Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ରାଜାଧୀରାଜ କହିବାର ଏକ ବିଶେଷ କାରଣ ହେଲା ପ୍ରଭୁଙ୍କର ଏହି ସୁସଂଗଠିତ ସେବା ପରମ୍ପରା ଓ ସେବକ ଗୋଷ୍ଟି। ରାଜା ମହାରାଜାଙ୍କ ଭଳି ପ୍ରତ୍ୟେକ ଛୋଟ ଛୋଟ କାର୍ଯ୍ୟ ପାଇଁ ଜଣେ ଜଣେ ସେବକଙ୍କ ଉପସ୍ଥିତି ବୋଧହୁଏ ଅନ୍ୟ କେଉଁଠାରେ ଦୃଷ୍ଟି ଗୋଚର ହୁଏ ନାହିଁ । ଆଜି ସେହି ସେବକଙ୍କ ମଧ୍ୟରୁ ଏମିତି ଜଣେ ସେବକଙ୍କ ବିଷୟରେ ଆଲୋଚନା କରିବା, ଯାହାଙ୍କ ବିଷୟରେ ଅଧିକାଂଶ ଭକ୍ତ ବା ଶ୍ରଦ୍ଧାଳୁଙ୍କ ସଠିକ ଧାରଣା ନଥାଏ। ସେହି ସେବକ ହେଲେ “ସୁଧ ସୁଆର “। ନାମ ସୁଧ ସୁଆର କିନ୍ତୁ ଏମାନେ ସୁଆର ଗୋଷ୍ଠୀର ନୁହନ୍ତି। ଏମାନେ ହେଲେ ଦଇତା ଗୋଷ୍ଠୀର ସେବକ । ଏମାନେ ବର୍ଷ ସlରା ସେବା କରନ୍ତି । ବଲ୍ଳଭ ଯୋଗାଣିଆ ବଲ୍ଳଭ ଯୋଗାଇବା ପୂର୍ବରୁ ଏମାନେ କଳାହାଟ ଦ୍ୱାରରୁ ଜୟ ବିଜୟ ଦ୍ୱାର ଯାଏ ଝାଡୁ କରି, ଅଣସର ପିଣ୍ଡି ଧୋ ପଖାଳ କରି ଥାଳି ପରଖ ପକାନ୍ତି। ବଲ୍ଳଭ ବlଢନ୍ତି ଓ ଫଳ କାଟନ୍ତି। ବଲ୍ଳଭ ଭୋଗ ପରେ ଖେଇକାରଙ୍କ ବଲ୍ଳଭ ସାଇତି, ବିମଳାଙ୍କୁ ସମର୍ପଣ ପାଇଁ ନେଇଥାନ୍ତି କୋଠ ଜିନିଷ ପସରାରେ ଦିଅନ୍ତି।ଭୋଗ ବେଳେ ଅଣସର ପିଣ୍ଡିରୁ ଜୟ ବିଜୟ ଦ୍ୱାର ମଧ୍ୟରେ ଶଙ୍ଖୁଡି ପଡିଲେ ବାହାର କରିଥାନ୍ତି। ଭୋଗ ମlରା ହେଲେ ମଧ୍ୟ ବାହାର କରନ୍ତି। ପୂଜା ପରେ ଧୋ ପଖାଳ କରନ୍ତି। ଯାନିଯାତ୍ରା, ପର୍ବ ପର୍ବାଣୀ, ବନ୍ଦାପନା ଓ ବାହାର ବିଜେ ରେ ଚାଉଳ, ଘିଅ,ବଳିତା ଯୋଗାନ୍ତି। ମଙ୍ଗଳାରୋପଣ ସାମଗ୍ରୀ ଯୋଗାନ୍ତି।

ମକର ସଂକ୍ରାନ୍ତି ଦିନ ଅଧିବାସ ହୋଇଥିବା ଚାଉଳ ଧୋଇ ତିନୋଟି ରୁପା ଥାଳିରେ ମକର ଚାଉଳ ପ୍ରସ୍ତୁତ କରନ୍ତି। ଚନ୍ଦନ ଯାତ୍ରାରେ ଭିତର ପୂଜା ଠା କରନ୍ତି। ଦୋଳରେ ମୁଦିରଥଙ୍କୁ ଫଗୁ ବଢ଼ାନ୍ତି, ଲଷ୍ମୀ ନାରାୟଣ ଭେଟ ରେ ଦହିପଟୋଳ ବଢ଼ାନ୍ତି। ଦୈନିକ କୋଠଭୋଗକୁ ଭଜା ମୁଗଡାଲି ପ୍ରସ୍ତୁତ କରି ଯୋଗାନ୍ତି। କିନ୍ତୁ ଏମାନେ ସୁଆର ସେବା କୌଣସି ରନ୍ଧନ କାର୍ଯ୍ୟ କରନ୍ତି ନାହିଁ। ଏହା ଏକ ବଂଶାନୁକ୍ରମିକ ସେବା ଅଟେ,। ଆଗାମୀ ଅଧ୍ୟାୟରେ ଜାଣିବା ଅଣସର ସୁଧ ସୁଆରଙ୍କ ବିଷୟରେ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ସମୟ ।

ସାତ୍ଵିକ ସେବା ତତପରେ
ସତ୍ୱ ବଢ଼ଇ ନିରନ୍ତରେ ।
ତେଣୁ ବିଶୁଦ୍ଧ ହୋଏ ମନ
ନିର୍ମଳ ପ୍ରକାଶଇ ଜ୍ଞାନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.