ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମତୁଲ ଅନ୍ନବ୍ରହ୍ମ ମହାପ୍ରସାଦଙ୍କ ମହାତ୍ମ୍ୟ ଖୋଜି ବସିଲେ ପ୍ରାୟ ସମସ୍ତ ଶାସ୍ତ୍ରରେ ଏହା ମିଳିଥାଏ। ତଥାପି ନିର୍ଦ୍ଧିଷ୍ଟ ଭାବେ ଶ୍ରୀମହାପ୍ରସାଦଙ୍କ ମହିମା, ବ୍ରହ୍ମପୁରାଣ, ସ୍କନ୍ଦ ପୁରାଣ ର ଉତ୍କଳଖଣ୍ଡ (ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ), କପିଳ ସଂହିତା, ବାମଦେବ ସଂହିତା, ବାୟୁ ପୁରାଣ, ବିଷ୍ଣୁ ପୁରାଣ, ଭବିଷ୍ୟ ପୁରାଣ, ପଦ୍ମ ପୁରାଣ, ଗରୁଡ଼ ପୁରାଣ, ନୀଳାଦ୍ରି ମହୋଦୟ, ନାରଦ ପୁରାଣ, ବ୍ରହ୍ମlଣ୍ଡ ପୁରାଣ, ବୃହଦ୍ଵିଷ୍ଣୁ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ରୁଦ୍ରଯାମଳ, ବିଷ୍ଣୁ ଯାମଲ, ତତ୍ତ୍ୱଯାମଲ, ମୁକ୍ତି ଚିନ୍ତାମଣି, ମହାପୁରୁଷ ବିଦ୍ୟା, ଚତୃବର୍ଗ ଯୋଗୀଶ୍ୱର ଇତ୍ୟାଦି ବିଭିନ୍ନ ପୁରାଣ ଓ ତନ୍ତ୍ରଗ୍ରନ୍ଥ ତଥା ଶାସ୍ତ୍ର ପୁସ୍ତକମାନଙ୍କ ରେ ବର୍ଣ୍ଣିତ ହୋଇଛି। ଉପରୋକ୍ତ ସମସ୍ତ ଗ୍ରନ୍ଥରେ ମହାପ୍ରସାଦର ବିଶେଷ ଗୁଣାବଳୀ ସହ ଏହାର ପବିତ୍ରତା ବିଷୟରେ ବିଷଦ ଆଲୋଚନା କରାଯାଇଛି। ଶ୍ରୀମହାପ୍ରସାଦ ପ୍ରାପ୍ତିକୁ ସ୍ୱତନ୍ତ୍ର ଭାବେ ଅମୃତ ପ୍ରାପ୍ତି ସହ ତୁଳନା ହୋଇଛି। କାରଣ ସବୁ ଶାସ୍ତ୍ର ଏହା ସ୍ୱୀକାର କରିଛି ଯେ ଶ୍ରୀମହାପ୍ରସାଦ ଭକ୍ଷଣ କଲେ ଜୀବବ୍ରହ୍ମ ପରଂବ୍ରହ୍ମଙ୍କ ସତ୍ତା ଉପଲବ୍ଧି କରିଥାଏ। ପ୍ରlବନ୍ଧିକ ଓ ସେବକ ରବୀନ୍ଦ୍ରନାଥ ପ୍ରତିହାରୀଙ୍କ ମତ ହେଉଛି ଜୀବର ଏକମାତ୍ର ଲକ୍ଷ୍ୟ ହେଉଛି ତା ଆରାଧ୍ୟ (ଶ୍ରୀଜଗନ୍ନାଥ )ଙ୍କ ପ୍ରସନ୍ନତା ଲାଭ କରିବା। ଶ୍ରୀଜଗନ୍ନାଥ ଚେତନା ମଧ୍ୟରେ ଶ୍ରୀମହାପ୍ରସାଦ ହେଉଛି ଏକ ପରମ ରହସ୍ୟମୟ ଚେତନାର ଉତ୍ସ। ଏହା ଶ୍ରୀଜୀଉମାନଙ୍କୁ ସମର୍ପିତ ନୈବେଦ୍ୟ କେବଳ ନୁହେଁ ; ଏକ ସାମଗ୍ରିକ ଆତ୍ମସମର୍ପଣ ଭାବର ପ୍ରତୀକ ମଧ୍ଯ। ସେହି ଆତ୍ମସମର୍ପଣ ଭାବ ହିଁ ଜୀବ ମଧ୍ୟରେ ପରିପୂର୍ଣ୍ଣତା ଆଣେ। ସମଗ୍ର ପ୍ରସାଦ ସାମଗ୍ରୀ ଗୁଡିକ ନୈବେଦ୍ୟ ରୂପେ ସମର୍ପିତ ହେଲା ପରେ ଶ୍ରୀଜୀଉମାନେ ଏହା ଗ୍ରହଣ କରି ଉଚ୍ଚିଷ୍ଟ କରିଦିଅନ୍ତି। ଯେତେବେଳେ ଜୀବଟିଏ ସେହି ପ୍ରସାଦକୁ ଶ୍ରୀମହାପ୍ରସାଦ ଜ୍ଞାନ କରି ଭକ୍ଷଣ କରେ ସେତେବେଳେ ପାଏ ଆତ୍ମାନନ୍ଦ ଓ ଏକ ପରିପୂର୍ଣ୍ଣତାର ଭାବ । ଜୀବଟି ସର୍ବୋତ୍ତ ଭାବେ ମାନସିକ ଶାନ୍ତି ପାଇ ଭାବେ ପରମପୁରୁଷ ଶ୍ରୀଜଗନ୍ନାଥଙ୍କ ଅପାର ପ୍ରସନ୍ନତା ଓ କରୁଣା ତାକୁ ମିଳି ଯାଇଛି । ଆଗାମୀ ଅଧ୍ୟାୟରେ ଜାଣିବା ଏହି ଭାବ ଉଦ୍ରେକର ପ୍ରକୃତ ରହସ୍ୟ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ତାହାଙ୍କୁ ତପନ ଉଦିତ
ହୋଇବ ଭାବେ ଭାଗବତ ।
ଧନ୍ୟ ଜୀବନ ତାହାଙ୍କର
ଯେ ହରି ଚରଣେ କିଙ୍କର ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )