Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୬

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନୀଳମାଧଵ ରୂପରେ ନୀଳଗିରି ପର୍ବତରେ, ନିକାଞ୍ଚନରେ ରହି ଶବର ରାଜ ବିଶ୍ୱାବସୁ ଦ୍ୱାରା ପୂଜିତ ହେଉଥିଲେ। କିନ୍ତୁ ଆଦିକବି ସାରଳା ଦାସଙ୍କ ରଚିତ “ମହାଭାରତ “ରେ ସେ ନୀଳଗିରି ଓ ନୀଳସୁନ୍ଦର ଦୁଇଟି ପର୍ବତର କାହାଣୀ କହିଛନ୍ତି।ଏଥିରେ ନୀଳାଚଳରେ ନୀଳସୁନ୍ଦର ପର୍ବତ ଥିବାର ବର୍ଣ୍ଣନା ଦେଇଛନ୍ତି ଏବଂ ନୀଳଗିରି ପର୍ବତ ଦ୍ଵାରକା ନଗରୀ ପାର୍ଶ୍ଵରେ ଥିବାର ଲେଖିଛନ୍ତି ଏବଂ ନୀଳସୁନ୍ଦର ପର୍ବତ ରୁ ନୀଳଗିରି ପର୍ବତ କୁ ହନୁମନ୍ତ ମହାରାଜ ଡେଇଁ ପଡିବାରୁ ତାହା ପାତାଳକୁ ଚାପି ହୋଇ ଯାଇଥିବାର ବର୍ଣ୍ଣନା ଦେଇଛନ୍ତି ।

ଏଥିରୁ ଏତିକି ପ୍ରମାଣ ହେଉଛି ଯେ ଅନନ୍ତ କାଳରୁ ପ୍ରଭୁଙ୍କର ନିତ୍ୟ ବିଜେ ସ୍ଥଳି ଏହି ନୀଳସୁନ୍ଦର ପର୍ବତ ବା ଆଜିର ନୀଳାଚଳ ହିଁ ଥିଲା। ଆଜି ଏହାକୁ ପର୍ବତ ଆଖ୍ୟା ଦେଇ ହେବନି ।ତଥାପି ସାରଳା ଦାସଙ୍କ ବର୍ଣ୍ଣନାକୁ ଆମେ ମାନିବାକୁ ପଡିବ। କାରଣ ସେ ଏହି ନୀଳସୁନ୍ଦର ପର୍ବତର କାୟl କ୍ଷୁଦ୍ର ହେବାର କାରଣ ମଧ୍ୟ ଦେଇଛନ୍ତି। ତାହା ହେଉଛି ସୂର୍ଯ୍ୟଙ୍କ ଶାପ। ନୀଳସୁନ୍ଦର ପର୍ବତ ବୃଦ୍ଧି ପାଇ ସୂର୍ଯ୍ୟଙ୍କ ଗତି ରୋଧ କରିବାରୁ ଏହଁ ଛିଡି ଯିବାର ଶାପ ମିଳିଥିବାର ଯୁକ୍ତି ବି ବାଢିଛନ୍ତି।ସେ ଯାହା ହେଉ ଏହି ନୀଳାଚଳ ଅବା ନୀଳସୁନ୍ଦର ପର୍ବତ ଅତ୍ୟନ୍ତ ଘଞ୍ଚ ଜଙ୍ଗଲରେ ପରିପୂର୍ଣ ନିଶ୍ଚୟ ଥିଲା। କଵି କୃଷ୍ଣ ଦାସ ନିଜ ରଚିତ “ଦେଉଳ ତୋଳା “କାବ୍ୟରେ ଏହାକୁ ଅତ୍ୟନ୍ତ ସୁନ୍ଦର ଭାବରେ ସୂଚାଇଛନ୍ତି। ଲଳିତା ନିଜ ପିତାଙ୍କୁ ସ୍ୱାମୀ ବିଦ୍ୟାପତିଙ୍କ ନୀଳମାଧବ ଦର୍ଶନ ଇଛା କହିବା ପରେ, ବିଶ୍ୱାବସୁ କହିଛନ୍ତି
“ଆଲୋ ଆଲୋ ଲଳିତା ତୁ ମନ୍ଦକୃତ୍ୟ କଲୁ,
ଦିଅଁ ଅଛି ବୋଲି ତାଙ୍କୁ (ବିଦ୍ୟାପତି )କିଂପାଇ କହିଲୁ
ଗୁପତରେ ପୂଜୁଥିଲି ଦେବ ନାରାୟଣ
ଦିଅଁକୁ ଯେ ଲୋଡ଼ା କଲା ଇନ୍ଦ୍ରଦ୍ୟୁମ୍ନ।
* * * ,* *
ଦିଅଁ ଦେଖାଇବି ବାଟ ଦେଖାଇବି ନାହିଁ
ଅନ୍ଧପଟଳ ଗୋଟି ଯେ ମୁଖେ ଥିବ ଦେଇ.(ଦେଉଳ ତୋଳା, କୃଷ୍ଣ ଦାସ )

