ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚୂଡ଼ାରେ ଶୋଭା ପାଉଥିବା ନୀଳଚକ୍ରଙ୍କ ସ୍ୱରୂପ, ଇତିହାସ, ତଥା ମହିମା ବିଷୟରେ ଅନେକ କିଛି ଜାଣି ସରିଲା ପରେ ଏବେ ଏକ ଅଘଟଣ ବିଷୟରେ ଜଣାଉଛି। କାରଣ ଆମେ ଜାଣିଛେ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ନଥିଲେ ମହାପ୍ରଭୁଙ୍କର କୌଣସି ନୀତି କାନ୍ତି ହୁଏନି। କିନ୍ତୁ ଐତିହାସିକ ତଥା ଗବେଷକ କେଦାରନାଥ ମହାପାତ୍ରଙ୍କ ତଥ୍ୟ ଅନୁସାରେ ଗଜପତି ଦିବ୍ୟସିଂହ ଦେବଙ୍କ ନଅ ଅଙ୍କରେ ଅର୍ଥାତ ୧୬୯୪ ମସିହା ଅକଟୋବର ମାସ ୬ ତାରିଖରେ ଏକ ଭୟଙ୍କର ଝଡ଼ ତୋଫାନରେ ନୀଳଚକ୍ର ଉପୁଡି ପଡି ଭଣ୍ଡଗଣେଶ ମନ୍ଦିର ସମୁଖରେ ପଡ଼ିଥିଲେ। କିଛିକାଳ ଏହି ବିଶାଳ ନୀଳଚକ୍ରଙ୍କୁ ପୁନଃ ପ୍ରତିଷ୍ଠା କରିବା ସମ୍ଭବ ହୋଇ ନଥିଲା। ପୁନଶ୍ଚ ସେହି ଦିବ୍ୟସିଂହ ଦେବଙ୍କ ୩୩ ଅଙ୍କ ମକର ୨୮ ଦିନ ନୀଳଚକ୍ର ମନ୍ଦିର ଚୁଡାରେ ଶୋଭା ପାଇଲେ।
ଏଠାରେ ଦୁଇଟି ମତ ଦେଖାଯାଏ, ମାଦଳାପାଞ୍ଜି ଅନୁଯାୟୀ ପରମାନନ୍ଦ ପଟ୍ଟନାୟକଙ୍କ ପୁଅ ଧରମୁ ହରିଚନ୍ଦନ ମହାପାତ୍ର ନୂଆ ନୀଳଚକ୍ରଙ୍କୁ ବସାଇଥିଲେ । ଏହାର ଆଉ ଏକ ପ୍ରମାଣ ହେଲା ସ୍ୱୟଂ ନୀଳଚକ୍ରର କେନ୍ଦ୍ର ଗୋଲାକାର ଚକ୍ରରେ ଉଲ୍ଲେଖ ଥିବା ତଥ୍ୟ “ଦିବ୍ୟସିଂହ ଦେବ ମହାରାଜଙ୍କ ୩୩ ଅଙ୍କ ମକର ୨୮ ଦିନେ ଶ୍ରୀନୀଳଚକ୍ର ତିଆରି ହୋଇଣ ବଡ଼ ଦେଉଳ ବିଜେ ହୋଇଲେ ।” କିନ୍ତୁ ଆଉ ଏକ ଉଲ୍ଲେଖ କୁହେ “ଶ୍ରୀ ମୁକୁନ୍ଦ ଦେବ ମହାରାଜ ଙ୍କ ୧୩ ଅଙ୍କ ଧନୁ ୧୪ ଦିନ ଏହା ମରାମତି ହେଲା “ସେ ଯାହା ହେଉ କିନ୍ତୁ ପ୍ରଥମ ତଥ୍ୟଟି ଅଧିକ ଗ୍ରହଣୀୟ ହୁଏ।