Latest Odisha News

BREAKING NEWS

ବିଶ୍ୱରେ ୨୪ ନିୟୁତ ଲୋକ ସିଜୋଫ୍ରେନିଆ ରୋଗରେ ପୀଡ଼ିତ: ବିଶେଷଜ୍ଞ

ଭୁବନେଶ୍ୱର: ସିଜୋଫ୍ରେନିଆ ଏକ ମାନସିକ ସମସ୍ୟା ଯାହାକି ମଣିଷକୁ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ କରିଥାଏ । ବିଶ୍ୱରେ ପ୍ରାୟ ୨୪ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ । ପ୍ରତ୍ୟେକ ୩୦୦ ଜଣଙ୍କ ମଧ୍ୟରୁ ଜଣେ ଏହି ସମସ୍ୟା ସହ ଲଢ଼ୁଥିବା ତଥ୍ୟ ସାମ୍ନାକୁ ଆସିଛି । ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ଓ ଇଣ୍ଡିଆନ ସାଇକିଆଟ୍ରିକ୍ ସୋସାଇଟି (ଓଡ଼ିଶା ଶାଖା)ର ମିଳିତ ସହଯୋଗିତାରେ ବୁଧବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ସିଜୋଫ୍ରେନିଆ ଦିବସର ଥିମ୍ ରହିଥିଲା “ସେଲିବ୍ରେଟିଙ୍ଗ ଦ ପାୱାର ଅଫ୍ କମ୍ୟୁନିଟି କାଇଣ୍ଡନେସ୍‌” । ସିଜୋଫ୍ରେନିଆ ଏଭଳି ଏକ ମାନସିକ ଅସୁସ୍ଥତା ଯେଉଁଥିରେ କି ମସ୍ତିଷ୍କର କିଛି ଅଂଶରେ ରାସାୟନିକ ପଦାର୍ଥଗୁଡ଼ିକର ଭାରସାମ୍ୟ ରହି ନଥାଏ ଯାହା ଦ୍ୱାରା କି ମଣିଷର ଚିନ୍ତାଧାରା, ଭାବନା ଓ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରହେ ନାହିଁ । ଏହାଦ୍ୱାରା ମଣିଷର ଉଭୟ ବ୍ୟକ୍ତିଗତ ଓ ସାମାଜିକ ଜୀବନ ବାଧାପ୍ରାପ୍ତ ହେବା ସହ ସେ କାର୍ଯ୍ୟ କରିବାର ଦକ୍ଷତା ହରାଇ ବସିଥାଏ ବୋଲି ବକ୍ତାମାନେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଏହି ସମସ୍ୟାରେ ଜଡ଼ିତ ବ୍ୟକ୍ତିଙ୍କୁ ଏକ ସୁସ୍ଥ ଜୀବନ କାଟିବା ନେଇ ପରିବାର ଓ ସମାଜର ଅନେକ ଦାୟିତ୍ୱ ରହିଥିବା କହିଛନ୍ତି । ଏହି ସମସ୍ୟା ଦ୍ୱାରା କେବଳ ସଂପୃକ୍ତ ବ୍ୟକ୍ତି ନୁହେଁ ମାତ୍ର ସମ୍ପୂର୍ଣ୍ଣ ପରିବାର କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ ଏହି ସମସ୍ୟାରେ ଜଡ଼ିତ ବ୍ୟକ୍ତିଙ୍କର ଯତ୍ନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୁସ୍ଥ ମାନସିକତା ଉପରେ ଗୁରୁତ୍ୱ ଦେଇ ଅଧିକ ଶିକ୍ଷିତ ବ୍ୟକ୍ତି ହିଁ ଏଭଳି ସମସ୍ୟାରେ ପଡ଼ୁଛନ୍ତି ବୋଲି କହିଥିଲେ । ଉନ୍ନତ ପ୍ରଯୁକ୍ତି ବିଦ୍ୟା ଦ୍ୱାରା କିପରି ଏହି ରୋଗ ସହ ଜଡିତ ଭୁଲ ଧାରଣାକୁ ଦୂର କରିହେବ ସେ ଉପରେ ପ୍ରଫେସର ସାମନ୍ତସିଂହାର ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ ଏହି ସମସ୍ୟାକୁ ବଂଶାନୁକ୍ରମିକ କହିବା ସହ ଏହା ଦ୍ୱାରା ମଣିଷର ଭବିଷ୍ୟତ ଉପରେ ପ୍ରଭାବ ପଡ଼େ ବୋଲି କହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମଟି ପ୍ରଫେସର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରଫେସର ସାହୁ ସିଜୋଫ୍ରେନିଆ ସହିତ ଜଡିତ ଅନ୍ଧବିଶ୍ୱାସ ତଥା ଏହା ଦୂର କରିବା ଦିଗରେ ସମାଜର କର୍ତବ୍ୟ ଉପରେ ଆଲୋଚନା କରିଥିଲେ ।
ସମ୍ପୃକ୍ତ ବିଭାଗର ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଏହି ସମସ୍ୟା ସହ ଜଡ଼ିତ ବ୍ୟକ୍ତିଙ୍କର ଚିକିତ୍ସା ଉପରେ ଗୁରୁତ୍ୱ ଦେବା ଉପରେ ଜୋର ଦେଇଥିଲେ । ଏହାକୁ ଏକ କଳଙ୍କ ବୋଲି ନ ଭାବି ରୋଗୀର ଯତ୍ନ ନେବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ସିଜୋଫ୍ରେନିଆକୁ ଅନ୍ୟ ରୋଗ ପରି ସମାନ ଚକ୍ଷୁରେ ଦେଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମରେ ସାଇକିଆଟ୍ରି ବିଭାଗର ଡାକ୍ତର ରାକେଶ ମହାନ୍ତି, ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ଅମୀୟ କୃଷ୍ଣ ସାହୁ, ଡାକ୍ତର ସୋମ୍ୟ ରଂଜନ ଦାଶ, ଡାକ୍ତର ହିରଣ୍ମୟ ମହାପାତ୍ର ନିଜ ନିଜର ଦୃଷ୍ଟିକୋଣ ବ୍ୟକ୍ତ କରିଥିଲେ ।

ବିଭାଗର ସାଇକୋଲୋଜିଷ୍ଟ ଶ୍ରୀମତି ମନିଷା ପଟ୍ଟନାୟକ ତଥା ପିଜି ଛାତ୍ରଛାତ୍ରୀମାନେ କବିତା ଓ ବକ୍ତବ୍ୟ ଦ୍ୱାରା ସିଜୋଫ୍ରେନିଆ ରୋଗର ବିଭିନ୍ନ ଦିଗକୁ ସଭାରେ ଉପସ୍ଥାପିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ଲଗ୍ନଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.