Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୨ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପରମ ପାବନ କ୍ଷେତ୍ର ଶ୍ରୀପୁରୁଷୋତମ କ୍ଷେତ୍ରରେ ପଞ୍ଚ ତୀର୍ଥ ମଧ୍ୟରେ ଅନ୍ୟତମ ତୀର୍ଥ “ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ “। ଏହାକୁ ଆମେ ମନୁଷ୍ୟ ତୀର୍ଥ ଭାବରେ ଗ୍ରହଣ କରିବା, କାରଣ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଏହା ନିର୍ମାଣ ହୋଇ ଥିବାର ପ୍ରମାଣ ମିଳେ। କିନ୍ତୁ ଏକ ରୋଚକ କାହାଣୀ ଏହି ତୀର୍ଥର ମହିମାକୁ ଆହୁରି ଶାଣିତ କରେ। କାହାଣୀଟି ଏହିପରି ମହାରାଜ ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ଦର୍ଶନ ନିମନ୍ତେ ନୀଳାଚଳରେ ଉପସ୍ଥିତ ହୋଇ ଜାଣିବାକୁ ପାଇଲେ ଯେ ସୁବର୍ଣ୍ଣ ବାଲୁକା ରାଶିରେ ପ୍ରଭୂ ନୀଳମାଧବ କେଉଁ ଆଡେ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି ଅତ୍ୟନ୍ତ ଦୁଃଖରେ ଇନ୍ଦ୍ରଦ୍ୟୁମ୍ନ ଭାଙ୍ଗି ପଡ଼ିଥିବା ସମୟରେ ମହର୍ଷି ନାରଦ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଅଶ୍ୱମେଧ ଯଜ୍ଞ କରିବାର ପରାମର୍ଶ ଦେଲେ। ସେହି ଯଜ୍ଞରେ ଲକ୍ଷ ଲକ୍ଷ ଗୋଦାନ ନିମିତ୍ତ ବ୍ୟବସ୍ଥା କରି, ବର୍ତ୍ତମାନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ ଥିବା ସ୍ଥାନରେ ଗୋମାତା ଓ ବତ୍ସାମାନଙ୍କୁ ରଖାଗଲା। ଯଜ୍ଞ ଶେଷ ହେବା ପର୍ଯ୍ୟନ୍ତ ଗୋମାତାମାନଙ୍କ ଖୁରା ଘାତରେ ସେଠାରେ ଗର୍ତ୍ତମାନ ହେବାକୁ ଲାଗିଲା, ସେହି ଗର୍ତ୍ତମାନ ଗୋ ମୂତ୍ର ଓ ବ୍ୟବହୃତ ଜଳରେ ପୂର୍ଣ୍ଣ ହୋଇ ଦାନ ଶେଷ ସମୟରେ ଏକ ପୁଷ୍କରଣୀର ଭ୍ରମ ସୃଷ୍ଟି କଲା, ତେଣୁ ଶାସ୍ତ୍ର କହେ ଦଶାଶ୍ୱମେଧ ସମ୍ଭୁତ ଗୋଖୁରେଣ ବିଘଟିତ, ଇନ୍ଦ୍ରଦ୍ୟୁମ୍ନ ସରେସ୍ନାତ୍ୱା ପୁନର୍ଜନ୍ମ ନ ବିଦ୍ୟତେ “.ଆଉ କେତେକ ମତ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଚଳରେ ପହଂଚି ନିଜର ଅସ୍ଥାୟୀ ରାଜବାଟି ନିର୍ମାଣ କରି, ସେହି ରାଜ ବାଟି କୁ ଜଳ ଯୋଗାଣ ନିମନ୍ତେ ଏହି ପୁଷ୍କରିଣୀ କରାଇଥିଲେ ଓ ଏଥିରେ ବିଭିନ୍ନ ତୀର୍ଥର ଜଳ ପୂର୍ଣ୍ଣ କରାଇଥିଲେ। ସେଥିପାଇଁ ଏହା ଅତ୍ୟନ୍ତ ପବିତ୍ର ଅଟେ। ସେ ଯାହା ହେଉ ଶ୍ରୀମନ୍ଦିରର ଉତ୍ତର ଦିଗରେ ଓ ବର୍ତ୍ତମାନ ଥିବା ଗୁଣ୍ଡିଚା ମନ୍ଦିରର ଐଶlନ୍ୟ କୋଣରେ ଏହି ପାବନ ତୀର୍ଥ ପୁଷ୍କରିଣୀଟି ଅବସ୍ଥିତ। ଏହାର ଦୈର୍ଘ୍ୟ ୪୮୫ ଫୁଟ ଓ ପ୍ରସ୍ଥ ୩୯୬ ଫୁଟ, ପ୍ରାୟ ସମୁଦାୟ ୪୫୦ ଏକରରେ ଏହା ବିସ୍ତୃତ ଅଟେ।

ମାଦଳାପାଞ୍ଜିରୁ ଜଣାଯାଏ ରାଜା ପଦ୍ମକେଶରୀ ଏହି ସରୋବର ଚାରିପଟେ ପାବଛ ଶ୍ରେଣୀ ଓ ତଟ ଦେଶରେ ନୀଳକଣ୍ଠେଶ୍ବର ମନ୍ଦିର ନିର୍ମାଣ କରିଥିଲେ। ଆଗକୁ ଏହି ପୁଷ୍କରିଣୀ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିବା, ଏବେ ଏହାର କୂଳରେ ଆଉ କଣ କଣ ଅଛି ଏବଂ କଣ ବିନିଷ୍ଠ ହେଲାଣି ତାହା ମଧ୍ୟ ଜାଣିବା, ବର୍ତ୍ତମାନ କରିବା ଆରାଧନା ତଥା ଭାଗବତ ପଠନ ।

ଜଳ ସିଞ୍ଚନେ ଭୂମି ପଥ
ତକ୍ଷଣେ ହୁଅଇ ପବିତ୍ର ।
ଗୋମୟ ଜଳ ସମାର୍ଜନେ
ପଵିତ୍ର ଚତ୍ୱର ଅଙ୍ଗଣେ ।
ମନ୍ୟୁଷ ଦେହ ପଶି ଜଳେ
ପଵିତ୍ର ହୋଏ ସ୍ନାନ କାଳେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.