଣ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ ଭବିଷ୍ୟତରେ ସେମାନେ କଣ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେତେବେଳେ ନୃସିଂହ କହିଥିଲେ, ସେ ଜଣେ ସଫଳ ପାଲା ଗାୟକ ହେବେ ବୋଲି । ଏହା ପୂର୍ବରୁ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ନିଜ ଗାଁରେ ରବୀନ୍ଦ୍ର ସାମନ୍ତରାୟ ଏବଂ ଭାସ୍କର ବେହେରାଙ୍କର ବାଦିପାଲା ଅନୁଷ୍ଠିତ ହେଉଥିଲା । ସେଠାରେ ପୂଜା କରିବା ସହ ବ୍ରାହ୍ମଣ ଆସନରେ ବସିଥିଲେ ନୃସିଂହ । ପାଲା ମଧ୍ୟରେ ରବୀନ୍ଦ୍ର ସାମନ୍ତରାୟ ପାଳିଆ କମେଡି କରିଥିଲେ, ତାହା ଶୁଣି ନୃସିଂହ ଜୋରରେ ହସିଥିଲେ । ସେହି ଘଟଣାକୁ ନେଇ କିଛି ସମୟ ପାଇଁ ପାଲା ବନ୍ଦ ହୋଇଥିଲା, ସେତିକି ବେଳେ ସାମନ୍ତରାୟ କହିଥିଲେ ଯେ, ପାଲାରେ ବ୍ୟାଘାତ ସୃଷ୍ଟି କଲେ କେତେ କଷ୍ଟ ହୁଏ, ନିଜେ ଗାୟକ ହୋଇଥିଲେ ଜାଣିଥାଆନ୍ତୁ । ସେହି ସମୟରେ ନୃସିଂହ ଶପଥ କରିଥିଲେ ଆଗାମୀ ୨୦ ବର୍ଷ ଭିତରେ ସେ ଜଣେ ଗାୟକ ହେବେ ଏବଂ ରବୀନ୍ଦ୍ର ସାମନ୍ତରାୟଙ୍କ ସହିତ ବାଦିପାଲାରେ ଅବତୀର୍ଣ୍ଣ ହେବେ । ପରବର୍ତ୍ତୀ ସମୟରେ ତାହା ସତ ହେଲା, ଜଗତସିଂହପୁର ସାରଳାଙ୍କ ପୀଠରେ ସେ ରବୀନ୍ଦ୍ର ସାମନ୍ତରାୟଙ୍କ ସହିତ ବାଦିପାଲାରେ ଅବତୀର୍ଣ୍ଣ ହେଲେ । ଦୀର୍ଘ ବର୍ଷ ତଳର ଘଟଣା ଶୁଣିବା ପରେ ରବୀନ୍ଦ୍ର ସାମନ୍ତରାୟ ଖୁସିରେ ନୃସିଂହଙ୍କୁ କୁଣ୍ଢାଇ ପକାଇଥିଲେ । ଭବିଷ୍ୟତରେ ଜଣେ ସଫଳ କଳାକାର ହେବାକୁ ଆଶୀର୍ବାଦ ଦେଇଥିଲେ ।

 

ନୃସିଂହ ହୋତାଙ୍କର ଅଜା ଅଚ୍ୟୁତାନନ୍ଦ ଦାସ ଥିଲେ ଆଠଗଡ଼ର ପୂର୍ବତନ ବିଧାୟକ । ମାଆ ଥିଲେ ଅଲ୍ ଇଣ୍ଡିଆ ବିଡି ୱାର୍କର୍ସ ୟୁନିୟନର ସେକ୍ରେଟାରୀ । ମାଆ ଚାହୁଁଥିଲେ ପୁଅ ରାଜନୀତିକୁ ଆସୁ । ବାପାଙ୍କ ମତ ଥିଲା କଳାକାର ଜୀବନ ବଡ଼ କଷ୍ଟକର । ତେବେ ନୃସିଂହ ବାପାଙ୍କୁ କହିଥିଲେ, ଆପଣ ଆଶୀର୍ବାଦ କଲେ ମୁଁ ଜଣେ ସଫଳ ଗାୟକ ହୋଇପାରିବି ।

ନୃସିଂହ ହୋତାଙ୍କର ପ୍ରଥମ ଗୁରୁ ଥିଲେ ଗଦାଧରପୁରର ପଣ୍ଡିତ ବସନ୍ତ କୁମାର ସ୍ୱାଇଁ । ପରବର୍ତ୍ତୀ ସମୟରେ ସେ, ଗାୟକ କେଶରୀ ଉଦୟନାଥ ରଥଶର୍ମାଙ୍କ ବାୟକ ଗୋବର୍ଧନ ବେହେରାଙ୍କୁ ଗୁରୁ କରିଥିଲେ । ପରେ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ଗୁରୁ କରିଥିଲେ ନୃସିଂହ । ପରବର୍ତ୍ତୀ ସମୟରେ ଗାୟକ ଜ୍ଞାନବାରିଧି ଭାସ୍କର ଚନ୍ଦ୍ର ସାହୁଙ୍କୁ ଗୁରୁ କରି ତାଙ୍କର ମାର୍ଗଦର୍ଶନରେ ଆଗେଇ ଚାଲିଛନ୍ତି ହୋତା ମହୋଦୟ ।

 

 

 

ପାଲା ଶିଖିବାର ମାତ୍ର ୧୬ ଦିନରେ ଆଠଗଡ କଲେଜରେ ପ୍ରଥମ ପାଲା ପରିବେଷଣ କରିଥିଲେ ନୃସିଂହ ହୋତା । ସେଠାରେ ସେ ନାଗାନନ୍ଦ ନାଟକ ପରିବେଷଣ କରି ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଦର୍ଶକଙ୍କ ମନ କିଣିନେଇଥିଲେ । ବିଶିଷ୍ଟ ପାଲା ଗାୟକ ବୈରାଗୀ ବେହେରାଙ୍କ ପାଲାରେ ସେ ବିଶେଷ ଭାବେ ଅନୁପ୍ରାଣିତ, ତାଙ୍କ ଗାୟନ ଶୈଳୀକୁ ନୃସିଂହ ଅନୁକରଣ କରିଥାନ୍ତି । ତେବେ ପାଲା ପରିବେଷଣ ବେଳେ ନିର୍ଭୀକତା ଗୁଣ ସେ ଅନୁକରଣ କରିଛନ୍ତି ପ୍ରଖ୍ୟାତ ଗାୟକ ଭାସ୍କର ବେହେରାଙ୍କଠାରୁ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ଅନେକ ପୁରସ୍କାର, ମାନପତ୍ର ଓ ଉପାଧି ପାଇଛନ୍ତି । ଗାୟକ ପ୍ରବୀର, ଗାୟକ ରସରାଜ, ଗାୟକ କମଳ, ଗାୟକ ଯୁବ ସମ୍ରାଟ୍‌, ଗାୟକ ଜ୍ଞାନମାର୍ତଣ୍ଡ ଆଦି ଅନେକ ଉପାଧିରେ ଭୂଷିତ ହୋଇଛନ୍ତି ନୃସିଂହ ହୋତା ।

Leave A Reply

Your email address will not be published.