ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୫
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଗାନ ଅବସରରେ ଆମେ ପିଣ୍ଡ -ବ୍ରହ୍ମlଣ୍ଡ ତତ୍ତ୍ୱକୁ ଭିତ୍ତି କରି “ଗଜ ନିସ୍ତାରଣ “ବିଷୟ ଆଲୋଚନା କରିବା ଜାରି ରଖିଛେ। ପ୍ରଥମ ପର୍ଯାୟରେ ଗଜ ଓ କୁମ୍ଭୀରଙ୍କ ପରିଚୟ ପାଇଛେ ଏବେ “ବୈଶାଖ ବୈଷ୍ଣବୀ ମାସରେ ଲ
ମନରେ ବୈରାଗ୍ୟ ପ୍ରସରେ
ସେଦିନ ତିଥି ଏକାଦଶୀ
ମୌନ ବ୍ରତ ପୂର୍ଣ୍ଣ ଆସି
ଛପନ କୋଟି ଏକ ବ୍ରହ୍ମ
ବିକାର ତେଜି ହେଲା ସମ
ଜୁଆର ପ୍ରବଳ ହୋଇଲା
ଧର୍ମ ବଳ ପ୍ରବଳ ହେଲା
ଆବର କହୁଅଛି ଶୁଣ
ଯଦୁ ନନ୍ଦନ ବାର ଜଣ
ମନକୁ ଇନ୍ଦ୍ରିୟ ଧଇଲା
ଅଜ୍ଞlନ ଜଳେ ବୁଡାଇଲା
ମନ ଚିନ୍ତିଲା ନାରାୟଣ
ଅମନେ ମନକୁ ନେଇଣ
କବି ଅନନ୍ତ ଚରଣ ଦାସଙ୍କ “ଭାଗବତ ତତ୍ତ୍ୱ ପରମାର୍ଥ “ରେ ଗଜ ନିସ୍ତାରଣ ବିଷୟର ଏହି କିଛି ଅଂଶ ପାଠ କଲେ ଜଣାଯାଏ । ମନରୁପି ହସ୍ତି ବା ଗଜକୁ ଇନ୍ଦ୍ରିୟ ରୂପୀ କୁମ୍ଭୀର ଏ ସଂସାର ରୂପକ ଅଗାଧ ଜଳରେ ଧରି ନେଇଛି। ଏହା ଘଟିଛି ଏକ ପବିତ୍ର ଏକାଦଶୀ ତିଥିରେ। ବୈଶାଖ ମାସରେ, ଏଥିରୁ ନିସ୍ତାର ପାଇବା ପାଇଁ ମନ ନାରାୟଣ ଚିନ୍ତା କରୁଛି। କିପରି ଅମନରେ ମନକୁ ନେଇ ଗଜ ରୂପୀ ମନ। ପ୍ରଭୁଙ୍କର ଚିନ୍ତାରେ ଅଛି ତାହା ଆଗାମୀ ଚର୍ଚ୍ଚା ସମୟରେ ଜାଣିବା। ଏବେ ଦେଖିବା ଭାଗବତ ବର୍ଣ୍ଣନା :
“ନିଦାଘ କାଳେ ଶୀତ ଜଳେ
କ୍ରୀଡା କରନ୍ତି ହସ୍ତୀ ବରେ
ଶବଦ ଶୁଭେ ଉଛୁଳିତ,
ଯେମନ୍ତେ ଜିମୂତ ଗର୍ଜିତ,
ଅଗାଧ ଜଳେ ଗ୍ରାହ ଥିଲା
ଜଳେ ଶବଦ ସେ ଶୁଣିଲା
ବେଗେ ଧାଇଁଲା କୋପ ମନେ
ମିଳିଲା ଗଜ ସନ୍ନିଧାନେ
କେହି ନଦେଖି ତାକୁ ଜଳେ
କୁମ୍ଭୀର ଅତି କୋପାନଳେ
ଧଇଲା ଗଜପତି ପାଦ
ଶବଦ କରି ଘୋର ନାଦ ।
ଏହି ବର୍ଣନା ସ୍ଥୁଳ ରୂପରେ ଏକ ଗଜ ଓ କୁମ୍ଭୀର ର ଆଖ୍ୟାନ, କିନ୍ତୁ ପୂର୍ବ ବର୍ଣନା ସୁକ୍ଷ୍ମ ରୂପେ ମନ (ହସ୍ତୀ )ଓ ଇନ୍ଦ୍ରିୟ (କୁମ୍ଭୀର )ମଧ୍ୟରେ ସଂଘର୍ଷର ଚିତ୍ର। ମନ ନାରାୟଣ ମନସ୍କ ହୋଇ ପାରୁନି। କାରଣ ସର୍ବଦା ଇନ୍ଦ୍ରିୟ ଲାଳସା କୁମ୍ଭୀର ରୂପରେ ତାର ପାଦକୁ ଟାଣି ଧରୁଛି। ଯେପରି ସାଧାରଣ ଭାବରେ ସ୍ଥଳ ଭାବରେ ସବୁଠାରୁ ଶକ୍ତିଶାଳୀ ଜୀବ ହସ୍ତୀ ମଧ୍ୟ ଅଗାଧ ଜଳ ମଧ୍ୟରେ କୁମ୍ଭୀର ପାଖରେ ଶକ୍ତି ହୀନ ହୋଇଛି। ସେହିପରି ଭବଜଳରେ ମନ, ଇନ୍ଦ୍ରିୟ ଲାଳସା ପାଖରେ ପରାହତ ହୋଇଛି, କିନ୍ତୁ ଅମନରେ ମନ ସ୍ଥାପନ କରି, କରୁଛି ପ୍ରଭୁ ଚିନ୍ତନ। ଅହରହ ମନ ଓ ଇନ୍ଦ୍ରିୟ ମଧ୍ୟରେ ସଂଘର୍ଷ ଚାଲିଛି, ଯେଭଳି ଘୋର ଯୁଦ୍ଧ ଚାଲିଥିଲା ଗଜ ଓ କୁମ୍ଭୀର ମଧ୍ୟରେ ସହସ୍ର ବର୍ଷ, ଆଗାମୀ ସମୟରେ ତାହାର ଆଲୋଚନା କରିବା। ବର୍ତ୍ତମାନ ଆରାଧନା
“ତୁ ବ୍ରହ୍ମl, ରୁଦ୍ର, ବିଷ୍ଣୁ ତୁହି
ତୋ ବିନୁ ଅନ୍ୟ ଗତି ନାହିଁ.
ସୃଷ୍ଟି ତୋହର ଖେଳ ଘର
ଅଶେଷ ମାୟା ତୋ ଆବର
ତୋହର ନିଶ୍ୱାସ ମରୁତ
ଦେବେ ହୋଇଲେ ତହୁଁ ଜାତ। “
ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )