Latest Odisha News

BREAKING NEWS

[ଭିଡିଓ] ବିଦାୟ ବର୍ଷରେ ଓଡ଼ିଶାର କିଛି ସ୍ମରଣୀୟ ବ୍ୟକ୍ତିତ୍ୱ

ଭୁବନେଶ୍ୱର: ବିଦାୟ ନେଉଛି ବର୍ଷ ୨୦୨୧। ବର୍ଷର କେତେ ସ୍ମୃତି ଆଉ କେତେ ଅନୁଭୂତି ରହିଯାଇଛି ଇତିହାସର ଫର୍ଦ୍ଦରେ। ସବୁକୁ ସାଉଁଟି ପାଦ ଦେଉଛି ବର୍ଷ ୨୦୨୨।
ଅନେକ ସଫଳତା ଆଉ ବିଫଳତା ସାଙ୍ଗକୁ ଗର୍ବ ଗୌରବ ସାଉଁଟିଛି ଓଡ଼ିଶା। ବନ୍ୟା ବାତ୍ୟାରୁ ଅନେକ ବିପର୍ଯ୍ୟୟ ସାମନା କରିଛନ୍ତି ଓଡ଼ିଶାବାସୀ। ବର୍ଷରେ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି ଓଡ଼ିଶା।
୨୦୨୧ରେ ସେମିତି କିଛି ବ୍ୟକ୍ତିତ୍ୱଙ୍କୁ ହରାଇ ଝୁରୁଛି ଓଡ଼ିଶା ମାଟି। ସବୁଦିନ ପାଇଁ ସେମାନେ ସ୍ମୃତିର ଫର୍ଦ୍ଦରେ ସାଇତା ହୋଇ ରହିଗଲେ। ସେମିତି କିଛି ବ୍ୟକ୍ତିତ୍ୱଙ୍କୁ ନେଇ ଦେଖିବା କିଛି ଝଲକ ୨୦୨୧ର .. .

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି । ନନ୍ଦ ସାର୍ କହିଲେ ସମସ୍ତେ ତାଙ୍କୁ ଜାଣନ୍ତି। ନନ୍ଦ ସାର ଆଜି ନାହାନ୍ତି ସତ ହେଲେ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବା ।
୧୦୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ହେଲେ ପଦ୍ମଶ୍ରୀ ନନ୍ଦ ସାର୍ ତାଙ୍କ ଜୀବନର ୧୦୪ ବର୍ଷରୁ ୭୫ ବର୍ଷ ସମର୍ପି ଦେଇଥିଲେ ଚାଟଶାଳୀକୁ। ଗାଁର କୁନି କୁନି ପିଲାଙ୍କୁ ମଣିଷ କରିବା ପାଇଁ ସେ ଚାଟଶାଳୀ ପରମ୍ପରା ମାଧ୍ୟମରେ ମାଗଣାରେ ପାଠ ପଢ଼ାଉଥିଲେ।

 

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗାଁର ଗୋଟିଏ କୃଷକ ପରିବାରରେ ଜନ୍ମ ହୋଇଥିଲେ ନନ୍ଦ କିଶାର ପୃଷ୍ଟି। ସ୍ଥାନୀୟ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ୍ କରିବା ପରେ ଅର୍ଥ ଅଭାବରୁ ଆଉ ଅଧିକ ପଢ଼ି ପାରିନଥିଲେ। ଏହାପରେ ବାପାଙ୍କୁ ଚାଷବାସ କାମରେ ସାହାଯ୍ୟ କରିବା ଆରମ୍ଭ କଲେ।

ଅର୍ଥ ଅଭାବରୁ ତାଙ୍କ ପାଠପଢ଼ାରେ ଡୋରି ପଡ଼ିଥିଲା, ହେଲେ ଗାଁର ଅନ୍ୟ ପିଲାମାନଙ୍କ ଭବିଷ୍ୟ ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଥିଲେ ନନ୍ଦ ସାର୍।