ତେଣୁ ଏହି ନୂତନ ନୀଳଚକ୍ର ଅନେକ ବିଶିଷ୍ଟ ଗୁଣ ଧାରଣ କରିଥିବାର ପ୍ରମାଣ ମିଳି ସାରିଛି। ଆମେରିକାର ଏକ ବୈଜ୍ଞାନିକ ପତ୍ରିକା ଆଧାରରେ ପ୍ରଫେସର ଗୌରୀ କୁମାର ବ୍ରହ୍ମl କହିଛନ୍ତି । ଆମେରିକାର ଜଣେ ବୈଜ୍ଞାନିକ ଭାରତର ସମୁଦ୍ର କୂଳବର୍ତ୍ତୀ କୌଣସି କ୍ଷେତ୍ରରୁ ଏକ ଉଜ୍ୱଳ ନୀଳ ରଶ୍ମି ବିଛୁରିତ ହେଉଥିବାର ଲକ୍ଷ୍ୟକରି ଗବେଷଣା ଆରମ୍ଭ କରିଥିଲେ। ଦୀର୍ଘ ଗବେଷଣା ପରେ ଜଣାପଡିଲା ଯେ ଏହା ଶ୍ରୀମନ୍ଦିର ଚୂଡ଼ାରେ ସ୍ଥାପିତ ନୀଳଚକ୍ର ରୁ ଉତ୍ପନ୍ନ ନୀଳ ରଶ୍ମି ଅଟେ। ଏହାର ପ୍ରମାଣ ନିକଟରେ ମଧ୍ୟ ମିଳିଛି ଅନେକ ବାତ୍ୟା ସମୟରେ ଏହି ନୀଳ ରଶ୍ମି ବାତ୍ୟାକୁ ଗତି ପଥ ବଦଳାଇବାକୁ ବାଧ୍ୟ କରିଥିବାର ଅନୁମାନ କରାଯାଏ। ହୁଏତ ସେହି ସମୟରେ କେଉଁ ଲୁକାୟିତ ଭକ୍ତଟିଏ ଆତୁରରେ ଡାକ ଦିଏ ହେ ମହାବାହୁ ରକ୍ଷାକର ଆଉ ଭାବରେ ଗାଇ ଉଠେ ।
“ପତିତପାବନ ବାନା ଆଉ କେତେ ବେଳକୁ, ଭାସିଗଲି ଭବ ଜଳେ, ନାବ ଦିଅ କୂଳକୁ ।” ସେହିପରି ବାତ୍ୟା ସମୟରେ ଯଦି ପତିତପାବନ ବାନାରେ ଶୂନ୍ୟ ଗ୍ରନ୍ଥି ହୋଇଯାଏ (ଏହି ନିକଟରେ ଘଟିଥିଲା )ତେବେ ତାହା ଆଶୀର୍ବାଦ ପାଲଟିଥାଏ। ଏହି ଶୂନ୍ୟ ଗ୍ରନ୍ଥି ସିକ୍ତ ଜଳ ଗର୍ଭିଣୀଙ୍କୁ ପିଆଇଲେ ଗର୍ଭ କଷ୍ଟ ଦୂର ହୁଏ। ତେଣୁ ଏତିକି କହିବି ସେହି ଇଚ୍ଛାମୟଙ୍କ କୃପାରେ ସବୁ ଅଶୁଭ, ସବୁ ଅସମ୍ଭବ, ଶୁଭ ଓ ସମ୍ଭବ ହୋଇଯାଇଛି ହେଉଛି ଓ ଆଗକୁ ହେଉଥିବ ମଧ୍ୟ। କେବଳ ହୃଦୟର ଭକ୍ତି ଓ ନିରୋଳା ଭାବ ଦରକାର। ଆସନ୍ତୁ କରିବା ଆରାଧନା ।
ଆତ୍ମା ପରମହଂସ ରୂପେ
ନିତ୍ୟ ବସଇ ନାନା ବୃକ୍ଷେ
ଏ ଆତ୍ମା ବ୍ରହ୍ମ ସୁକ୍ଷ୍ମ ସାର
ନିର୍ମଳ ନିତ୍ୟ ନିରାକାର
ଏଣୁ ଏ ଦୁଃଖ ସୁଖ ପାଇ
ଏ ଅନୁମାନ ନ ଘଟଇ
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )