Latest Odisha News

BREAKING NEWS

ଫେସବୁକରେ ହିରୋ ହୋଇଗଲେ ବିଧାୟକ, ଭାଇରାଲ୍ ହେଲା ରାସ୍ତାକାମ କରୁଥିବା ଫଟୋ

ନବରଙ୍ଗପୁର: ଏବେ ଫେସବୁକ୍ ସମେତ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଓଡ଼ିଶାର ଜଣେ ବିଧାୟକଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ବିଧାୟକ ଜଣକ ତାଙ୍କର ଭଲ କାମ ଲାଗି ଫେସବୁକର ବିଭିନ୍ନ ସୋସିଆଲ୍ ଗ୍ରୁପରେ ଏକରକମ ହିରୋ ପାଲଟିଯାଇଛନ୍ତି । ଫେସବୁକରେ ଏବେ ହିରୋ ପାଲଟିଯାଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଡ଼ାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ମନୋହର ରଣଧାରୀ । ବର୍ଷା ସମୟରେ ହାତରେ କୋଦାଳ ଧରି ମୁଣ୍ଡରେ ପଗଡ଼ି ଭିଡ଼ି ରାସ୍ତାକାମ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ବିଧାୟକ ରଣଧାରୀ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାପଡ଼ାହାଣ୍ଡି ବ୍ଲକରେ ବର୍ଷା ସମୟରେ କ୍ଷେତରେ କାମ କରୁଥିବା କିଛି ମହିଳା ଶ୍ରମିକଙ୍କୁ ବରସାତି ବଣ୍ଟନ କରିବାକୁ ଯାଉଥିଲେ । ଏହି ବିଜୁ ଜନତା ଦଳର ବିଧାୟକ ଜଣକ ସେତେବେଳେ କଣ୍ଟସରାରୁ ଜାବଗୁଡ଼ା ରାସ୍ତାରେ ତାଙ୍କ ଗାଡ଼ିରେ ଯାଉଥିଲେ । ଏହି କଚା ରାସ୍ତାରେ ବର୍ଷାଯୋଗୁଁ ତାଙ୍କ ଗାଡ଼ି ଆଗକୁ ଗଡ଼ିବାରେ ବାଧା ସୃଷ୍ଟି ହେଲା । ସେ ତୁରନ୍ତ ଗାଡ଼ିରୁ ଓହ୍ଲାଇପଡ଼ି ରାସ୍ତାରେ ପାଖରେ ଥିବା ମୋରମ ପକାଇଥିଲେ । ହାତରେ କୋଦାଳ ଧରି ରାସ୍ତାକୁ କିଛିସମୟ ମଧ୍ୟରେ ଚଳନଯୋଗ୍ୟ କରିଦେଇଥିଲେ ବିଧାୟକ । ତାଙ୍କର ଏହି କାର୍ଯ୍ୟକୁ ଦେଖିବାକୁ ରାସ୍ତାରେ କିଛି ବ୍ୟକ୍ତି ପହଞ୍ଚି ପ୍ରଶଂସା ମଧ୍ୟ କରିଥିଲେ, କିଛି ପ୍ରଶଂସକ ତାଙ୍କ କାମକରୁଥିବାର ଫଟୋକୁ ସୋସିଆଲ୍ ମିଡ଼ିଆରେ ଛାଡ଼ିଦେଇଥିଲେ ।

ପ୍ରାପ୍ତ ସୂଚନା ଅନୁସାରେ, ଡ଼ାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ପ୍ରାୟ ୧୦୫ଟିରେ ପକ୍କା ରାସ୍ତା ନାହିଁ କହିଲେ ଚଳେ । ଦେଖିବାକୁ ଗଲେ ମଇଦଳପୁର ପଞ୍ଚାୟତରେ ଥିବା ପ୍ରାୟ ୨୦ଟି ଗାଁ’ର ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି । ରାସ୍ତାଗୁଡ଼ିକ ଏବେ ଚାଲିବାକୁ ଅନୁପଯୁକ୍ତ ବୋଲି ଗ୍ରାମବାସୀ କହିଛନ୍ତି ।

ବିଧାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏହିପରି ଶୋଚନୀୟ ରାସ୍ତାଗୁଡ଼ିକ ତୁରନ୍ତ ମରାମତି ସହିତ ଆବଶ୍ୟକ ପଡ଼ିଲେ ନୂଆ ରାସ୍ତା ନିର୍ମାଣ ଲାଗି ପ୍ରଶାସନିକସ୍ତରରେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.