Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଅବସରରେ ଆମେ ପଞ୍ଚଶକ୍ତି ମନ୍ଦିରରେ ମା ଭୁବନେଶ୍ୱରୀ ଓ ମା ସରସ୍ବତୀଙ୍କ ବିଷୟରେ କିଛି କିଛି ତତ୍ତ୍ୱ ଓ ତଥ୍ୟ ଜାଣିଲେ। ଆସନ୍ତୁ ଆଜି ଜାଣିବା ଷଷ୍ଠୀ ମାଙ୍କ ବିଷୟରେ। କମଳା ବା ମା ଭୁବନେଶ୍ୱରୀଙ୍କ ମନ୍ଦିରର ନାଟ ମଣ୍ଡପର ବାମ ପାର୍ଶ୍ଵରେ ମା ସରସ୍ବତୀ ବିରାଜମାନ କରୁଥିବା ବେଳେ, ଏହି ମଣ୍ଡପର ଦକ୍ଷିଣ ପାର୍ଶ୍ଵରେ ମା ଷଷ୍ଠୀ, ସାବିତ୍ରୀ ଓ ମା ଗାୟତ୍ରୀଙ୍କ ବିଗ୍ରହ ସ୍ଥାପିତ ହୋଇ ପୂଜିତ ହେଉଛନ୍ତି। ନାଟମଣ୍ଡପର କାନ୍ଥ ସଂଲଗ୍ନ ଏକ କ୍ଷୁଦ୍ର ପ୍ରକୋଷ୍ଠରେ ବିରାଜିତ ମା ଷଷ୍ଠୀ ଠାକୁରାଣୀ ସହ ପ୍ରାୟ ଦେଢ଼ ଫୁଟ ଉଚ୍ଚତାର ନାରାୟଣ ମୂର୍ତ୍ତି (ଚତୃଭୁଜ, ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ )ଓ ଆଉ ଦୁଇଟି କ୍ଷୁଦ୍ର ମୂର୍ତ୍ତି ସେଠାରେ ଉପବେସନ କରିଛନ୍ତି। ଯେହେତୁ ମା ଷଷ୍ଠୀ ଦେବୀ ପ୍ରତ୍ୟେକ ଶିଶୁଙ୍କ ଜନ୍ମ ସହିତ ପୂଜିତ ହୁଅନ୍ତି। ତେଣୁ ଲୋକ ମୁଖରେ ଏହି ଦୁଇ ମୂର୍ତ୍ତି ମା ଷଷ୍ଠୀଙ୍କ ପରିବାର ବୋଲି କଥିତ ହୁଅନ୍ତି। କେତେକ ଏହାଙ୍କୁ ସ୍ୱତନ୍ତ୍ର ଭାବେ ମନସା ଦେବୀ ଭାବରେ ଅଭିହିତ କରିଥାନ୍ତି। ସେଯାହା ହେଉ ମା ଷଷ୍ଠୀ ଦେବୀ କିନ୍ତୁ ଅନନ୍ୟା ଅଟନ୍ତି, କାରଣ ସେ ତ୍ରିଭୁଜା, ଏବଂ ତାଙ୍କ ବାମ କୋଳରେ ଏକ ଶିଶୁ ଆତ୍ମସୁଖ ଲାଭ କରୁଥିବାର ଦେଖାଯାଏ। ତେଣୁ ଶିଶୁମାନଙ୍କ ଜନ୍ମ ଉତ୍ସବ ଷଷ୍ଠୀ ଦେବୀଙ୍କ ପାଖରେ ପାଳନ କରାଯାଏ। ଓଡ଼ିଆ ପରମ୍ପରା ଅନୁସାରେ ଷଷ୍ଠୀ ଓଷା ପର୍ବଟି ବିଶେଷ ପର୍ବ ଭାବରେ ପାଳିତ ହୁଏ। ଶ୍ରଦ୍ଧାଳୁମାନେ ଏହି ଦିନ ମାଙ୍କ ଦର୍ଶନ ସହ ସ୍ୱତନ୍ତ୍ର ପୂଜାବିଧି କରି ନିଜ ନିଜ ଶିଶୁମାନଙ୍କ ମଙ୍ଗଳ କାମନା କରିଥାନ୍ତି। ବିଶେଷତଃ ମହିଳାମାନେ ଏଠାରେ ଭିଡ଼ ଜମାଇଥାନ୍ତି। ଆସନ୍ତୁ ତେବେ ମା ଷଷ୍ଠୀ ଠାକୁରାଣୀଙ୍କ ଆରାଧନା କରିବା ଓ ପଢିବା ତାଙ୍କ ଧ୍ୟାନ ମନ୍ତ୍ର। ଶାସ୍ତ୍ର କହେ :-

“ଗୌରବର୍ଣାଂ ଚ ତ୍ରିଭୁଜାଂ ନାନାଅଳଙ୍କାରଭୂଷିତାମ୍, ସର୍ବଲକ୍ଷଣ ସମ୍ପନ୍ନାଂ ପୀନୋନ୍ନତପୟୋଧରାମ୍
ଦିବ୍ୟବସ୍ତ୍ର ପରିଧାନାଂ ବାମକ୍ରୋଡେ ସୁପୁତ୍ରକାମ୍, ପ୍ରସନ୍ନବଦନାଂ ଷଷ୍ଠୀଂ ଜଗଦ୍ଧାତ୍ରୀଂ ସୁଖପ୍ରଦାମ୍। “

ଅର୍ଥାତ ହେ ଷଷ୍ଠୀ ଦେବୀ !ତୁମେ ଗୌର ବର୍ଣ୍ଣା ତୁମେ ତ୍ରିଭୁଜା, ତୁମେ ବିଭିନ୍ନ ଅଳଙ୍କାରରେ ମଣ୍ଡିତl, ଓ ସର୍ବ ଲକ୍ଷଣ ଯୁକ୍ତା, ସ୍ତନ୍ୟପାୟୀ ଶିଶୁମାନଙ୍କ ପାଇଁ ତୁମ ସ୍ତନମଣ୍ଡଳ ସର୍ବଦା କ୍ଷୀରସାର ବହନ କରିଥାଏ, ତୁମେ ଦିବ୍ୟବସ୍ତ୍ର ଭୂଷିତl, ତୁମ ବାମ କୋଳରେ ଦିବ୍ୟ ଶିଶୁ ଆତ୍ମସୁଖ ଲାଭ କରୁଛି। ତୁମେ ପ୍ରସନ୍ନ ମୁଖୀ, ସୁଖଦାୟିନୀ ଜଗଦ୍ଧାତ୍ରୀ । ମା ତୁମକୁ ଆମେ ପ୍ରଣାମ କରୁଅଛୁ। ଜୟ ମା ଷଷ୍ଠୀ ଦେବୀ ।

ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ )

Leave A Reply

Your email address will not be published.