Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ଭିତର ବେଢାରେ ମା’ ଲଷ୍ମୀଙ୍କ, ଦର୍ଶନ କାଳରେ ଆମେ ମା’ଙ୍କ ବିଗ୍ରହ, ମନ୍ଦିର, ପୂଜା ନୀତି ଇତ୍ୟାଦି ବିଷୟରେ କିଛି କିଛି ଅବଗତ ହୋଇ ସାରିଲେଣି। ଏବେ ଆସନ୍ତୁ ଜାଣିବା ମା’ଙ୍କ ସ୍ୱତନ୍ତ୍ର ପାର୍ବଣନୀତି ସହ ଭୋଗ ତାଲିକା ବିଷୟରେ, ଆଗରୁ ଆମେ ଜାଣିଛେ ମା’ଙ୍କ ପାଇଁ ସ୍ୱତନ୍ତ୍ର ରୋଷଘର ଅଛି। ଆସନ୍ତୁ ଜାଣିବା ଏଠାରେ କଣ ପ୍ରସ୍ତୁତ ହୁଏ। ଶ୍ରୀମନ୍ଦିର ପ୍ରଶାସନ କୋଠ ଭୋଗ ଗୋଦାମରୁ ଭୋଗ ପ୍ରସ୍ତୁତି ପାଇଁ ଅଟା, ଘିଅ, ଗୁଡ଼, ଇତ୍ୟାଦି ଦେଉଳି ଯୋଗାଣିଆଙ୍କ ଦ୍ୱାରା ଯୋଗାଇ ଦିଅନ୍ତି। ବାହାର ଦେଉଳି ସୁଆରମାନେ ଏଥିରେ, କାକରା, ମହନଭୋଗ, ଖଳିରୁଟି ଇତ୍ୟାଦି ସୁମିଷ୍ଟ ପିଷ୍ଟକ ତିଆରି କରନ୍ତି। ଏହା ମା ଲଷ୍ମୀଙ୍କଠାରେ ଭୋଗ ଲାଗିବା ସହ କାନ୍ଥରେ ଥିବା ଚିତ୍ର ପ୍ରତିମାମାନଙ୍କୁ ମଧ୍ୟ ଭୋଗ ଲାଗିଥାଏ। ପରେ ଏହି ଭୋଗକୁ ଉକ୍ତ ଦିନର ପାଳିଆ ସେବକ, ପୂଜାପଣ୍ଡା, ବାହାର ଦେଉଳି ସୁଆର, ପ୍ରତିହାରୀ ପ୍ରମୁଖ ସେବକମାନେ ଖେଇ ଭାବରେ ଗ୍ରହଣ କରନ୍ତି। ବିଶେଷ ପାର୍ବଣ ନୀତି ଅନୁସାରେ ପ୍ରଥମା ଅଷ୍ଟମୀ, ଓଢଣଷଷ୍ଠୀ, ବସନ୍ତପଞ୍ଚମୀ, ଅକ୍ଷୟତୃତୀୟା, ରୁକ୍ମିଣୀ ବିବାହ, କୁମାର ପୁର୍ଣିମା ଦିବସରେ ମା’ଙ୍କୁ ନୂଆ ଶାଢୀ, ପାଟ ପତନୀ, ପାଟ ଶାଢୀ ପ୍ରଭୃତି ଲାଗି ହେବା ସହ ଅମlଲୁ ଭୋଗ କରାଯାଏ। ଏହା ଛଡା ଋଷି ପଞ୍ଚମୀ, ବାହୁଡା଼ ଯାତ୍ରା, ଗୁରୁବାର ନୀତି ଇତ୍ୟାଦିରେ ସ୍ୱତନ୍ତ୍ର ନୀତି ସମ୍ପାଦିତ ହୁଏ।

ଶ୍ରୀମନ୍ଦିରରେ ପ୍ରଚଳିତ ଏକାନ୍ତ ନୀତି ଅନୁସାରେ ମଦନମୋହନ ଲଷ୍ମୀ ମନ୍ଦିରକୁ ବିଜେ କରନ୍ତି। ଏହାଛଡା ମା ଲଷ୍ମୀଙ୍କ ଚଳନ୍ତି ବିଗ୍ରହ ବିଭିନ୍ନ ସମୟରେ ବିଶେଷ ଲୀଳା କରିଥାନ୍ତି ଯଥା ହେରା ପଞ୍ଚମୀ, ନୀଳାଦ୍ରି ବିଜେ ଇତ୍ୟାଦି। ସେ ଯାହା ହେଉ ଭକ୍ତ ମାନେ ମାଙ୍କ ଦର୍ଶନ କରି ଅଚିନ୍ତା ମଣ୍ଡପ ଅବା ଜଗମୋହନରେ ଟିକିଏ ବସି ଯିବାପରେ ସେଠାରେ ପ୍ରବାହିତ ହେଉଥିବା ସୁଲୁ ସୁଲିଆ ପବନରେ ନିଜର ଦେହ ମନକୁ ଭିଜେଇ ପୁଣି ସତେଜ ଭାବରେ ବେଢା ବୁଲା କରନ୍ତି । ଆମେ କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ। ଜୟ ମା ଲଷ୍ମୀ ।

ଜନ୍ମ ମରଣ ଶୋକ ମୋହ
ସୁଖ ଦୁଃଖ ଆଦି ସଂଶୟ ।
କେବଳ ମାୟା ଭ୍ରମ ଏହି
ଏ ଯେ ଜୀବକୁ ଲାଗେ ନାହିଁ ।
ସ୍ୱପ୍ନେ ଦେଖଇ ପ୍ରାଣୀ ଯାହା
ନିଦ୍ରା ଛାଡିଲେ ଯେହ୍ନେ ମାୟା ।
ବିଦ୍ୟା ଅବିଦ୍ୟା ମୋର ଦେହ
ବନ୍ଧ ମୋକ୍ଷ ହିଁ ମାୟା ମୟ ।

ଜୟ ଜଗନ୍ନାଥ (ଦ. ତ୍ରି, ଉବାଚ )

Leave A Reply

Your email address will not be published.