Latest Odisha News

BREAKING NEWS

ଆଜି ସଂସଦରେ ବିବୃତ୍ତି ରଖିବେ ମୋଦି, ବିରୋଧୀଙ୍କୁ ଦେବେ ଜବାବ

ନୂଆଦିଲ୍ଲୀ: ସଂସଦରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ଆଜି ଅନାସ୍ଥା ବିତର୍କର ତୃତୀୟ ଦିନ । ଆଜି ପ୍ରଧାନମନ୍ତ୍ରୀ ମୋଦି ଅନାସ୍ଥା ବିତର୍କରେ ସାମିଲ ହେବେ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖିବେ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ସୂଚନା ଦେଇଥିଲେ ।

ଗତକାଲି ଆଲୋଚନା ବେଳେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ଗୃହ କମ୍ପିଥିଲା । କଂଗ୍ରେସ ନେତା ଓ ସ୍ମୃତି ଇରାନୀ ମୁହାଁମୁହିଁ ହୋଇଥିଲେ । ଅନାସ୍ଥା ପ୍ରସ୍ତାବ ଆଲୋଚନାର ଦ୍ଵିତୀୟ ଦିନରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାର ଦୃଢ ଜବାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଅମିତ ଶାହ । ବିଜେପି ମଣିପୁରକୁ ଦୁଇ ଭାଗ କରିଦେଇଥିବା କଂଗ୍ରେସ ନେତା କହିଥିବା ବେଳେ, ମଣିପୁର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଜବାବ ଦେଇଥିଲେ ଇରାନୀ ଏବଂ ବିରୋଧୀ ମେଣ୍ଟର ଇଣ୍ଡିଆ ନାମକୁ ମଧ୍ୟ କଟାକ୍ଷ କରିଥିଲେ । ଶାହ ମଧ୍ୟ ମଣିପୁର ହିଂସାକୁ ନେଇ ରାଜନୀତି ଲଜ୍ଜାଜନକ ବୋଲି କହିଥିଲେ ।

ସୂଚନାଯୋଗ୍ୟ ଯେ, ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ଜୁଲାଇ ୨୬ରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସ୍ଵୀକାର କରିଥିଲେ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଙ୍ଗଳବାର ଦିନ ଏହି ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ କରିଥିଲେ । ତେବେ ଦ୍ଵୀତିୟ ଥର ପାଇଁ ବିଜେପି ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପିତ ହୋଇଛି । ଏନଡିଏରେ ମୋଟ ୩୩୧ ସାଂସଦ ଅଛନ୍ତି । ସେଥିମଧ୍ୟରୁ ୩୦୩ ସାଂସଦ ବିଜେପିର ଅଟନ୍ତି । ବିପକ୍ଷରେ କେବଳ ୧୪୪ ସାଂସଦ ଅଛନ୍ତି । ସରକାରଙ୍କ ବିରୋଧରେ ପ୍ରଥମ ପ୍ରସ୍ତାବ ୨୦୧୮ରେ ଆନ୍ଧ୍ରପ୍ରଦେଶ ପ୍ରସଙ୍ଗରେ ଉପସ୍ଥାପନ କରାଯାଇଥିଲା ।

କହିରଖୁଛୁ ଯେ, ଯେକୌଣସି ଲୋକସଭା ସାଂସଦ ୫୦ ସାଂସଦଙ୍କ ସମର୍ଥରେ କୌଣସି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନା କରିପାରିବେ । ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯିବା ପରେ ଏହାକୁ ଗୃହରେ ଆଲୋଚନା କରାଯାଏ । ଶାସକ ଦଳର ସାଂସଦମାନେ ଏହା ଉପରେ ଉତ୍ତର ଦେଇଥାନ୍ତି । ଶେଷରେ ଭୋଟ୍ ଦିଆଯାଏ । ଯଦି କୌଣସି ଅନାସ୍ଥା ପ୍ରସ୍ତାବ ସଫଳ ହୁଏ ତେବେ ସରକାର ଭାଙ୍ଗିଯାଏ ।

 

Leave A Reply

Your email address will not be published.