Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୩

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବ ବିଶ୍ରାମ କକ୍ଷ ଅବା ଦକ୍ଷିଣ ଘର ଏତେ ପ୍ରକାରର ଚଳନ୍ତି ପ୍ରତିମାଙ୍କ ବିଜେ ସ୍ଥଳି ଯେ କେବଳ ଶ୍ରୀମଦନମୋହନ, ରାମକୃଷ୍ଣ, ନାରାୟଣ, ଦୋଳ ଗୋବିନ୍ଦ, ବାଡ଼ି ନୃସିଂହଙ୍କ ବିଷୟରେ ଆଲୋଚନା କଲେ। ଆମେ ଦକ୍ଷିଣ ଘରକୁ ସମ୍ପୂର୍ଣ୍ଣ ରୂପେ ଜାଣିପାରିବା ନାହିଁ । ତେଣୁ ଅନ୍ୟ ଚଳନ୍ତି ପ୍ରତିମା ଯଥା ଲଷ୍ମୀ ନୃସିଂହ, ରାମ ଲକ୍ଷ୍ମଣ ସୀତା, ହନୁମାନ, ଓ ପଞ୍ଚୁପାଣ୍ଡବ (ପାଞ୍ଚ ମହାଦେବ )ଙ୍କ ମଧ୍ୟେ ତିନି ଚଳନ୍ତି ପ୍ରତିମା ବିଷୟରେ କିଛି କିଛି ଜାଣିବା ।

ଦକ୍ଷିଣ ଘରେ ମଧ୍ୟ ଅଠର ମୂର୍ତ୍ତି ଶାଳଗ୍ରାମ ପୂଜା ପାଉଛନ୍ତି । ଭିତର ଓ ବାହାର କାନ୍ଥ ରେ ଚିତ୍ରିତ ଅନେକ ଦେବlଦେବୀଙ୍କ ମୂର୍ତ୍ତି ମଧ୍ୟ ଉପାସିତ। କିନ୍ତୁ ଯେହେତୁ ଆମେ ଚଳନ୍ତି ପ୍ରତିମାଙ୍କ ବିଷୟରେ ଆଲୋଚନା ଜାରି ରଖିଛେ, ପ୍ରଥମେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଷୟରେ ଜାଣିବା। ଶ୍ରୀରାମ ନବମୀ ଦିନ ରାମଙ୍କ ବିଗ୍ରହ ବଲ୍ୟଲୀଳାରେ ଓ ପୁଷ୍ୟାଭିଷେକ ଦିନ ରାମଙ୍କ ବିଗ୍ରହ ଅଭିଷେକ ଉତ୍ସବରେ ଅଂଶ ଗ୍ରହଣ କରନ୍ତି। ଚୈତ୍ର ଶୁକ୍ଳ ଦଶମୀରେ ଯଜ୍ଞ ରକ୍ଷା ନୀତିରେ ଉଭୟ ରାମ ଓ ଲକ୍ଷଣ ଓ ସେହି ଏକାଦଶୀ ଦିନ ସୀତା ବିବାହ ନୀତିରେ ରାମ ଲକ୍ଷ୍ମଣଙ୍କ ସହ ସୀତାଙ୍କ ପ୍ରତିମା ଅଂଶ ଗ୍ରହଣ କରି ଉପାସିତ ହୁଅନ୍ତି। ପଣା ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ଥିବାରୁ ହନୁମାନ ବିଶେଷ ଭାବରେ ଉପାସିତ ହୋଇଥାଏ । ଶ୍ରୀରାମ ନବମୀଠାରୁ ଶ୍ରୀମନ୍ଦିରରେ ରାମଲୀଳା ଅନୁଷ୍ଠିତ ହୁଏ। ପୁଷ୍ୟl ନକ୍ଷତ୍ର ଯୁକ୍ତ କର୍କଟ ରାଶିରେ ତାରା ଶୁଦ୍ଧି ନିର୍ଣ୍ଣୟ କରି ଶ୍ରୀରାମଙ୍କ ଅଭିଷେକ ଉତ୍ସବ ପାଳିତ ହୂଏ। ଏହି ସମୟରେ ଚାରି ପ୍ରତିମା ରାମ ଲକ୍ଷ୍ମଣ, ସୀତା ଓ ହନୁମାନ ଅଂଶ ଗ୍ରହଣ କରିଥାନ୍ତି। ପଞ୍ଚୁ ପାଣ୍ଡବ ମଧ୍ୟ ଚନ୍ଦନଯାତ୍ରା ଓ ବସନ୍ତ ପଞ୍ଚମୀରେ ଅଂଶ ଗ୍ରହଣ କରିଥାନ୍ତି। ସ୍ନାନ ପୂର୍ଣ୍ଣିମା ପରେ ଅନବସର ନୀତି ସମୟରେ ପଟିଦିଅଁ ପୂଜା ପାଉଥିବାରୁ ଦକ୍ଷିଣ ଘରୁ ଦୋଳ ଗୋବିନ୍ଦ ରାମକୃଷ୍ଣ ଓ ନୃସିଂହ ଆସି ବଡ଼ ବାଡ଼ରେ ବାସୁଦେବଙ୍କ ସହ ଶ୍ରୀଦେବୀ ଭୁଦେବୀ ମଝିବାଡ଼ରେ ଭୁବନେଶ୍ୱରୀଙ୍କ ସହ ଓ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପୂଜିତ ନାରାୟଣଙ୍କ ପଟ୍ଟଚିତ୍ର ସହ ଶ୍ରୀମଦନମୋହନ ଓ କୃଷ୍ଣ ପୂଜା ପାଆନ୍ତି । ଆଗାମୀ ଅଧ୍ୟାୟରେ ଭଣ୍ଡାର ଘରେ ଅବସ୍ଥାନ କରୁଥିବା ଚଳନ୍ତି ପ୍ରତିମାଙ୍କ ବିଷୟରେ ଜାଣିବା । ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।

ଆଚାର ମୂଳେ ଧର୍ମ ଜାତ
ଧର୍ମେ ଧାରଣ ଏ ଜଗତ ।
ଏଣୁ ଧାର୍ମିକ ପ୍ରାଣୀଙ୍କର
ନିଗମ ଦେଖାଏ ଆଚାର ।
ଉଦ୍ଧବ ଭକ୍ତି ଯୋଗେ ମୋର
ନାହିଁ ନିଗମେ ଅଧିକାର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

 

Leave A Reply

Your email address will not be published.