ଭୁବନେଶ୍ବର: ବସନ୍ତରୁତୁର ଆଗମନ ସହ ପୃଥିବୀ ଅଧିକ ପୁଲକିତ ହୁଏ । କାରଣ ଏହି ଋତୁରେ ପୃଥିବୀକୁ ବିଭିନ୍ନ ରୂପରେ ସଜେଇଥାଏ ପ୍ରକୃତିରାଣୀ । ଏହି ଋତୁରେ ଫୁଟିଥିବା ଅନ୍ୟ ଫୁଲ ମାନଙ୍କ ମଧ୍ୟରେ ସୌନ୍ଦର୍ଯ୍ୟରେ ସବୁଠୁ ଉର୍ଦ୍ଧ୍ବରେ ରହିଛି ପଳାଶ ଫୁଲ । ବର୍ତ୍ତମାନ ପଳାଶ ଫୁଲ ଫୁଟିବା ଦ୍ବାରା ଚାରିଆଡେ ନାଲି ରଙ୍ଗରେ ରଙ୍ଗେଇ ହୋଇଛି ଧରାପୃଷ୍ଠ । ବାସ୍ନା ନାହିଁ ବୋଲି ସେ ଅଲୋଡା, ଅସ୍ପୃର୍ଶ୍ୟ ଓ ଅଣଦେଖା ହୋଇପାରେ, ହେଲେ ତାର ଅପୂର୍ବ ସୌନ୍ଦର୍ଯ୍ୟରେ ସେ ସମସ୍ତଙ୍କୁ କରୁଛି ବିମୋହିତ । ଲାଗୁଛି ଯେପରି ଚତୁର୍ଦିଗ ନବବଧୂ ପରି ସଜେଇ ହୋଇଛି । ରାସ୍ତାରେ ଚାଲି ଚାଲି ଯିବା ବେଳେ ବାଟସାରା ବିଞ୍ଚି ହୋଇ ପଡିଥିବା ପଳାଶ ଫୁଲର ପାଖୁଡା ସଭିଙ୍କୁ କରୁଛି ଆତ୍ମବିଭୋର ।
ଫଗୁଣରେ ଫୁଟିଥିବା ଏହି ପଳାଶ ଫୁଲକୁ ଦେଖୁ ଦେଖୁ କ୍ଷଣିକ ପାଇଁ ଅଟକି ଯାଉଛି ସଭିଙ୍କ ପାଦ । କିଛି ସମୟ ଧରି ବାଟୋଇଟିଏ ଅଟକି ରହି ଫୁଲର ଅପୂର୍ବ ମନୋରମ ଦୃଶ୍ୟକୁ ଦେଖି ତାର ଅସରନ୍ତି ଭାବନାରେ ବୁଡିଯାଉଛି । ଖାଲି ସେତିକି ନୁହେଁ ପ୍ରକୃତି ସହିତ ପରିବେଶର ଏହି ପରିପୂରକ ମନୋରମ ଦୃଶ୍ୟକୁ ଦେଖି କବି ଓ ଭାବୁକ ହେଉଛନ୍ତି ଆନମନା । ଆଉ ଆକାଶର ରଙ୍ଗକୁ ପଳାସ ଫୁଲର ରଙ୍ଗ ସତେ ଯେପରି କେଉଁ ପରି ରାଇଜର ଭ୍ରମ ସୃଷ୍ଟି କରୁଛି ।
ଶୁଆ ଥଣ୍ଟ ପରି ଦିଶୁଥିବା ଏ ଫୁଲକୁ ଫ୍ଲେମ୍ ଅଫ୍ ଦ ଫରେଷ୍ଟ ମଧ୍ୟ କୁହାଯାଏ । ଯାହା ବିରହ, ବିଦ୍ରୋହ ବହ୍ନିର ପ୍ରତୀକ ଅଟେ । ଆକାଶ ତଳେ ଭିଡ ଭିତରେ ବି ନିସଙ୍ଗତାର ଜୀବନ କାଟୁଥାଏ ପଳାଶ । କଥାରେ ଅଛି ପଳାଶ କୁସୁମ ଦିଶେ କେଡେ ମନୋହର, ବାସେ ନାହିଁ ସେତ ବୋଲି ପାଏନା ଆଦର । ମାତ୍ର ପଳାଶର କିମ୍ବଦନ୍ତୀଙ୍କୁ ରୁଦ୍ଧିମନ୍ତ କଲେ ତାର ଅନେକ ଅର୍ନ୍ତନିହୀତ ଗୁଣ ରହିଥିବା ଜାଣିବାକୁ ମିଳେ ।
ଚୈତ୍ର ମାସରେ ଏହି ଫୁଲକୁ ମାଆ ମଙ୍ଗଳାଙ୍କ ପୂଜାରେ ଓ ଝାମୁଯାତ୍ରାରେ ଲାଗି ହୋଇଥାଏ । ଚୈତ୍ର ପର୍ବରେ ପଳାଶ ଫୁଲକୁ ଦେଖି ଖିଲିଖିଲି ହୋଇ ହସି ଉଠେ ପ୍ରେମୀ । ଆଉ ପଳାଶ ଫୁଲକୁ ଦେଖି ଆପେ ଆପେ ମନର କାନଭାସରେ ଆଙ୍କି ହୋଇଯାଏ ଭଲ ପାଇବାର ଚିତ୍ର । ପ୍ରକୃତି ବଗିଚାରେ ପଳାଶର ରଙ୍ଗ ହୃଦୟରେ ସୃଷ୍ଟି କରେ ଭିନ୍ନ ଏକ ଶୀହରଣ ।
ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।ଏହି ଗଛର ଚେରକୁ ବରଣ କରି ଧାରଣ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ। ଏହା ସହିତ କ୍ଷତାକ୍ତ ସ୍ଥାନରେ ଏହାର ଚେରକୁ ଲେପନ କଲେ ଘା ମଧ୍ୟ ଭଲ ହୋଇଥାଏ। ପଳାଶ ଫୁଲକୁ ତେଲରେ ମିଶାଇ ଲେପନ କଲେ ଚର୍ମରୋଗ ମଧ୍ୟ ଭଲ ହୋଇଥାଏ। ଅତି ପୁରୁଣା ରୁ ପୁରୁଣା ବାତରୋଗ ପଲାଶ ପତ୍ର ଢେମ୍ଫର ପ୍ରୟୋଗ କଲେ ରୋଗ ଭଲ ହୋଇଥାଏ। ଘରେ ଧନ ପ୍ରାପ୍ତି ପାଇଁ ଏହି ଗଛର ଚେର ଲାଭଦାୟକ ହୋଇଥାଏ । ବିଭିନ୍ନ ତନ୍ତ୍ରପୂଜାରେ ଏହି ଗଛର ପତ୍ର ,ଚେର ମଧ୍ୟ ଲାଗିଥାଏ ।
Comments are closed.