ପାରାଦୀପ:ପାରାଦୀପ ବନ୍ଦରକୁ “ମେଗା ପୋର୍ଟ”(ବୃହତ ବନ୍ଦର) ମାନ୍ୟତା ମିଳିଛି । ଏହା ସହିତ ଏହା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକମାତ୍ର ମେଗା ପୋର୍ଟରେ ପରିଣତ ହୋଇଛି । ଏନେଇ ଶୁକ୍ରବାର ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ମୋଟ ଚାରୋଟି ବନ୍ଦରକୁ ମେଗା ପୋର୍ଟ ଭାବେ ଘୋଷଣା କରାଯାଇଛି । ଦୀନଦୟାଲ ବନ୍ଦର (କାଣ୍ଡଲା), ଜବାହରଲାଲ ନେହେରୁ ବନ୍ଦର (ନ୍ୟାଭା ସେବା), ପାରାଦୀପ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରକୁ ମେଗା ପୋର୍ଟ ତାଲିକାରେ ଅନ୍ତର୍ଭୃକ୍ତ କରାଯାଇଛି।
‘ଇଣ୍ଡିଆନ୍ ପୋର୍ଟସ୍ ଆକ୍ଟ, ୨୦୨୫’ର ଧାରା ୭୩ ଅନୁଯାୟୀ ନିର୍ଦ୍ଧାରିତ ଗଠନମୂଳକ ଏବଂ କାର୍ଯ୍ୟକ୍ଷମ ମାନଦଣ୍ଡ ପୂରଣ କରିବା ପରେ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୨୫, ୨୦୨୬ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଏହି ମାନ୍ୟତା ଭାରତର ପୂର୍ବ ଉପକୂଳରେ ଏକ ପ୍ରମୁଖ ସାମୁଦ୍ରିକ ପ୍ରବେଶପଥ ଭାବରେ ପାରାଦୀପ ବନ୍ଦରର ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହି ସ୍ୱୀକୃତି ବନ୍ଦରର ଭିତ୍ତିଭୂମି, କାର୍ଯ୍ୟକ୍ଷମ କ୍ଷମତା ଏବଂ ସାମୁଦ୍ରିକ ସଂଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।
ଏହି ଘୋଷଣା ପରେ ପାରାଦୀପ ବନ୍ଦର ଅଧିକାରୀ, ବ୍ୟବହାରିକ ସଂସ୍ଥା ଓ ପାରାଦୀପବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

