Latest Odisha News

ଗୋଟିଏ ବୋତଲ ପାଣି ହିଁ ନେଇପାରେ ଜୀବନ, ଆସିଲା ଚାଞ୍ଚଲ୍ୟ କରିବା ଭଳି ରିପୋର୍ଟ

ନୂଆଦିଲ୍ଲୀ: କୌଣସି ବାହାର ସ୍ଥାନକୁ ଆପଣ ଯାଇଛନ୍ତି। ଆଉ ପ୍ରବଳ ଶୋଷ ମେଣ୍ଟାଇବାକୁ ଆପଣଙ୍କ ନିକଟରେ କୌଣସି ସାଧନ ନାହିଁ। ଏପରି ସ୍ଥଳେ ଆପଣ ନିଶ୍ଚିତ ଦୋକାନରୁ ୧୦ ରୁ ୨୦ ଟଙ୍କା ଦେଇ ଗୋଟିଏ ବୋତଲ ପିଇବା ପାଣି କିଣି ଶୋଷ ମେଣ୍ଟାଇ ଥାଆନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ପାଣି ବୋତଲ ଆପଣଙ୍କୁ ଗୁରୁତର ରୋଗରେ ପକାଇବାକୁ ଯଥେଷ୍ଟ। ଏଭଳି ଏକ ଚାଞ୍ଚଲ୍ୟ କରିବା ଭଳି ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଗୋଟିଏ ରିସର୍ଚ୍ଚ ଅନୁଯାୟୀ ଠିପି ବନ୍ଦ ପାଣି ବୋତଲ ମଧ୍ୟରେ ଲକ୍ଷାଧିକ ମାତ୍ରାରେ ପ୍ଲାଷ୍ଟିକ ଟୁକୁଡ଼ା ରହିଥାଏ। ଯାହା ଖାଲି ଆଖିକୁ ଦେଖାଯାଇନଥାଏ। ଆଉ ଆମେ ନିଶ୍ଚିନ୍ତରେ ଏହାକୁ ପିଇ ଦେଇଥାଉ। ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ପ୍ରେସିଡିଙ୍ଗ୍ସ ଅଫ ଦ ନ୍ୟାସନାଲ ଏକାଡେମୀ ଅଫ ସାଇନସ।

ରିସର୍ଚ୍ଚ ଅନୁଯାୟୀ ହାରାହାରି, ଏକ ଲିଟର ପାଣି ବୋତଲରେ ପ୍ରାୟ ୨,୪୦,୦୦୦ ପ୍ଲାଷ୍ଟିକ୍ ଖଣ୍ଡ ଥାଏ। ଏହି ଖଣ୍ଡଗୁଡ଼ିକ ପୂର୍ବ ଆକଳନଠାରୁ ଶହେ ଗୁଣା ବଡ଼ ହୋଇଥାଏ। ପୂର୍ବ ଅନୁସନ୍ଧାନରେ କେବଳ ମାଇକ୍ରୋପ୍ଲାଷ୍ଟିକ୍ କିମ୍ବା ୧ ରୁ ୫ ହଜାର ମାଇକ୍ରୋମିଟର ମଧ୍ୟରେ ଖଣ୍ଡଗୁଡ଼ିକ ମିଳିଥିଲା ​। ତିନୋଟି ଜଣାଶୁଣା କମ୍ପାନୀର ବୋତଲ ଜଳ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯଦିଓ ଏହି କମ୍ପାନୀଗୁଡିକର ନାମ ଘୋଷଣା କରାଯାଇ ନାହିଁ।

ବୋତଲରେ ପାଣିରେ ମାଇକ୍ରୋପ୍ଲାଷ୍ଟିକ୍ ଏବଂ ନାନୋପ୍ଲାଷ୍ଟିକ୍ ଅଛି ବୋଲି ବୈଜ୍ଞାନିକମାନେ ସନ୍ଦେହ କରିଥିଲେ। କିନ୍ତୁ ସେମାନେ ଚିହ୍ନଟ କରିବାରେ ଅସମର୍ଥ ହୋଇଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଆଶ୍ଚର୍ଯ୍ୟ କରିବା ଭଳି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିଛନ୍ତି। ମାଇକ୍ରୋପ୍ଲାଷ୍ଟିକ୍ ଅପେକ୍ଷା ନାନୋପ୍ଲାଷ୍ଟିକ୍ ଅଧିକ ବିପଜ୍ଜନକ ବୋଲି ବୈଜ୍ଞାନିକମାନେ କହିଛନ୍ତି। କାରଣ ସେମାନେ ମାନବ ହଜମ ପ୍ରକ୍ରିୟା ଏବଂ ଫୁସଫୁସରେ ସହଜରେ ପ୍ରବେଶ କରିପାରବେ। ଏଭଳି ସ୍ଥଳେ ଏହା କେତେ ମାତ୍ରାରେ ଶରୀର ପାଇଁ କ୍ଷତିକାରକ ହୋଇପାରେ ଆପଣ ଥରେ ଅନୁମାନ କରିନିଅନ୍ତୁ। ନବଜାତକ ଶିଶୁଙ୍କ ଠାରୁ ଆରମ୍ଭ କରି ଆବାଳବୃଦ୍ଧବନିତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଶରୀରରେ ଏହା ସହଜରେ ପ୍ରବେଶ କରିପାରେ।

ଏହା ବ୍ୟକ୍ତିଙ୍କ ଜୀବନରେ କେଉଁ ସମସ୍ୟା ସୃଷ୍ଟି କରିପାରେ ସେ ସମ୍ବନ୍ଧରେ କୌଣସି ଠୋସ୍ ପ୍ରମାଣ ନାହିଁ। କିନ୍ତୁ କୁହାଯାଏ ଯେ ଗ୍ୟାଷ୍ଟ୍ରିକ୍ ସମସ୍ୟା ସହିତ ଜନ୍ମ ସମୟରେ ପିଲାମାନଙ୍କଠାରେ ଶାରୀରିକ ଅସ୍ୱାଭାବିକତା ମଧ୍ୟ ହୋଇପାରେ। ଜଣେ ବିଶେଷଜ୍ଞ କହିଛନ୍ତି ଯେ ଆମେ କହୁ ନାହୁଁ ଯେ ଆବଶ୍ୟକ ହେଲେ ବି ବୋତଲରେ ପାଣି ପିଇବା ଉଚିତ୍ ନୁହେଁ, କିନ୍ତୁ ଟ୍ୟାପ୍ ୱାଟର ବ୍ୟବହାର କରିବା ଭଲ ହେବ।

କଣ ଏହି ନାନୋ ପ୍ଲାଷ୍ଟିକ ଓ ମାଇକ୍ରୋପ୍ଲାଷ୍ଟିକ
ମାଇକ୍ରୋପ୍ଲାଷ୍ଟିକ୍: ୫ ମିଲିମିଟରରୁ ଛୋଟ ଖଣ୍ଡକୁ ମାଇକ୍ରୋପ୍ଲାଷ୍ଟିକ୍ କୁହାଯାଉଥିବାବେଳେ ଗୋଟିଏ ମାଇକ୍ରୋମିଟର ଅର୍ଥାତ୍ ଏକ ମିଟରର ଏକ ବିଲିଅନ୍ ଅଂଶକୁ ମାଇକ୍ରୋପ୍ଲାଷ୍ଟିକ୍ କୁହାଯାଏ। ