Latest Odisha News

ଜୟଲଳିତାଙ୍କ ଦଳରେ କନ୍ଦଳ: ବହିଷ୍କାର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ କହିଲେ ପନ୍ନିରସେଲଭମ

ଚେନ୍ନାଇ: ଦିବଂଗତ ନେତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପାର୍ଟି ଏଆଇଏମଡିଏମକେରେ କନ୍ଦଳ । ଦଳର କମାଣ କିଏ ସମ୍ଭାଳିବ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀ ଏବଂ ଦଳର ପୂର୍ବତନ ସଭାପତି ଓ ପନ୍ନିରସେଲଭମଙ୍କ ମଧ୍ୟରେ ଲଢେଇ ଚରମସୀମାରେ ପହଁଚିଛି। ସରକାରରୁ ହଟିବା ପରେ ଏଆଇଏମଡିଏମକେର ଏହି ଦୁଇ ନେତାଙ୍କ ମଧ୍ୟରେ ନେତୃତ୍ୱକୁ ନେଇ ବିବାଦ ଚାଲିଥିଲା। ନିକଟରେ ସାଧାରଣ ପରିଷଦ ବୈଠକ ଡାକିଥିଲେ ପଲାନିସ୍ୱାମୀ। କିନ୍ତୁ ଏହି ବୈଠକକୁ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପନ୍ନିରସେଲଭମ। ପରେ ହାଇକୋର୍ଟ ସୋମବାର ପନ୍ନିରସେଲଭମଙ୍କ ଆବେଦନ ଖାରଜ କରି ଦେଇଥିଲେ।

ଏହାପରେ ପଲାନିସ୍ୱାମୀ ସାଧାରଣ ପରିଷଦ ବୈଠକ ଡାକି ଦଳର ଶୀର୍ଷ ନେତୃତ୍ୱ ବୋଲି ନିଜକୁ ଘୋଷଣା କରିଛନ୍ତି। ଏହାପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ପନ୍ନିରସେଲଭମଙ୍କୁ ବହିଷ୍କୃତ କରିଛନ୍ତି। ପନ୍ନିରସେଲଭମ ଶାସକ ଦଳ ଡିଏମକେ ସହ ମିଶି ଦଳକୁ ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ ଆଧାରରେ ପଲାନିସ୍ୱାମୀ ବହିଷ୍କୃତ କରିଛନ୍ତି।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ପଲାନିସ୍ୱାମୀଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି। ସେ ୧.୫ କୋଟି ସମର୍ଥକଙ୍କ ଦ୍ୱାରା ସେ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ପଲାନିସ୍ୱାମୀ ହୁଅନ୍ତୁ ଅବା ଅନ୍ୟ କେହି ତାଙ୍କୁ ବହିଷ୍କୃତ କରିପାରିବେନି ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜଧାନୀ ଚେନ୍ନାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଉଭୟ ସମର୍ଥକ ମୁହାଁମୁହିଁ ହେବା ପରେ ଆହତ ହୋଇଛନ୍ତି। ଏହି ସମୟରେ ପରସ୍ପର ଉପରକୁ ଲାଠି, ଢେଲା ସହିତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ପୁଲିସ ଆସି ସ୍ଥିତି ନିୟନ୍ତ୍ରଣ କରିବା ସହିତ ସଂପୃକ୍ତ କାର୍ଯ୍ୟାଳୟକୁ ସିଲ୍ କରିଛି।

ପଲାନିସ୍ୱାମୀ ପରେ ସାମ୍ବିଦକ ସମ୍ମିଳନୀ କରି କହିଛନ୍ତି, ଅଫିସ ଭିତରେ ହିଂସା ହୋଇପାରେ ବୋଲି ସୂଚନା ରହିଥିଲା। ତେଣୁ ପୁଲିସକୁ ସୂଚନା ଦିଆଯାଇଥିଲା। କିନ୍ତୁ ପନ୍ନିରସେଲଭମଙ୍କ ସମର୍ଥକ ଅଫିସ ଭିତରେ ପ୍ରବେଶ କରି ଦଳର ଗୁରୁତ୍ୱପୂଣ୍ଣର୍ କାଗଜପତ୍ର ବଳପୂର୍ବକ ନେଇଯାଇଛନ୍ତି।

୨୦୧୬ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ନେତୃତ୍ୱକୁ ନେଇ ସମାନ ପରିସ୍ଥିତି ଉପୁଜିଥିଲା। ପରେ ବିବାଦର ସମାଧାନ କରାଯାଇଥିଲା। ଏବେ କିନ୍ତୁ ପାଞ୍ଚ ବର୍ଷ ପରେ ମୁହାଁମୁହିଁ ହୋଇଛନ୍ତି। ସେତେବେଳେ ବିବାଦର ସମାଧାନ କରିବାକୁ ଯାଇ ଦଳର ସଭାପତି ପଦରେ ପନ୍ନିରସେଲଭମ ବସିଥିବା ବେଳେ ପଲାନିସ୍ୱାମୀ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ପନ୍ନିରସେଲଭମ ଦୁଇଟି ନେତୃତ୍ୱରେ ଦଳ ଚାଲୁ ବୋଲି ଚାହୁଁଥିଲେ କିନ୍ତୁ ପଲାନିସ୍ୱାମୀ ଜଣଙ୍କ ନେତୃତ୍ୱରେ ଦଳ ଚାଲୁ ବୋଲି ଚାହୁଁଥିଲେ।

Leave A Reply

Your email address will not be published.