ଏହି କଥା କହିବାର ତାତ୍ପର୍ଯ୍ୟ ହେଉଛି ଆଜି ଶ୍ରୀକ୍ଷେତ୍ରର ଅବା ଶ୍ରୀମନ୍ଦିରର ସ୍ଥିତି ଦେଖିଲେ ଘୋର ଜଙ୍ଗଲ, ବିପଦ ଶଙ୍କୁଳ
ପରିବେଶରେ ଯେ ସ୍ୱୟଂ ନାରାୟଣ ସ୍ୱରୂପ ନୀଳମାଧବ ପୂଜିତ ହେଉଥିଲେ ; ତାର କଳ୍ପନା କରିବା ଅସମ୍ଭବ। ବୋଧହୁଏ ପ୍ରଭୁଙ୍କର ପୁଣି ସେହି ସବୁଜିମା ମଧ୍ୟରେ ଅବସ୍ଥାନ କରିବାର ଇଛା ଜାଗ୍ରତ ହୋଇଛି। ସେଥିପାଇଁ ଲୀଳାର ପ୍ରକଟ କରାଇ ପରିକ୍ରମା ମାର୍ଗ ଚାରିପଟେ ସୃଷ୍ଟି କରାଉଛନ୍ତି ସବୁଜ ବଳୟ। ସେ ଯାହା ହେଉ ଆଉ ଯୋଜନ ଯୋଜନ ବିସ୍ତୃତ କଳ୍ପ ବଟର ସର୍ଜନା ଅସମ୍ଭବ ହେଲେ ମଧ୍ୟ ଏହା ଯେ ଦିନେ ଥିଲା ତାହା ବିଶ୍ୱାସ ନିଶ୍ଚୟ କରିବାକୁ ପଡ଼ିବ । ପୁଣି ସେହି ଦେଉଳ ତୋଳା କାବ୍ୟରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାପତିଙ୍କ ବାଣୀ :

“ବ୍ରାହ୍ମଣ ବୋଇଲେ ରାଜା ଦେଖିଲି ଯୁକତ,
ବଟତଳେ ଶୋଇଛନ୍ତି ପ୍ରଭୁ ଜଗନ୍ନାଥ,
ତହିଁର ନିକଟେ ଅଛି ରୋହିଣୀର କୁଣ୍ଡ,
କୋଟି କୋଟି ତୀର୍ଥମାନ ହୋଇଛନ୍ତି ରୁଣ୍ଡ ”

ଏବେ ରୋହିଣୀ କୁଣ୍ଡ ବିଲୁପ୍ତ, ବଟବୃକ୍ଷ ସଙ୍କୁଚିତ କିନ୍ତୁ ମୋ ଜଗନ୍ନାଥଙ୍କ ମହିମା ସଂସାରେ ବିସ୍ତାରିତ, ସାରା ଜଗତ ଆଜି ଇଛୁକ ଜାଣିବାକୁ ତାଙ୍କରି ସ୍ୱରୂପ, ତାଙ୍କରି ଲୀଳା, ତାଙ୍କରି ଇତିହାସ, ସେଥିପାଇଁ ତ ଏ ପ୍ରୟାସ। ଆସନ୍ତୁ କରିବା ଆରାଧନା ଶ୍ରୀ ଶଙ୍କରlଚାର୍ଯ୍ୟଙ୍କ ଲିଖିତ ଶ୍ଳୋକରେ :

“ଦୁରାଚାର ସଂସାର ସଂହାର କାରୀ ଭଵ୍ୟତ୍ୟା ସ୍ୱଚାର କୃପlଣ ପ୍ରହରୀ ମୁରାରୀ ଦର୍ଶକାର ଧାରୀ ହ୍ୟକଳକୀ କରୋତୁ ଦ୍ଵିଷlଂ ଧ୍ବଂସନଂ ଵଃକଳ୍କୀ ପଠିନଃ କାମଠ କଟି ନରହରିଃ ଖର୍ବlକୃତି ର୍ରଗବୋ, ରାମ କଂସନିସୂଦନୋ ଦଶବଳ କଳ୍କୀ ଚ ନାରାୟଣ “.

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

 

Leave A Reply

Your email address will not be published.