Latest Odisha News

BREAKING NEWS

ମୟୂରଭଞ୍ଜ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5-T ଅଧ୍ୟକ୍ଷ

ବାରିପଦା: 5-T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ମୟୂରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ କଥାହୋଇଛନ୍ତି । ଏହାସହ ବାରିପଦା ଠାରେ ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଛନ୍ତି ।

ନୂଆ-ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ 5-T ଅଧ୍ୟକ୍ଷ କହିଥିଲେ ଯେ, ଏହା ଯୁବକଯୁବତୀ ମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ଦ୍ବାରା ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ବର ବିକାଶରେ ମଧ୍ୟ ଏହା ସହାୟକ ହେବ । ଏହା ସହିତ ପାଠ ପଢାରେ ମଧ୍ୟ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ । ଶିକ୍ଷକଙ୍କ ମାର୍ଗ ଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ ।

ଏହାପରେ ସେ ମୟୁରଭଞ୍ଜ ଜିଲ୍ଲାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ୧୦ ହଜାର ୨୧୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଦ୍ବାରା ୨ ଲକ୍ଷ ୭୦ ହଜାର ୯୦୦ ଏକର ଚାଷ ଜମି ଜଳସେଚିତ ହୋଇପାରିବ । ସମୀକ୍ଷାରୁ ଜଣାଯାଇଥିଲା ଯେ ୨୦୨୪ ମଇ ସୁଦ୍ଧା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶେଷ ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟ ଜୁନ ୨୦୨୮ ସୁଦ୍ଧା ସଂପୂର୍ଣ୍ଣ ହେବ ।

ଏହି ଅବସରରେ ପାଣ୍ଡିଆନ ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ କ୍ଲଷ୍ଟର ବୃହତ ଉଠାଜଳସେଚନ ପ୍ରକଳ୍ପ ଆଦି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ୩୨୮୨ କୋଟି ଟଙ୍କା ବିନିଯୋଗ ହେଉଥିବା ବେଳେ, ଏହା ଦ୍ବାରା ୧ ଲକ୍ଷ ୧୬ ହଜାର ୫୦୦ ଏକର ଜମି ଜଳସେଚିତ ହୋଇପାରିବ । ଏହିସବୁ ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ସେ ବାରିପଦାରେ ବୁଢାବଳଙ୍ଗ ଉପରେ ନିର୍ମାଣାଧୀନ ନଦୀ ବନ୍ଧ ଏବଂ ରିଂଗ ରୋଡ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିପାଇଁ ୧୫୪ କୋଟି ଟଙ୍କା ବିନିଯୋଗ କରାଯାଉଛି । ଏହାସହିତ ୭୨.୬୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଘାଟି ରାସ୍ତା, ବାରିପଦାରେ ୪୮ କୋଟି ଟଙ୍କା ବ୍ୟୟରେ ବୁଢାବଳଙ୍ଗ ନଦୀ ଉପରେ ବୃହତ ସେତୁର ନିର୍ମାଣ, ୩୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବାରିପଦା ଠାରେ ୪୭.୩୫ କୋଟି ଟଙ୍କା ବ୍ୟୟରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସମସ୍ତ ପ୍ରକଳ୍ପକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ପାଣ୍ଡିଆନଙ୍କ ମୟୁରଭଞ୍ଜକୁ ପୂର୍ବରୁ କରିଥିବା ଗସ୍ତ ପରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଥିଲେ ।

Leave A Reply

Your email address will not be published.