ପତ୍ନୀ ପରି ଆଉଜଣେ
ଦିବ୍ୟସିଂହ ଦାସ ଅଧିକାରୀ
କଉ କଥା ମୁଁ ରଖିଚି ଗୋପନ
ଆଉ ଭାବିବସୁଚ
ଯେତେବେଳେ ନାଇଁ ସେତେବେଳେ!
ସବୁତ ଉଝେଇ ଦେଇ ଆସିିଚି
ତମ କଥାରେ
ଶାଶୁ, ଶ୍ୱଶୁର, ନଣନ୍ଦ, ଭାଉଜ
ମୋର କେହି ନୁହନ୍ତି ନିଜର
ଏବେ ମୁଁ ତୁମ ପିଣ୍ଡାରେ ଗୋଟାପଣେ
ତଥାପି ତ ବେଳେବେଳେ ଲାଗେ ଯେମିତିକି
ସଠିକତା ନଥିବା ନିଃଶ୍ୱାସ
ବଦଳେଇଦିଏ ସବୁ ସ୍ୱର
ଆପଣାର ସେ’ ପାଇଁ
ବୁଲିପାରିବି ନି ଆଉ ଏକା ଏକା
ରାସ୍ତାସାରା କଣ୍ଟା, ଅଦଭୁତ ପ୍ରବଂଚନାରେ ଭରପୁର
ଆହାର ଓ ନିଦ୍ରା
ବଦଳୁଚି ଶରୀରର ସବୁ ଗଠନ କୌଶଳ
ସବୁ କଥାକୁହା ଚଢେ଼ଇଂକ ଭାବନାରେ
ଠିକଣା ଫଳି ନଥିବା ସାରାଂଶର ଆବିଳ ଅଂଧାର
ଆଖିରେ ଆଖିରେ ଯେତେ ସମ୍ମୋହନ ଉଚ୍ଚାରଣର
ଆଖି ପିଛୁଳକେ ତ ବଦଳିଯାଏ ସଂପର୍କ
ଏଇବୋଧେ ଏବେକାର ଅସଲ ଗୁମର
କୋଉଠି ଲେଖାଅଛି କି
ଦୀର୍ଘସ୍ଥାୟୀ ସମଝୋତାର କଥା
ସେ କଥା ଭାବି ବସିଲେ ଦୃଶ୍ୟହୁଏ
ମୋ ପରି ଆଉଜଣେ କିଏ
ଜଳୁଥାଏ ଅନବରତ
ଯେତେ ଚେଷ୍ଟାକଲେ ସୁଧା ନିଭେନାଇଁ ଚିତା
ଯେବେ ମୁଁ ଆସିଲି ଡେଇଁ କାନ୍ଥବାଡ଼
ସଂପର୍କ ପାଚେରୀ, ଭାବନାବର କଥା ଓ ଗଂଜଣା
ଶବ୍ଦମୟ ନିଃଶ୍ୱାସଂକ ଗହଳ ଚହଳ
ସବୁ ମତେ ଲାଗିଲା ତ ତୁଚ୍ଛ,
ମୁଁ କ’ଣ ଜାଣିଥିଲି
ସବୁଆଡେ ସେଇ ଗୋଟେ କଥା
ତମର ଆସିବା କାଳେ ନଥିଲା ଆକଟ
ତମେ କିଆଁ ଡେଇଁଗଲ ସାବଜା କ୍ଷେତ, ତୋଟାମାଳ
ଫିଗିଦେଇ ମୁଲାୟମ ସପନ ସଂଦେଶ
ସେ’ କଥା କ’ଣ କେବେ ଥିଲା କି ନିଜର ହୋଇ
ଯାହା ତମେ ମୋତେ କହୁଅଛ ଆଜି
କିପରି ମୁଁ ଶୁଣିଥାନ୍ତି ବାଆଁରେଇ,
ମୋ ସାମ୍ନାରେ ଝଟକୁଥିବା
ମୋର ଉଜ୍ଜ୍ୱଳ ଭବିଷ୍ୟ
ହେ ମୋର ପ୍ରିୟତମ, ମୋ ଅଂଧାର ଘରର ସୂର୍ଯ୍ୟ
ତମେ ବୁଣ ବା ନବୁଣ ତମ ଅଧୈର୍ଯ କିରଣ
ମୋର କିଛି ଯାଏ ଆସେ ନାଇଁ
ମୁଁ ତ ବାହାରିଲିଣି ହେବାପାଇଁ କଥାବାର୍ତା
ଆଗାମୀ ଦିନର,
ସ୍ୱାମୀ ପରି ଆଉଜଣେ
ମୁଁ ଫାଙ୍କି ପାରିବି ନାଇଁ ତାଙ୍କର ସାନ୍ନିଧ୍ୟ
ଯିଏ ମୋତେ କରିଚି ଅପେକ୍ଷା
ପଲକ ପଡୁନଥିବା ଚାହାଣୀ ଫାଂକରେ,
ଶୀର୍ଣ୍ଣ ହେଇଯାଉ ପଛେ ଦୀର୍ଘକାୟ ଶରୀର ପାଚେରୀ
ଖସିଯାଉ ପଛେ ଦେହ ଦେଉଳରୁ
ଖଣ୍ଡେଅଧେ ସୁବର୍ଣ୍ଣର ଇଟା ଆଉ ସିମେଣ୍ଟ ସଂପର୍କ ।
………………………….
କବି ଦିବ୍ୟସିଂହ ଦାସ ଅଧିକାରୀ (ଜନ୍ମ ୧୯୫୫) ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ସମକାଳୀନ ଓଡ଼ିଆ କାବ୍ୟ ଧାରାରେ ଏକ ପରିପୃଷ୍ଠ ଉଚ୍ଚାରଣ । ‘ନଈ ବି କହୁଚି କଥା’, ‘ପଦ୍ମପୋଖରୀ’, ‘ଘନିଷ୍ଠ ସମୟ’, ‘ଏବେ ଏମିତି’, ‘ସବୁଠି ଶୋଷ’ ଓ ‘ଅଧିକାରୀ ପୃଥିବୀ’ ନାମରେ ତାଙ୍କର ୬ଗୋଟି କବିତା ପୁସ୍ତକ ପ୍ରକାଶିତ ଏବଂ ‘ଗୀତରେ ଗୀତରେ ଅଧିକାରୀ’ ଓ ‘ପାଖାପାଖି’ ନାମରେ ଦୁଇଟି ଗୀତି କବିତା ସଂକଳନ ପ୍ରକାଶିତ । ସେ ଓଡ଼ିଆ କବିତାର ଜଣେ ମନନଶୀଳ ଆଲୋଚକ ମଧ୍ୟ ।
Comments are closed.