Latest Odisha News

BREAKING NEWS

PM Modi gifts: ବିଶ୍ୱ ନେତାଙ୍କୁ ଓଡ଼ିଶାର କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ;ଭେଟିଦେଲେ ରୂପା ତାରକସି ଓ ପଟ୍ଟଚିତ୍ର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରିବା ପରେ ଗୁରୁବାର ଦିଲ୍ଲୀ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବିଦେଶ ଯାତ୍ରା ସମୟରେ ବିଶ୍ୱ ନେତାଙ୍କ ପାଇଁ ଅନେକ ଅନନ୍ୟ ଉପହାର ମଧ୍ୟ ସାଙ୍ଗରେ ନେଇଥିଲେ। ଏହି ଉପହାର ମଧ୍ୟରେ ଭାରତର ହସ୍ତତନ୍ତ, ଆଦିବାସୀ ଚିତ୍ରକଳା, ଶାସ୍ତ୍ରୀୟ ସଂଗୀତ ସଙ୍କଳନରୁ ଆରମ୍ଭ କରି ବିରଳ କୃଷିଜାତ ଦ୍ରବ୍ୟ, ଜିଆଇ ଟ୍ୟାଗ ଥିବା ହସ୍ତଶିଳ୍ପ ଏବଂ ଐତିହ୍ୟ ସମ୍ପନ୍ନ କଳାକୃତି ରହିଛି । ତେବେ ଏହି ଉପହାରରେ ଓଡିଶାର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର ଓ ରୂପା ତାରକସି କଳାକୃତି ବି ସାମିଲ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ନରୱେ ଗସ୍ତରେ ରାଜଧାନୀ ଓସ୍ଲୋରେ ରାଜା ହାରାଲ୍ଡ ଭି ଏବଂ ମହାରାଣୀ ସୋନଜାଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଜାଙ୍କୁ ତାରକସିର ଏକ ପାଲଟଣା ଜାହାଜର ପ୍ରତିକୃତି ଓ ମହାରାଣୀ ସୋନଜାଙ୍କୁ ଏକ ଅତ୍ୟନ୍ତ ସୁନ୍ଦର ଓ ପାରମ୍ପାରିକ ପଟ୍ଟଚିତ୍ର ଉପହାର ଦେଇଥିଲେ ।

 

ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ X ରେ ଲେଖିଛନ୍ତି, “ଓଡ଼ିଶାର ଦୁଇଟି ସବୁଠାରୁ ପରିଚିତ କଳା ଏପରି ଏକ ଗୌରବମୟ କୂଟନୀତିକ ଅବସରର ଅଂଶ ହେବା, ଭାରତର ଐତିହ୍ୟ ପ୍ରତି ବଢୁଥିବା ବିଶ୍ୱସ୍ତରୀୟ ସ୍ୱୀକୃତିର ଏକ ଦୃଢ଼ ପ୍ରମାଣ। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ସେହି କାରିଗରମାନଙ୍କ ପାଇଁ ଗର୍ବର ମୁହୂର୍ତ୍ତ, ଯେଉଁମାନଙ୍କ ହାତରେ ପରମ୍ପରାର ପ୍ରାଚୀନ କଳା ପିଢ଼ୀ ପରେ ପିଢ଼ୀ ଜୀବନ୍ତ ରହି ଆସିଛି ଏବଂ ଯାହାଙ୍କ ସୃଷ୍ଟି ଏବେ ବିଶ୍ୱ ସହ କଥା ହେଉଛି। ଓଡ଼ିଶା ମାଟିର ଆତ୍ମାକୁ ବିଶ୍ୱ ମଞ୍ଚକୁ ନେଇ ତାହାର ଜୀବନ୍ତ ପରମ୍ପରାକୁ ବିଶ୍ୱନେତାମାନଙ୍କ ହାତରେ ପହଞ୍ଚାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଶା କୃତଜ୍ଞତା ଜଣାଇଛି।”

Leave A Reply

Your email address will not be published.