Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରୋଷରେ ନିଷିଦ୍ଧ ଡାଲି, ତେଲ, ମସଲା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ନିଷିଦ୍ଧ ସାମଗ୍ରୀ ବିଷୟରେ ଆଲୋଚନା କରିବା ଅବସରରେ ଆମେ ପାକଶାଳାରେ ନିଷିଦ୍ଧ ପରିବା ଓ ଶାଗ ବିଷୟରେ ଜାଣିଲେ। ବର୍ତ୍ତମାନ ଜାଣିବା ରୋଷରେ ବ୍ୟବହାର ହେଉନଥିବା ଡାଲି ଓ ମସଲା ବିଷୟରେ। ଏହି ବିଷୟରେ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହାପ୍ରଭୁଙ୍କ ଭୋଗର ସ୍ୱାଦ ଓ ବାସ୍ନାର ସ୍ୱତନ୍ତ୍ରତା ବିଷୟରେ ଜାଣିବା। ନିୟମ ଓ ପରମ୍ପରା ଅନୁସାରେ କିଛି ବିଦେଶୀ ପଦାର୍ଥ ବ୍ୟବହାର ହୋଇ ପାରିବନି ବୋଲି ବିଲାତି ଆଳୁ ଓ ବିଲାତି ବାଇଗଣ ଯେପରି ନିଷିଦ୍ଧ ଅଟେ ସେହିପରି ଡାଲି, ତେଲ, ମସଲା ଇତ୍ୟାଦି ମଧ୍ୟ ବିଭିନ୍ନ କାରଣ ପାଇଁ ନିଷିଦ୍ଧ ଅଟେ।

ଡାଲି :- ମୁଖ୍ୟତଃ ହରଡ଼ ଡାଲି ବ୍ୟବହାର ହେଉଥିଲେ ମଧ୍ୟ ବିରି, ମୁଗ ପ୍ରଭୃତି ନିଷିଦ୍ଧ ନୁହେଁ। କିନ୍ତୁମସୁର ଡାଲି ଓ କୋଳଥ ଡାଲି ନିଷେଧ ଅଟେ।

ତେଲ :-ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ କୌଣସି ତେଲ ବ୍ୟବହାର ହୋଇନଥାଏ।ସୋରିଷ ତେଲ, ବାଦାମ ତେଲ ପ୍ରଭୃତି ଆଦୌ ବ୍ୟବହାର ହୁଏନି। ସବୁ ଭୋଗ ଶୁଦ୍ଧ ଘିଅରେ ହୋଇଥାଏ। ଆଜିକାଲି କେତେକ ବରାଦି ଭୋଗରେ ଘିଅ ସ୍ଥାନରେ ରିଫାଇନ ତେଲ ବ୍ୟବହାର ହେଉଥିବାର ଶୁଣିବାକୁ ମିଳୁଛି।

ମସଲା :- ଏତେ ସ୍ୱାଦିଷ୍ଟ ଓ ବାସ୍ନା ଯୁକ୍ତ ଭୋଗ ରନ୍ଧନରେ ସ୍ୱତନ୍ତ୍ର ମସଲା ତ ନିଶ୍ଚତ ଭାବେ ବ୍ୟବହାର ହୋଇଥାଏ। କିନ୍ତୁ କୌଣସି ସମୟରେ ମଧ୍ୟ ଏହି ମସଲା ବ୍ୟବହୃତ ହୋଇନଥାଏ। ଯଥା, ଗରମ ମସଲା, ପୋସ୍ତକ, ଗୁଜୁରାତି, କଳା ଜିରା ଓ ଶୁଖିଲା ଲଙ୍କା। ଗୁଜୁରାତି ସ୍ଥାନରେ ଅଳେଇଚ ଓ ଶୁଖିଲା ଲଙ୍କା ସ୍ଥାନରେ ଗୋଲ ମରିଚର ବ୍ୟବହାର ହୋଇଥାଏ । ଆଉ ଏକ ମୁଖ୍ୟ କଥା ଶ୍ରୀମନ୍ଦିରରେ ମୁଖ୍ୟତଃ ଗୋଡ଼ା ଲୁଣ ବା ଗୋଟା ଲୁଣ ବ୍ୟବହାର ହୋଇଥାଏ। ମୁଖ୍ୟତଃ ଦେଶୀ ମସଲା ଓ ଶୁଦ୍ଧ ଘିଅ ବ୍ୟବହାର ଯୋଗୁ ମହାପ୍ରସାଦର ସ୍ୱତନ୍ତ୍ର ସ୍ୱାଦ ଓ ବାସ୍ନା ରହିଥାଏ।

ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରୀମନ୍ଦିର ମଧ୍ୟକୁ କେଉଁ କେଉଁ ସାମଗ୍ରୀ ନେବା ଦୋଷାବହ ହୋଇଥାଏ । ବର୍ତ୍ତମାନ କିନ୍ତୁ ସମୟ ଆରାଧନା ଓ ଭାଗବତ ପଠନ।

ସେ ଯେବେ ସାଧୁଙ୍କୁ ଦେଖନ୍ତି
କଲ୍ମଷ ପଙ୍କୁ ନିସ୍ତରନ୍ତି।
.ଧନ ଅର୍ଜନେ ଧର୍ମ କରି
ଧର୍ମେ ପ୍ରପାତ ନରହରି।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.