୭୫ ବର୍ଷର ଶିକ୍ଷକତା ମଧ୍ୟରେ ପ୍ରାୟ ୪ଟି ପିଢ଼ିକୁ ଅକ୍ଷର ପଢ଼ାଇଛନ୍ତି ନନ୍ଦ ସାର୍। ତାଙ୍କ ପାଖରୁ ପାଠପଢ଼ି ଗାଁ’ର ଅନେକ ପିଲା ଏବେ ବିଭିନ୍ନ ସ୍ଥାନରେ ବହୁ ବଡ଼ ବଡ଼ ପଦବୀରେ ଅଛନ୍ତି। ହେଲେ ଚାଟଶାଳୀ ପାଇଁ ନନ୍ଦ ସାର୍ କେବେ କାହଠାରୁ ପଇସା ନେଇନାହାନ୍ତି।

ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ଲାଗି ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ନନ୍ଦ ସାର୍।

ସାହିତ୍ୟିକ ମନୋଜ ଦାସ: ସେ ଅନନ୍ୟ । ତାଙ୍କ କୃତି ଅଦ୍ବିତୀୟ, ତାଙ୍କ ସୃଜନୀ ଅମର । ସେ ଆଉ କେହି ନୁହନ୍ତି l ସେ ହେଉଛନ୍ତି ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । ଓଡିଆ ସାହିତ୍ୟ ତଥା ଭାରତ ସାହିତ୍ୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ବହୁ କାଳଜୟୀ ଉପନ୍ୟାସ, ଗଳ୍ପ, କ୍ଷୁଦ୍ର ଗଳ୍ପ, ସ୍ତମ୍ଭର ରଚୟିତା ଥିଲେ ମନୋଜ ଦାସ । ତାଙ୍କ ଦ୍ବାରା ପ୍ରକାଶିତ ଉପନ୍ୟାସ ଆକାଶର ଇସାରା , ଅମୃତ ଫଳ , କନକ ଉପତ୍ୟକାର କାହାଣୀ ଆଦି ରହିଛି ।

 

୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ବର ଜିଲ୍ଲା ଶଙ୍ଖାରୀ ଗାଁରେ ଜନ୍ମ ଗ୍ରହଣ କରିଥିଲେ ମନୋଜ । ମନୋଜ ଦାସ ଏକାଧାରାରେ ଜଣେ ସାହିତ୍ୟିକ, ସମ୍ପାଦକ ଏବଂ ସ୍ତମ୍ଭକାର । ଓଡିଆ ସାହିତ୍ୟ ତଥା ଭାରତ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ସାହିତ୍ୟ ପ୍ରତି ଏକାଗ୍ରତା, ଭଲପାଇବା ଏବଂ ଅବଦାନ ପାଇଁ ୨୦୦୧ ମସିହାରେ ପଦ୍ମଶ୍ରୀ ଏବଂ ୨୦୨୦ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

୨୦୨୦ ମସିହାରେ କଳିଙ୍ଗ ଲିଟେରାରୀ ଆଓ୍ବାର୍ଡରେ ସମ୍ମାନୀତ ହୋଇସାରିଛନ୍ତି । ଅନେକ କାଳଜୟୀ ଉପନ୍ୟାସର ସ୍ରଷ୍ଟା ହେଉଛନ୍ତି ସାହିତ୍ୟିକ ମନୋଜ ଦାସ ।

ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର: ଅଚାନକ ଦ୍ୱିତୀୟ କୋଣାର୍କକୁ ନେଇ ସାରା ଦେଶରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ପ୍ରଖ୍ୟାତ ଓଡ଼ିଆ ସ୍ଥପତି ଦ୍ୱିତୀୟ ସୂର୍ଯ୍ୟମନ୍ଦିର ନିର୍ମାଣ କରିବେ ବୋଲି ଘୋଷଣା କରିବା ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା । ଏପରି ଦୁର୍ବାର ସ୍ୱପ୍ନ ଦେଖିଥିବା ସ୍ଥପତି ଅନ୍ୟ କେହି ନଥିଲେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କ ମୂଳ ସୂର୍ଯ୍ୟମନ୍ଦିରର ସ୍ଥାପତ୍ୟ ଓ କଳାନୈପୁଣ୍ୟରେ ପୁଣି ବିଶ୍ୱକୁ ଉଦଭାଷିତ କରିବା ଥିଲା ତାଙ୍କର ଅସଲ ଉଦ୍ଦେଶ୍ୟ। ହେଲେ କୋଣାର୍କ ପରି ତାଙ୍କ ଦ୍ୱିତୀୟ କଣାର୍କର ସ୍ୱପ୍ନ ମଧ୍ୟ ଅଧୁରା ରହିଗଲା।

