Latest Odisha News

ଆଜି ପବିତ୍ର ବିଜୟା ଦଶମୀ: ଅଧର୍ମ ଉପରେ ହେବ ଧର୍ମର ବିଜୟ, ମହିଷାସୁରକୁ ବଦ୍ଧ କରିବେ ମହାମାୟା

ଭୁବନେଶ୍ଵର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । ମାନ୍ୟତା ରହିଛି ଆଜିର ଦିନରେ ମାାଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ ।

ସମସ୍ତ ପୂଜା ମଣ୍ଡପ ଗୁଡିକରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ବିଜୟାଦଶମୀ ପୂଜାର୍ଚ୍ଚନା ଜାରି ରହିଛି । ସକାଳୁ ଉପଚାର ପୂଜା କରାଯିବା ପରେ ବିଜୟାଦଶମୀ ଅନୁଷ୍ଠିତ ହେବ । ଏହା ପରେ ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ । କିମ୍ବଦନ୍ତୀ ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ । ଦେବୀ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରକୁ ବଦ୍ଧ କରିଥିଲେ । ଆଶ୍ୱୀନ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତେବେ ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଏହା ସହ ସନ୍ଧ୍ୟାରେ ଜମିବ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହେବ ।

ଦୁର୍ଗା ପୂଜା ଅବସରରେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ରହୁଛି। ପୂଜାମଣ୍ଡପ ଗୁଡ଼ିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋକାନ ବଜାର ଏବଂ ଦୋଳି, ପୂଜା ମାହୋଲକୁ ଦ୍ୱିଗୁଣିତ କରିଦେଉଛି। କେତେକ ପୂଜାମଣ୍ଡପରେ ସୁନା, ଚାନ୍ଦି ଏବଂ ରୂପାରେ ସଜ୍ଜା ଯାଇଛି ମାଆଙ୍କୁ। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି।

 

Leave A Reply

Your email address will not be published.