Latest Odisha News

BREAKING NEWS

ଅନ୍ତିମ ଯାତ୍ରାରେ ବିଷ୍ଣୁ ଦାସ, ବିଧାନସଭା ଓ ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଚିର ନିଦ୍ରାରେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ । ଆଜି ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ । ତାପୂର୍ବରୁ ତାଙ୍କ ମର ଶରୀରକୁ ଆଜି ସକାଳେ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଦଳର ବହୁ ତୁଙ୍ଗ ନେତା ତାଙ୍କୁ ଶେଷ ଦର୍ଶନ କରିଥିଲେ । ଦିବଂଗତ ନେତାଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି ।

ବିଜେଡି କାର୍ଯ୍ୟାଳୟରୁ ପାର୍ଥିବ ଶରୀର ବିଧାନସଭା ପରିସରରେ ପହଞ୍ଚିଥିଲା । ସେଠାରେ ବିଷ୍ଣୁ ଦାସଙ୍କ ଅନ୍ତିମ ଦର୍ଶନ କରିଥିଲେ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅରୁଣ ସାହୁ ଓ କିଛି ବିଧାୟକ । ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭୁବନେଶ୍ୱରରୁ ମର ଶରୀରକୁ ପ୍ରଥମେ ତିର୍ତ୍ତୋଲ ଓ ପରେ ଜଗତସିଂହପୁର ନିଆଯିବ । ନିର୍ବାଚନ ମଣ୍ଡଳୀର ଶୁଭେଚ୍ଛୁ, ସମର୍ଥକ, ନେତା, ଦଳୀୟ କର୍ମୀ ଶେଷ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ଜନ୍ମମାଟିରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ ।

ଗତକାଲି ୬୬ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଷ୍ଣୁ ଦାସ । ଦୀର୍ଘଦିନରୁ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ମହଲରେ ଶୋକର ଛାୟା । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.