Latest Odisha News

ଶ୍ରୀମନ୍ଦିରରେ ପତିମହାପାତ୍ର ସେବା

ଦେବୀ ପ୍ରସନ୍ନ ନନ୍ଦ

ନୀଳକନ୍ଦରରେ ମହାପ୍ରଭୁଙ୍କ ଆବିର୍ଭାବ ବିଷୟରେ ବର୍ଣ୍ଣିତ ନୀଳମାଧବ ରହସ୍ୟ ଅନୁସାରେ ସେହି ଦିବ୍ୟରୂପକୁ ଉଦ୍ଧାର କରି ଆଣିଥିବା ବ୍ରାହ୍ମଣ ସେବକ ବିଦ୍ୟାପତିଙ୍କ ବଂଶଧର ଭାବେ ଶ୍ରୀମନ୍ଦିରରେ ପତିମହାପାତ୍ର ସେବା କାର୍ଯ୍ୟ କରିଥାନ୍ତି । ଦଇତା ସମ୍ପ୍ରଦାୟରେ ଭାଇ ହେଲେ ମଧ୍ୟ ସେ ବ୍ରାହ୍ମଣ ସେବକ ଭାବରେ ଉପନୟନ ପରେ ମନ୍ତ୍ରନିପୁଣ ହୋଇ ପ୍ରତିଦିନ ତାଙ୍କର ସେବା କାର୍ଯ୍ୟସହ ଅଣସର ଓ ମହାଅଣସର ବେଳେ ଅନେକ ସ୍ୱତନ୍ତ୍ର ସେବା ସହିତ ଭୋଗ ଅର୍ପଣ କରିବାର ଅଧିକାର ପ୍ରାପ୍ତ ହୋଇଛନ୍ତି । ଶ୍ରୀମନ୍ଦିରର ପ୍ରମୁଖ ସେବକ ଯଥା ପାଟ୍ଟଯୋଷୀ ମହାପାତ୍ର, ଭିରରଚ୍ଛ ମହାପାତ୍ର, ତଳିଚ୍ଛ ମହାପାତ୍ରଙ୍କ ପରେ କୌନନ ଗୋତ୍ରଧାରୀ ପତିମହାପାତ୍ରଙ୍କୁ ସେବା ସାରଣୀରେ ଏକକ ସେବାର ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଏ । ପରିବାରରୁ ଜଣେ ମାତ୍ର ଏହି ସେବା କରିବା ପାଇଁ ଅଧିକୃତ ହୋଇଥାନ୍ତି ।

 