କୋଭିଡରେ ଆକ୍ରାନ୍ତ ହୋଇ ୭୮ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

୨୪ ମାର୍ଚ୍ଚ ୧୯୪୩ ପୁରୀ ପଥୁରିଆ ସାହିରେ ସ୍ଥପତି ଦାମୋଦର ମହାପାତ୍ର ଓ ଶକୁନ୍ତଳା ମହାପାତ୍ରଙ୍କ କୋଳ ମଣ୍ଡନ କରିଥିଲେଏହି ଜନ୍ମଜାତ ସ୍ଥପତି। ଶ୍ରଦ୍ଧାରେ ପିତାମାତା ନାମ ରଖିଥିଲେ ରଘୁନାଥ। ଯାହାଙ୍କୁ ସାରା ବିଶ୍ୱ ଆଜି ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଭାବେ ଜାଣିଛି।
୨୨ ବର୍ଷ ବୟସରେ ୧୯୬୪ ମସିହାରେ ତାଙ୍କୁ ରାଷ୍ଟ୍ରୀୟ ସ୍ଥାପତ୍ୟ କଳା ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଅନନ୍ୟ କଳା ପ୍ରତିଭା ଲାଗି ୧୯୭୬ ମସିହାରେ ତାଙ୍କୁ ଭାରତ ସରକାର ପ୍ରଥମ ଥର ଶୀର୍ଷ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ବର୍ଦ୍ଧିତ କରିଥିଲେ।

ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ । ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ଓ ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ । ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ।

ପଦ୍ମଶ୍ରୀ ଡି.ପ୍ରକାଶ ରାଓ: ସମାଜରେ ଯୁବ ପୀଢ଼ିମାନେ ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ଦେଖନ୍ତୁ ନାହିଁ ବରଂ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜେ ବଡ଼ ହୁଅନ୍ତୁ । ଯୁବ ସମାଜକୁ ଏହି ପରାମର୍ଶ ଦେଉଥିଲେ ପଦ୍ମଶ୍ରୀ ଡି.ପ୍ରକାଶ ରାଓ। ତାଙ୍କର ଏହି ମହାନ ଚିନ୍ତାଧାରା ଆମ ସମସ୍ତଙ୍କ ପାଇଁ ସର୍ବଦା ସ୍ମରଣୀୟ ।

 

ଓଡ଼ିଶାର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଓଡିଶାର ଗୌରବ ଥିଲେ ଏବଂ ଲମ୍ବା ସମୟ ଧରି ନିଜ ବେଉସାରୁ ପଇସା ବଂଚାଇ ସମାଜ ସେବା କରିବାର ଅନନ୍ୟ ସଫଳ ଉଦାହରଣ ତିଆରି କରିଥିଲେ ।

ଏକାନ୍ତ ନିଷ୍ଠା ଓ ପରିଶ୍ରମ ବଳରେ ସ୍ୱର୍ଗତ ରାଓ ସମାଜର ଅସହାୟ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା ସହ ନିଜ ପ୍ରଚେଷ୍ଟାରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରାଉଥିଲେ।

ସ୍ୱର୍ଗତ ରାଓଙ୍କ ଏହି ବଡପଣ ପାଇଁ ସେ ସଦାସର୍ବଦା ଓଡ଼ିଆଙ୍କ ପାଇଁ ପ୍ରେରଣା ହୋଇ ରହିବେ।

ସମାଜରେ ଯୁବପିଢ଼ିମାନେ ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ଦେଖନ୍ତୁ ନାହିଁ ବରଂ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜେ ବଡ଼ ହେବା ସହ ସମାଜରେ ଉଦାହରଣ ହେବାକୁ ସ୍ୱର୍ଗତ ରାଓ ପରାମର୍ଶ ଦେଉଥିଲେ।

