ନୂଆଦିଲ୍ଲୀ: ଚାରି ଦିନରେ ତୃତୀୟ ଥର ତେଲ ଦର ବଢିଛି । ଆଜି ବିଭିନ୍ନ ସ୍ଥାନରେ ତେଲ ଦର ଭିନ୍ନ ଭିନ୍ନ ଭାବରେ ବଢିଛି । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫ ପଇସା ବୃଦ୍ଧି ହୋଇଛି । ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ତେଲ ଦର ବଢିବା ପରେ ପରେ ଗତକାଲି ଦର ସ୍ଥିର ରହିଥିଲା ଏହାପରେ ଆଜି ପୁଣିଥରେ ଦର ବଢିଛି ।
ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ପଇସା ବୃଦ୍ଧି ପରେ ଯାଥକ୍ରମେ ୯୭ ଟଙ୍କା ୮୧ ପଇସା ଏବଂ ଲିଟର ପିଛା ୮୯ ଟଙ୍କା୦୭ ପଇସା ହୋଇଛି । ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୧୧୨ ଟଙ୍କା ୫୧ ପଇସା ଏବଂ ୯୬ ଟଙ୍କା ୭୦ ପଇସା (ଯଥାକ୍ରମେ ୮୪ ପଇସା ଏବଂ ୮୫ ପଇସା ବୃଦ୍ଧି) । ଚେନ୍ନାଇରେ ୭୬ ପଇସା ବୃଦ୍ଧି ପରେ ପେଟ୍ରୋଲ ମୂଲ୍ୟ ୧୦୩ ଟଙ୍କା ୬୭ ଟଙ୍କା ଏବଂ ଡିଜେଲର ମୂଲ୍ୟ ୯୩ ଟଙ୍କା ୭୧ ଟଙ୍କା ହୋଇଛି । କୋଲକାତାରେ ୮୪ ପଇସା ବୃଦ୍ଧି ସହ ପେଟ୍ରୋଲର ମୂଲ୍ୟ ୧୦୬ ଟଙ୍କା ୩୪ ଟଙ୍କା ଏବଂ ୮୦ ପଇସା ବୃଦ୍ଧି ସହ ଡିଜେଲ ୯୧ ଟଙ୍କା ୪୨ ଟଙ୍କା ହୋଇଛି।
ଉଲ୍ଲେଖଯୋଗ୍ୟ, ୧୩୭ ଦିନର ବ୍ୟବଧାନ ପରେ ମାର୍ଚ୍ଚ ୨୨ରେ ତେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଥିଲା। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଏବେ ଅନ୍ତର୍ଜାତୀୟ ବଜରାରେ ଅଶୋଧିତ ତେଲ ଦର ବୃଦ୍ଧି ହେଉଛି । ଯାହାର ପ୍ରଭାବ ଏବେ ଭାରତୀୟ ବଜାରରେ ପଡୁଛି । ଗତକାଲି ସିଏନଜି ଗ୍ୟାସ ଏବଂ ଏହା ପୂର୍ବରୁ ରୋଷେଇ ଗ୍ୟାସ ଦର ବଢିଛି । ବିରୋଧୀ ଦରଦାମ ବୃଦ୍ଧି ପାଇଁ କେନ୍ଦ୍ର ସରକାରକୁ ଦାୟୀ କରୁଛନ୍ତି ଏବଂ ଟିକସ କମାଇବାକୁ ଦାବି କରିଛନ୍ତି । ସେହିପରି ସାଧାରଣ ଲୋକେ ଦର କିଭଳି କମ୍ ହେବ ସେ ନେଇ ସରକାରଙ୍କୁ ଅନୁରୋଧ କରିଛନ୍ତି ।