Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମନ୍ତ୍ର ଓ ଶକ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ପୂଜା ଓ ସେବା ବିଧି ଜତକିଂଚିତ ଆଲୋଚନା ଜାରି ରହିଛି । ଏହା ଏକ ଏପରି ସାଧନା ଯାହା ବିନା ଗୁରୁରେ ହାସଲ ହୁଏନି। ତଥାପି ଗୋଟିଏ ମୁଖ୍ୟ କଥା ହେଲା ପ୍ରତେକ ପୂଜା ବିଧି ବିଧାନର ମୂଖ୍ୟ କାର୍ଯ୍ୟ ହେଲା ସଠିକ ମନ୍ତ୍ରକୁ ସ୍ପଷ୍ଟ ଉଚ୍ଚାରଣ ସହ ପାଠ କରିବା। ସେଥିପାଇଁ ପୁରାତନ କାଳରେ ମୁନି ଋଷିମାନେ ମନ୍ତ୍ରର ପ୍ରତ୍ୟେକ ଅକ୍ଷରକୁ ମାତୃକା ବୋଲି ଅଭିହିତ କରିଥିଲେ। ଏହି ବର୍ଣ୍ଣ ମାତୃକାମାନଙ୍କ ସଠିକ ପ୍ରୟୋଗ ହିଁ ଫଳ ଦାୟୀ ହୋଇଥାଏ। ଦେବୀ ଦେବତା ଯେପରି ଅଭିଷ୍ଟ ଫଳ ପ୍ରଦାନ କରନ୍ତି ସେହିପରି ଏହି ବର୍ଣ୍ଣ ମାତୃକା ଦେବୀ ଶକ୍ତି ରୂପ ନେଇ ଅଶେଷ ଫଳ ପ୍ରଦାନ କରିଥାନ୍ତି। ଶାସ୍ତ୍ର କହେ ମନ୍ତ୍ରରେ ଅନେକ ଶକ୍ତି ରହିଛି ଯଥା:- ପ୍ରlମାଣ୍ୟ ଶକ୍ତି,ଫଳିନୀ ଶକ୍ତି ଓ ବହୁଳୀ ଶକ୍ତି। ଏହାର ପ୍ରକୃତ ସ୍ୱରୂପ ଜଣାନଥିଲେ ମଧ୍ଯ କୁହାଯାଏ ପ୍ରାମାଣ୍ୟ ଶକ୍ତି ଦ୍ୱାରା ସମସ୍ତ ପାପରୁ ବଞ୍ଚିତ ହେବାର ଉପାୟ। ଉଦାହରଣ ସ୍ୱରୂପ ସଦାଚାର, ସଂଯମ, ତ୍ୟାଗ ପ୍ରଭୃତି ଉପାଦାନ ମିଳିଥାଏ। ସେହିପରି ଆଉ ଏକ ମୁଖ୍ୟ କଥା ହେଲା ପ୍ରlମାଣ୍ୟ ଶକ୍ତି ପ୍ରଦାନ କରୁଥିବା ମନ୍ତ୍ର ମଣିଷକୁ ସମୃଦ୍ଧି ପଥରେ ନେଇଥାଏ। ମନ୍ତ୍ରର ଫଳିନୀ ଶକ୍ତି ଦ୍ୱାରା କୁଶ, ହବି, ଚରୁ, କୁଣ୍ଡ ଆଦି ଶାସ୍ତ୍ରୀୟ ଉପାଦାନ ସାହାଯ୍ୟରେ ମଣିଷ ମନରେ ଅପାର ଭକ୍ତି ଜାଗ୍ରତ ହୁଏ। ଆଉ ଭକ୍ତି ଦ୍ୱାରା ଅସାଧ୍ୟ ସାଧନା କରିବା କଷ୍ଟ ନୁହେଁ। ଶେଷରେ ବାହୁଳୀ ଶକ୍ତି ଦ୍ୱାରା ମନ୍ତ୍ର ଅଳ୍ପ ଉଚ୍ଚାରିତ ହେଲେ ମଧ୍ଯ ବିଶ୍ୱ କଲ୍ୟାଣର ମାର୍ଗ ଉନ୍ମୁକ୍ତ ହୋଇଥାଏ।
ଉପରୋକ୍ତ ବିଷୟ ଅନୁଧ୍ୟାନ କଲେ ଆମେ ନିଶ୍ଚିତ ଜାଣିପାରିବା ଯେ ଶ୍ରୀଜୀଉମାନଙ୍କ ପୂଜା ସମୟରେ ସଠିକ ମନ୍ତ୍ର ଉଚ୍ଚାରିତ ହେବା କେତେ ପ୍ରୟୋଜନ ଅଟେ। ଶୁଣାକଥା ଏହି ଯେ ପୂଜକଙ୍କ ଚଳୁରେ ଶ୍ରୀଜୀଉମାନେ ଦର୍ଶନ ନଦେବା ପର୍ଯ୍ୟନ୍ତ ନୈବେଦ୍ୟ ସମର୍ପଣ ହୁଏ ନାହିଁ। ତାହାର ସଠିକ ବ୍ୟାଖ୍ୟା ହେଲା ମନ୍ତ୍ରର ସଠିକ ପ୍ରୟୋଗ ନ ହେବା ପଯ୍ୟନ୍ତ ଶ୍ରୀଜୀଉମାନେ ନିଜ ପ୍ରତିଛବି ଲୁଚାଇ ରଖନ୍ତି। ତେଣୁ ସ୍ୱଳ୍ପ ହେଲେ ମଧ୍ଯ ସଠିକ ଉଚ୍ଚାରିତ ଓ ଅର୍ଥ ପୂର୍ଣ୍ଣ ମନ୍ତ୍ର ସର୍ବଦା ପାଠ କରିବା ଉଚିତ। ଆଗାମୀ ଅଧ୍ୟାୟରେ ଜାଣିବା ସଠିକ ମନ୍ତ୍ରର କ୍ରିୟାଶୀଳତା କେତେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ଯେ ପ୍ରାଣୀ ପର ହିଂସା କରେ
ଦେବତା ପୁଜି ସେ ନ ତରେ।
ଯେ ବିପ୍ର ହୋଏ ଅସନ୍ତୋଷ
ତାହାର ତପ ବିଦ୍ୟା ଯଶ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.