Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୪

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଏପରି ଯେ ସେ ନିଜର ପ୍ରତ୍ୟେକ ପଦାର୍ଥ, ସ୍ଥାନ, ଆସ୍ଥାନ ଓ ବାହନ ଇତ୍ୟାଦିଙ୍କୁ ମଧ୍ୟ ମହିମା ଯୁକ୍ତ କରିଛନ୍ତି । ସେହି କ୍ରମରେ ଆଜି ଜାଣିବା, ପ୍ରଭୂ ବିଜେ କରିଥିବା ରତ୍ନସିଂହାସନଙ୍କ ଇତିହାସ ଓ ମହିମା
ବିଷୟରେ । ଏହି ରତ୍ନସିଂହାସନକୁ ମଧ୍ୟ ରତ୍ନବେଦୀ, ରତ୍ନ ମଣ୍ଡପ, ମହାବେଦୀ, ତଥା ସ୍କନ୍ଦ ପୁରାଣ ଅନୁସାରେ ଏହା ଅନ୍ତର୍ବେଦୀ ବୋଲି ଅଭିହିତ ହୋଇଛନ୍ତି । ଯଥା :

ଅନ୍ତର୍ବେଦୀ ମହାପୁଣ୍ୟl ବିଷ୍ଣୁ ହୃଦୟ ସନ୍ନିଭା ।” ଅର୍ଥାତ ଅତ୍ୟନ୍ତ ପୁଣ୍ୟଯୁକ୍ତ ଏହି ଅନ୍ତର୍ବେଦୀ ବିଷ୍ଣୁଙ୍କ ହୃଦୟ ସ୍ୱରୂପ ହୋଇଥିବାରୁ, ଦେବତାମାନେ ମଧ୍ୟ ଏହା ସମ୍ମୁଖରେ ଦଣ୍ଡାୟମାନ ହୋଇ ସ୍ୱୟଂ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରନ୍ତି । ଯାହା ସେହି ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡ, ପୁରୁଷୋତ୍ତମ ମାହାତ୍ମ୍ୟ ରେ ଏହିପରି ବର୍ଣ୍ଣନା ହୋଇଅଛି । ଯଥା
“ଅନ୍ତର୍ବେଦୀ ତ୍ବୟିଂ ପୁଣ୍ୟା ବାଞ୍ଛତେ ତ୍ରିଦଶୈରପି, ଅତ୍ରସ୍ଥିତାଂ ହି ପଶ୍ୟନ୍ତି ସର୍ବାଂ ଶ୍ଚକ୍ରାବଜ ଧାରିଣ ।” ଅର୍ଥାତ ତ୍ରିରାବ୍ରତ୍ତ (ଦକ୍ଷିଣାବର୍ତ୍ତ )ଶଙ୍ଖର ନାଭି ଦେଶରେ ଏହି ରତ୍ନସିଂହାସନ ବିଦ୍ୟମାନ । ଏଣୁ ଏହା ସମଗ୍ର ବ୍ରହ୍ମlଣ୍ଡର ପବିତ୍ରତମ ସ୍ଥାନ ଅଟେ । ଏହା କୌଣସି ରତ୍ନ ଦ୍ୱାରା ନିର୍ମିତ୍ତ ହୋଇ ନାହିଁ । କିନ୍ତୁ ଏହାରି ଉପରେ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା
ଶ୍ରୀ ସୁଦର୍ଶନଙ୍କ ସହ ଶ୍ରୀଦେବୀ, ଭୂଦେବୀ ଓ ମାଧବ ବିରାଜମାନ କରି ଥିବାରୁ ସମଗ୍ର ବିଶ୍ୱରେ ଏହା ଭକ୍ତ ହୃଦୟରତ୍ନ ହିସାବରେ ବିବେଚିତ ହୁଏ ଓ ନାମ ପାଇଯାଏ “ରତ୍ନ ସିଂହାସନ ” ।

ଶିଳ୍ପ ଶାସ୍ତର ବିଧାନ ଅନୁସାରେ ପ୍ରତ୍ୟେକ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରିବା ସମୟରେ କିଛି କିଛି ମୂଲ୍ୟବାନ ଧାତୁ ତଥା ରତ୍ନ ବିଗ୍ରହମାନଙ୍କ ବିଜେସ୍ଥଳୀ ବା ବେଦୀର ଗର୍ଭରେ ପ୍ରୋଥିତ କରି । ତା ଉପରେ ବେଦୀ ଅବା ପୀଠ ନିର୍ମିତ୍ତ ହୁଏ । ଶ୍ରୀକ୍ଷେତ୍ରରେ ଜନଶ୍ରୁତି କହେ ଶ୍ରୀଜଗନ୍ନାଥଙ୍କ ଏହି ରତ୍ନବେଦୀ ଏକ ଲକ୍ଷ ଜୀବନ୍ତ ଶାଳଗ୍ରାମଙ୍କୁ ଗର୍ଭରେ ଧାରଣ କରି ନିର୍ମିତ୍ତ ହୋଇଛି । ଏହାର ସତ୍ୟତା ତଥା ଇତିହାସ ଜାଣିବା ଆଗାମୀ ଅଧ୍ୟାୟରେ । ବର୍ତ୍ତମାନ ଆରାଧନାର ସମୟ । ଆସନ୍ତୁ ତେବେ ଗାଇବା :-

ଏ ଜୀବ ସାଧୁ ସଙ୍ଗ ବିନୁ
ଲଭି ନପାରେ ମୋର ତନୁ
ସର୍ବ କୁସଙ୍ଗ ଦୋଷ ହରେ
ଯେ ନିତ୍ୟ ସାଧୁ ସଙ୍ଗ କରେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.