Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ଚମକି ଉଠିଲେ ସୁଲୋଚନା। ସୁନ୍ଦର ନୟନ ଦୁଇଟି ତାଙ୍କର ଆହୁରି ବଡ଼ ବଡ଼ ହୋଇଗଲା। ବିସ୍ମିତା ସୁଲୋଚନା ନିର୍ବାକ୍। ଇନ୍ଦ୍ରଜିତ କହିଲେ, ” ହନୁମାନ ନାମକ ବାନର କେଉଁଠୁ ଆସି ଆମର ଫଳ ବଗିଚାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି। ଅକ୍ଷୟ କୁମାର ଯାଇଥିଲେ ତାକୁ ଧରିବା ପାଇଁ ମାତ୍ର ସେହି ଦୁଷ୍ଟ ବାନର ହାତରେ ସେ ବୀରଗତିକୁ ପ୍ରାପ୍ତ ହେଲେ। ”

” ପରନ୍ତୁ.. ପରାକ୍ରମୀ ଅକ୍ଷୟ କୁମାରଙ୍କୁ ଛାର ଏକ ବାନର କିପରି ବଧ କରି ପାରିବ ? ସେ ବାନର ଆମର ସୁରକ୍ଷିତ ଲଙ୍କା ନଗରୀ ମଧ୍ୟକୁ ପ୍ରଵେଶ ବା କିପରି କରି ପାରିଲା ? ” ବିଶାଳ ସମୁଦ୍ର ଘେରା ଲଙ୍କା ନଗରୀ। ଚତୁଃପାର୍ଶ୍ଵରେ ଗଡ଼ଖାଇ। ଯୋଜନ ଯୋଜନ ପର୍ଯ୍ୟନ୍ତ ସ୍ଥଳଭାଗ ମଧ୍ୟ ନାହିଁ। ତେବେ .. କିପରି ?? ”

” ତାହା ହିଁ ତ ସବୁଠାରୁ ଆଶ୍ଚର୍ଯ୍ୟର କଥା। ମୋ ସହ ମଧ୍ୟ ସଂଗ୍ରାମ ହେଲା। ତାକୁ ବ୍ରହ୍ମାସ୍ତ୍ରରେ ବାନ୍ଧିଦେଇ ଆସିଛି। କାଲି ପ୍ରଭାତରେ ଲଙ୍କେଶ୍ୱରଙ୍କ ସମ୍ମୁଖରେ ରାଜସଭାରେ ତା’ ଧୃଷ୍ଟତାର ବିଚାର କରାଯିବ। ତୁମେ ବର୍ତ୍ତମାନ ମାତାଙ୍କ ନିକଟକୁ ଯାଅ। ତାଙ୍କୁ ସାନ୍ତ୍ୱନା ପ୍ରଦାନ କର। ମୁଁ ଯାଉଛି ଅକ୍ଷୟ କୁମାରଙ୍କର ଅନ୍ତ୍ୟେଷ୍ଟି କ୍ରିୟା ନିମିତ୍ତ। ”

ସୁଲୋଚନା ଯାହା ଆଶଙ୍କା କରୁଥିଲେ ତାହା ଧୀରେ ଧୀରେ ସତ୍ୟ ହେବାର ଦେଖୁଥିଲେ। ନ ହେଲେ ସାମାନ୍ୟ ବାନର କେଉଁଠୁ ଆସି ଲଙ୍କାରେ ଉତ୍ପାତ କରି ନ ଥାନ୍ତା। ଅକ୍ଷୟ କୁମାର ବଧ ଏକ ସାଧାରଣ କଥା ତ ନୁହେଁ!

କିପରି ପ୍ରବୋଧନା ଦେବେ ଏକ ସନ୍ତାନହରା ମାତାଙ୍କୁ ! କେଉଁ ଭାଷାରେ ବୁଝାଇବେ ! ଏପରି କୌଣସି ଭାଷା ନାହିଁ ଯେ… ! ସୁଲୋଚନାଙ୍କୁ ଦେଖି ଉଚ୍ଚ ସ୍ୱରରେ ବିଳାପ କରିବାକୁ ଲାଗିଲେ ମହାରାଣୀ ମନ୍ଦୋଦରୀ। କହୁଥିଲେ, ” କେତେ ବିନତି କଲି ଲଙ୍କେଶ୍ୱରଙ୍କୁ ସୀତାଙ୍କୁ ଫେରାଇ ଦେବା ପାଇଁ। କହିଥିଲି ସତୀ ନାରୀର ଅଶ୍ରୁ କେବେ ବ୍ୟର୍ଥ ଯିବନି! ”

କ୍ରମଶଃ…

Leave A Reply

Your email address will not be published.