ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଙ୍କ ସେବକମାନଙ୍କ ସେବାରେ ଏତେ ସ୍ୱତନ୍ତ୍ରତା ଓ ଭିନ୍ନତା ଯେ ସବୁଗୁଡିକ ସେବା ନିଶ୍ଚିତ ଭାବରେ ସୁପରିକଳ୍ପିତ ରୂପେ ନିର୍ଣ୍ଣୟ ହୋଇ ପ୍ରଚଳିତ ହୋଇଛି । ସେହି ସେବାଗୁଡିକ ମଧ୍ୟରୁ ଆଜି ଆଲୋଚନା କରିବା ଦୁଇଟି ସେବା ୧. ଘଣ୍ଟ ସେବା ଓ ୨ .ଘଣ୍ଟୁଆଙ୍କ ବିଷୟରେ. ପ୍ରଥମେ ଘଣ୍ଟ ସେବା । ଏମାନେ ଶାଢ଼ୀ ବନ୍ଧା ଓ ଶୁଦ୍ର ସେବକ ଅଟନ୍ତି। ଏହି ସେବା ମଧ୍ଯ ବଂଶାନୁକ୍ରମିକ ସେବା ଅଟେ.। ମୁଖ୍ୟତଃ ଶ୍ରୀମନ୍ଦିରର ପ୍ରତ୍ୟେକ ତିନି ଧୂପ (ସକାଳ, ମଧ୍ୟାନ୍ନ ଓ ସନ୍ଧ୍ୟା ଧୂପ )ସମୟରେ ଘଣ୍ଟ ବଜାନ୍ତି। ସବୁ ପର୍ବ ପର୍ବାଣୀ ଓ ଯାନିଯାତ୍ରା ସମୟରେ (ସ୍ନାନଯାତ୍ରା, ଓ ଗୁଣ୍ଡିଚା ଯାତ୍ରା କୁ ଛାଡି )ବେଢାରେ ଘଣ୍ଟ ବଜାନ୍ତି। ବିମଳାଙ୍କ ଷୋଳପୂଜା, ଗୁରୁବାର ମlଜଣା ଓ ଏକାନ୍ତ ବିଜେ ବେଳେ ମଧ୍ଯ ବେଢାରେ ଘଣ୍ଟ ବାଜେ । ସେହିପରି ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ଆଜ୍ଞାମାଳ ବିଜେ ହୋଇଥାନ୍ତି, ଏହି ସମୟରେ ମଧ୍ୟ ଘଣ୍ଟ ବାଜିଥାଏ। ସ୍ନାନ ପୂର୍ଣ୍ଣିମାରେ ସଂସ୍କାରିତ ଜଳ ଛେକବିଜେ, ହାତୀ ବେଶ ସାମଗ୍ରୀ ବିଜେ, ସୋଲ ଚିତା ବିଜେ, ମକର ଓ ସାତପୁରି ତାଟ ବିଜେ ଆଦି ବେଳେ ଘଣ୍ଟ ବଜାଇଥାନ୍ତି।
ସେହିପରି ଘଣ୍ଟୁଆ :-ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି, କିନ୍ତୁ ସେଵା ବଂଶାନୁକ୍ରମିକ ମୁଖ୍ୟତଃ ଏମାନେ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ନିର୍ଦ୍ଧିଷ୍ଟ ସଂଖ୍ୟାରେ ଘଣ୍ଟୁଆ ସ୍ନାନ ପୁର୍ଣିମାରେ ଠାକୁର ମlନେ ରତ୍ନବେଦୀରୁ ସ୍ନାନ ମଣ୍ଡପ ଆସିବା ସମୟରେ, ପୁଣି ସ୍ନାନ ମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ କରିବା ସମୟରେ ଘଣ୍ଟ ବଜାଇଥାନ୍ତି । ସେହିପରି ଶ୍ରୀଗୁଣ୍ଡିଚା ଓ ବାହୁଡା଼ ବିଜେ ଓ ରଥରୁ ଗୁଣ୍ଡିଚା ମଣ୍ଡପ ବିଜେ, ରଥମାନଙ୍କ ଦକ୍ଷିଣ ମୋଡ଼, ରଥଟଣା ସମୟରେ ପ୍ରତ୍ୟେକ ରଥ ଉପରେ ଏମାନେ ଘଣ୍ଟ ବଜାନ୍ତି। ନୀଳାଦ୍ରି ବିଜେ ଦିନ ରଥ ଉପରୁ ରତ୍ନ ବେଦୀ ପର୍ଯ୍ୟନ୍ତ ଶ୍ରୀଜୀଉ ମାନଙ୍କ ପହଣ୍ଡି ଆଗରେ ମଧ୍ଯ ଘଣ୍ଟ ବଜାନ୍ତି। ଏମାନେ ସାଧାରଣରେ ଦୁଇଟି ଗୋଷ୍ଠୀର ଗୋଟିଏ ପୂରୀ ଘଣ୍ଟୁଆ ଓ ଅନ୍ୟ ଗୋଷ୍ଠୀଟି ଭଟିମୁଣ୍ଡା ଅଞ୍ଚଳର କଂସାରୀ ସେବକ ଅଟନ୍ତି। ଆଗାମୀ ଅଧ୍ୟାୟରେ ଆଲୋଚନା କରିବା କିଛି ରଥଯାତ୍ରା ସହ ଜଡିତ ହୋଇଥିବା ସେଵା ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର ।
ଜୀବ ପରମ ଏକ ମାନି
କେହି ବା ଷଢ଼ ତତ୍ତ୍ୱ ଗଣି ।
ତେଜ ଆବର ଜଳ ଅନ୍ନ
ଆତ୍ମାରୁ ଏ ଯେ ଉତ୍ତପନ୍ନ ।
ଏ ତହୁଁ ଆନ ସବୁ ଯାତ
ଏଣୁ କେ ବୋଲେ ଚାରି ତତ୍ତ୍ୱ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )