ଭୁବନେଶ୍ୱର ରାଜ୍ୟ ପାଲାଗାୟକ ପରିଷଦର ୪୪ ତମ ରାଜ୍ୟସ୍ତରୀୟ ବାର୍ଷିକ ସମ୍ମିଳନୀ ଗତ ୨୮ ଓ ୨୯ ଦୁଇ ଦିନ ଧରି ଢେଙ୍କାନାଳ ଜିଲ୍ଲାର ସଂସ୍କୃତି ସମ୍ପନ୍ନ ଗ୍ରାମ ପିଙ୍ଗୁଆଠାରେ ପରିଷଦର ସଭାପତି ଶ୍ରୀ ମଦନ ମୋହନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି ସମ୍ମିଳନୀରେ ସଂସ୍କୃତି ସାରଥି ପୂଜ୍ୟ ପୂଜକ ଶ୍ରୀମଦ୍ ବାବା ବଳିଆଙ୍କ ପଟଶିଷ୍ୟ ଚିଦାନନ୍ଦ ସରସ୍ୱତୀ, ଓଡ଼ିଶାର ଅନ୍ୟତମ ବାଣୀପୁତ୍ର ଅଧ୍ୟାପକ ଡ. ରଜତ କୁମାର କର, ରାଜ୍ୟ ପାଲାଗାୟକ ପରିଷଦର ନିର୍ଦ୍ଦେଶକ ତଥା ବିଶିଷ୍ଟ କୃଷି ସମବାୟବିତ୍ ନେତା ଅମୀୟ କୁମାର ପଟ୍ଟନାୟକ, ପରିଷଦର
ସ୍ଥାୟୀ ଉପସଭାପତି ବିନାୟକ ରଥ, ପିଙ୍ଗୁଆ ଗ୍ରାମର ସମାଜସେବୀ ବୁଦ୍ଧଦେବ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବିଦଗ୍ଧ ପ୍ରାଚୀନ ପାଲା କଳାର ସାର୍ବଜନୀନ ବିକାଶ ଏବଂ ସମାଜର ସଂସ୍କୃତି ରକ୍ଷକ ଓ ଗଣ ଶିକ୍ଷକ ଭାବେ ପରିଗଣିତ ପାଲା କଳାକାରମାନଙ୍କ ବୈଶିଷ୍ଠ୍ୟ ଉପରେ ବିସ୍ତୃତ ଆଲୋକପାତ କରିବା ସହିତ ସୁସ୍ଥ ସମାଜ ଗଠନରେ ପାଲା କଳାର ମହନୀୟତା ଦିଗରେ ଉଦ୍ବୋଧବ ଦେଇଥିଲେ ।
ଏହି ଅବସରରେ ରାଜ୍ୟର ସମସ୍ତ ପାଲା କଳାକାରମାନଙ୍କର ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ କଳାକାରମାନଙ୍କ ମାସିକ ଭତ୍ତା ୧୨ଶହ ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି, ପାଲା କଳାକାରମାନଙ୍କ ପାଇଁ ଗୋଷ୍ଠୀଗତ ବୀମା, ରାଜ୍ୟରେ ପାଲା ଏକାଡ଼େମୀ, ପ୍ରଶିକ୍ଷଣ ଓ ପାଠାଗାର ପ୍ରତିଷ୍ଠା, ରାଜ୍ୟରେ ଥିବା ପୁରାତନ ପାଲା ଅନୁଷ୍ଠାନଗୁଡ଼ିକୁ ବାର୍ଷିକ ସରକାରୀ ପ୍ରୋତ୍ସାହନ ଓ ପ୍ରତି ପଞ୍ଚାୟତରେ ସଂସ୍କୃତି ମଣ୍ଡପ ପ୍ରତିଷ୍ଠା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟର ବ୍ୟାପକ ସଚେତନତା ପାଇଁ ପାଲା କଳାକାରମାନଙ୍କୁ ଅଧିକରୁ ଅଧିକ ସାମିଲ କରିବା ପାଇଁ ପ୍ରସ୍ତାବ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ, ବସନ୍ତ ରାଉତ, ସୁଦର୍ଶନ ମହାପାତ୍ର, ସୁରେନ୍ଦ୍ର ନାଥ ଛୋଟରାୟ, ଉଦୟ ପଟ୍ଟନାୟକ, ଚକ୍ରଧର ବାରିକ, ଅନ୍ତର୍ଯ୍ୟାମୀ ମିଶ୍ର, କୈଳାଶ ନାୟକ, ଧର୍ମାନନ୍ଦ ପୃଷ୍ଟି, ଲକ୍ଷ୍ମଣ ରାଉତ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପ୍ରଫୁଲ୍ଲ ଚନ୍ଦ୍ର
ଆଚାର୍ଯ୍ୟ ପ୍ରମୁଖ କର୍ମକର୍ତ୍ତା ଓ ସହଯୋଗୀ ବୃନ୍ଦ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।