ଇସଲାମବାଦ: ପାକିସ୍ତାନର ଖାଇବର ପଖତୁନଖ୍ବାରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଯେଉଁଥିରେ ୪୦ ଜଣ ଯାତ୍ରୀଙ୍କର ଜୀବନ ଯାଇଥିବାବେଳେ, ୮ ଜଣ ଆହତ ହୋଇଛନ୍ତି । ବସ୍ଟି ୪୮ ଜଣ ଯାତ୍ରୀଙ୍କୁ ଧରି କ୍ବଏଟାରୁ ଇସଲାମାବାଦ ଯାଉଥିଲା । ବସ୍ ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା କୁହାଯାଉଥିବାବେଳେ, ବଲୁଚିସ୍ତାନ ଓ ଖାଇବର ପଖତୁନଖ୍ୱା ପ୍ରଦେଶ ସୀମା ନିକଟରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ବସ୍ ଟି ନିୟନ୍ତ୍ରଣ ହରାଇ ଏକ ଘାଟିରେ ଖସି ପଡ଼ିଥିବା ସନ୍ଦେହ କରାଯାଉଛି ।
ବଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ସହିଦ ରିନ୍ଦ କହିଛନ୍ତି, ଉଦ୍ଧାରକାରୀ ଦଳ ମୃତକଙ୍କୁ ଚିହ୍ନଟ କରୁଛି । ୮ ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଝୋବ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଛି । ପୋଲିସ ଦୁର୍ଘଟଣାର କାରଣ ତଦନ୍ତ କରୁଛି । ଏପର୍ଯ୍ୟନ୍ତ ଦୁର୍ଘଟଣା ପ୍ରକୃତ କାରଣ ଜଣାପଡିନାହିଁ ।
ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ପାଇଁ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି, “ଏହି ଦୁଃଖଦ ଘଟଣା ଦ୍ୱାରା ପ୍ରଭାବିତ ପରିବାରର ଦୁଃଖରେ ସମଗ୍ର ଦେଶ ସହଭାଗୀ।”