ଅଟଳ ବିହାରୀ ପଣ୍ଡା: ପ୍ରଖ୍ୟାତ ଅଭିନେତା, ନାଟ୍ୟକାର, ନିର୍ଦେଶକ, ଗୀତିକାର ତଥା ଔପନ୍ୟାସିକ ଅଟଳ ବିହାରୀ ପଣ୍ଡା । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଜନ୍ମିତ ଅଟଳ ବିହାରୀ ପଣ୍ଡା ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ସମ୍ବଲପୁରୀ ତଥା ଓଡ଼ିଆ ସାହିତ୍ୟ, ମଞ୍ଚ ନାଟକ ସହିତ କଳା ସଂସ୍କୃତି କ୍ଷେତ୍ର ପ୍ରତି ତାଙ୍କ ଅବଦାନ ଅତୁଳନୀୟ।

ଭିମ୍ସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ୮୩ ବର୍ଷ ବୟସରେ ‘ଶଲାବୁଢ଼ା’ର ସିରିଜ୍ର ତିନୋଟି ଯାକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଶୀର୍ଷକୁ ପହଞ୍ଚିଥିବା ଅଟଳ ବିହାରୀ ପଣ୍ଡା ସାଧାରଣରେ ‘ଶଲାବୁଢ଼ା’ ଭାବରେ ପରିଚିତ ଥିଲେ । ୮୩ ବର୍ଷ ବୟସରେ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଶଲାବୁଢ଼ା’ରେ ଅଭିନୟ କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିବା ଅଟଳ ବେଶ୍ ଚଳଚଞ୍ଚଳ ଥିଲେ।

ତାଙ୍କ ଅଭିନୀତ ପରବର୍ତ୍ତୀ ଦୁଇଟି ଚଳଚ୍ଚିତ୍ର ‘ଆଦିମ ବିଚାର ଓ ‘ଶଲାବୁଢ଼ାର ବଦ୍ଲା ଜାତୀୟ ପୁରସ୍କାର ଲାଭ କରିଛି । ସୁନ୍ଦର ସଂଳାପ ଓ ନିଖୁଣ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବା ଅଟଳଙ୍କ ନାଟ୍ୟ ଜୀବନ ଆରମ୍ଭ ହୋଇଥିଲାନାଟ୍ୟ ଜୀବନରେ ସେ ଶହେରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ୬୫ଟି ମଞ୍ଚ, ଯାତ୍ରା ଓ ବେତାର ନାଟକ ରଚନା କରିଛନ୍ତି।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ‘ଶଲାବୁଢ଼ା, ‘ଆଦିମ ବିଚାର ଫିଲ୍ମ ପାଇଁ ସଂଳାପ ମଧ୍ୟ ଲେଖିଥିଲେ।

କାର୍ଟୁନିଷ୍ଟ କିଶୋର ରଥ: ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥ । ୧୯୬୩ରେ ଜନ୍ମିତ କିଶୋର ରଥ ରାଜ୍ୟର ବେଶ୍ ଜଣାଶୁଣା କାର୍ଟୁନିଷ୍ଟ ଭାବେ ପରିଚିତ ଥିଲେ । ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ ପରେ ପେସାଦର ବ୍ୟଙ୍ଗ ଚିତ୍ରକର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କିଶୋରଙ୍କ ଦ୍ୱାରା ରଚିତ ବହୁ ବ୍ୟଙ୍ଗ କବିତା ଓ ଚିତ୍ର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ଦୈନିକ ଖବର କାଗଜ ‘ସମ୍ବାଦ’ରେ ‘କଟାକ୍ଷ’ ଓ ‘ସ୍ପୋର୍ଟାକ୍ଷ’ କାର୍ଟୁନ ଲାଗି କିଶୋର ରଥ ଘରେ ଘରେ ପରିଚିତ ଥିଲେ।

୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ପ୍ରକାଶିତ କାର୍ଟୁନ୍ ସ୍ତମ୍ଭ ‘କଟାକ୍ଷ ’ପାଇଁ କିଶୋର ରଥ ରାଜ୍ୟରେ ଘରେ ଘରେ ପରିଚିତ ହୋଇପାରିଛନ୍ତି ।

Comments are closed.