Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୭ 

 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ବ୍ରହ୍ମାଣ୍ଡର କର୍ତ୍ତାଙ୍କ ପ୍ରତ୍ୟେକଟି ଲୋମ କୂପରେ  ମାଲମାଳ ହୋଇ ବ୍ରହ୍ମାଣ୍ଡ  ବିରାଜମାନ କରୁଛି ।ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ ଦର୍ଶନ ସମୟରେ ପ୍ରମାଣିତ ହୋଇଛି ।ଏପରି ବର୍ଣ୍ଣନା ମଧ୍ୟ ଅଛିଯେ, ଶ୍ରୀଜଗନ୍ନାଥଙ୍କ ମସ୍ତକ ହେଉଛି ଅମ୍ବର, ଚକ୍ଷୁ ହେଉଛନ୍ତି ସୂର୍ଯ୍ୟ ଓ ଚନ୍ଦ୍ର, କଟି ହିମାଦ୍ରୀ, ପୟର ପାତାଳ, ନାଶା ଅଣଚାଶ ପବନ ।

ଏଭଳି ଅନେକ ଉପମାର ଅଧିକାରୀ ଶ୍ରୀଜଗନ୍ନାଥ ସଜ୍ଜନମାନଙ୍କ ବାନ୍ଧବ ଓ ଦୁର୍ଜନମାନଙ୍କର ଯମ ଅଟନ୍ତି । ସେ ହିଁ ସ୍ଥାବର ଜଙ୍ଗମ, ଅଣୁ ପରମାଣୁ, ଜଳ ସ୍ଥଳ ଆକାଶ ସବୁଠାରେ ବ୍ୟାପ୍ତ । କବି ଦିନକୃଷ୍ଣଙ୍କ ଭାଷାରେ “କୋଟି ବ୍ରହ୍ମlଣ୍ଡ ପ୍ରଭୁ ଜଗନ୍ନାଥ, କରନ୍ତି ପୁର୍ଣ ପ୍ରାଣୀ ମନୋରଥ “

କଥିତ ଅଛି ଘୋର ତମସାଛନ୍ନ ଚିଦାକାଶରେ ପ୍ରଣବ (ଓଁ )ତଥା ସପ୍ତ ବ୍ୟାହୃତିର ପରିପ୍ରକାଶ ଘଟିବା ପରେ ପରମାତ୍ମା ପରମେଶ୍ୱର ଙ୍କ ବହୁହେବାର ସଂକଳ୍ପ ଜାତ ହେଲା, ଯାହାର ପ୍ରମାଣ ସ୍ୱରୂପ ସୃଷ୍ଟି ହେଲା ଅସଂଖ୍ୟ ବ୍ରହ୍ମାଣ୍ଡ । ଋଗ ବେଦରେ ବର୍ଣ୍ଣିତ ହୋଇଛି “ସୀମା ସତ୍ୟୋକ୍ତି ପାରିପାତୁ ବିଶ୍ୱତୋ ଦ୍ୟାନୀ ଚ ଯତ୍ର ତତନ୍ନହାନି, ବିଶ୍ୱମନ୍ୟଂ ନିବିଷତେ ଯଦେଦତି ବିଶ୍ୱାହlପୋ ବିଶ୍ୱାହୋଦେତି ସୂର୍ଯ୍ୟ ।”

ଅର୍ଥାତ ଯେଉଁ ସତ୍ୟୋକ୍ତି ଦ୍ୱାରା ପୃଥିବୀ, ଅନ୍ତରୀକ୍ଷ , ନିଖିଳ ପ୍ରାଣୀ ଜଗତ ସୃଷ୍ଟି, ଯେଉଁ ସତ୍ୟୋକ୍ତି ଠାରୁ ଜଡ଼ ଜଗତର ସୃଷ୍ଟି ତଥା ସୃଷ୍ଟି ପାଳନ ଓ ପ୍ରଳୟର ଏହି କର୍ତ୍ତା ସୂର୍ଯ୍ୟ ଉଦୟ ଅସ୍ତର କାରଣ ହୋଇ ଏ ସମଗ୍ର ବ୍ରହ୍ମlଣ୍ଡକୁ ସତତ ରକ୍ଷା କରନ୍ତୁ । ସତ୍ୟୋକ୍ତିର ଏହି ସ୍ପନ୍ଦିତ ଅବସ୍ଥା ହିଁ ବିଶ୍ଵଜଗତ ଓ ସଗୁଣ ବେଦ । ଏହାର ତାରଣ କର୍ତ୍ତା କେବଳ ଶ୍ରୀ ଜଗନ୍ନାଥ। ଆସନ୍ତୁ ଗାଇବା ଭକ୍ତ କବିଙ୍କ ରଚନା “କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.