ପରମ୍ପରା ଅନୁସାରେ ସେବାକାରୀଙ୍କ ପରିବାରରେ କେହି ଉତ୍ତରାଧିକାରୀ ନରହିଲେ ପୂଜାପଣ୍ଡା ପରିବାରରୁ ପୋଷ୍ୟପୁତ୍ର ଗ୍ରହଣ କରିପାରନ୍ତି । ଆବଶ୍ୟକ ସ୍ଥଳେ ଦଇତା ପରିବାରରୁ ଜଣକୁ ନିଆଯାଇ ସେବାକାର୍ଯ୍ୟ ସଂପନ୍ନ ହୋଇଥାଏ । ସେ ନବାଗତ ବ୍ରତ ହୋଇନଥିଲେ ତାଙ୍କ ଉପସ୍ଥିତିରେ ଜଣେ ଦଇତା ସେବା କରିଥାନ୍ତି । ତାଙ୍କର ବ୍ରତୋପନୟନ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହେ ଏବଂ ସେ ସମୟରେ ସେ ସାଧାରଣ ଦଇତା ସେବାରେ ସାମିଲ ହୋଇପାରନ୍ତି । ସେବା ଆରମ୍ଭ କରିବା ପାଇଁ ଶାଢି ବନ୍ଧାର ଆବଶ୍ୟକତା ନାହିଁ ।
ପତିମହାପାତ୍ରଙ୍କ କେତେକ ସ୍ୱତନ୍ତ୍ର ସେବା ରହିଥାଏ । ମୁକ୍ତିମଣ୍ଡପ ନିକଟସ୍ଥ ଆଦି ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା ତାଙ୍କ ଦାୟିତ୍ୱରେ ଥାଏ । ସେ ଅଣସର ଘରେ ତାଟି ଫିଟାଇବା ପରେ ଦଇତା ସେବା ଆରମ୍ଭ ହୁଏ । ପତିମହାପାତ୍ର ସୁଦର୍ଶନଙ୍କ ସମସ୍ତ ସେବାର ଅଧିକୃତ ସେବକ ଅଟନ୍ତି । ପ୍ରତିଦିନ ଜଗନ୍ନାଥଙ୍କ ବାଡ଼ରେ ପହଡ଼ ଆଳତୀ ସେ କରିଥାନ୍ତି । ସର୍ବାଙ୍ଗ ଚନ୍ଦନ ତଥା ଅନ୍ୟ ନୀତି ସମୟରେ ସୁଭଦ୍ରାଙ୍କ ବାଡ଼ରେ ବନ୍ଦାପନା କରନ୍ତି । ସରକାରୀ ପ୍ରାପ୍ୟ ବ୍ୟତୀତ ସେ ଦୈନିକ ପିଣ୍ଡିକାରେ ପଡ଼ୁଥିବା ଦାନ ଦକ୍ଷିଣାରୁ ମୁଣ୍ଡପିଛା ହିସାବରେ ଭାଗ ପାଆନ୍ତି । ଦଇତା ନିଯୋଗର ସ୍ଥାୟୀ ମୁଖ୍ୟ ଭାବରେ ପତିମହାପାତ୍ର କାର୍ଯ୍ୟ ତୁଲାନ୍ତି ।

 

ନବକଳେବର ସମୟରେ ପତି ମହାପାତ୍ରଙ୍କ ଅଧିକ ସେବା ରହିଥାଏ । ବନଯାଗ ଯାତ୍ରା ନିମନ୍ତେ ସେ ବିଦ୍ୟାପତି ଭାବରେ ବରଣ ହୁଅନ୍ତି । ତିିନି ବାଡ଼ପାଇଁ ଆଜ୍ଞାମାଳ ବାହାର କରି ସେ ସମ୍ପୃକ୍ତ ଦଇତାମାନଙ୍କୁ ଦିଅନ୍ତି ଏବଂ ନିଜେ ସୁଦର୍ଶନଙ୍କ ଦାରୁ ଅନ୍ୱେଷଣରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଯାଗ ପରେ ପୂର୍ବରୁ ଦେଉଳ କରଣଙ୍କଠାରୁ ନେଇଥିବା ସୁନା କୁରାଢିରେ ପ୍ରଥମେ ସବୁ ଦାରୁରେ ଚ୍ଛେଦନ ଅନୁକୂଳ କରନ୍ତି । ସମସ୍ତ ଦାରୁ ଆସିବା ପରେ କୋଇଲି ବୈକୁଣ୍ଠରେ ଉଭା ଅମାବାସ୍ୟା ପୂର୍ବ ଦିନ ପର୍ଯ୍ୟନ୍ତ ଭୋଗ କରନ୍ତି । ଘଟ ପରିବର୍ତ୍ତନ ଓ ବିସର୍ଜନ ପ୍ରକ୍ରିୟାରେ ନିଜେ ସକ୍ରିୟ ସେବା କରିଥାଆନ୍ତି । ପତିମହାପାତ୍ର ମହାଜନ ସେବକ ହିସାବରେ ବିଛା ମାସରେ ଦକ୍ଷିଣୀ ଘରେ ସମସ୍ତ ସେବା କରନ୍ତି ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ- ୯୪୩୭୧୬୬୩୬୯

Comments are closed.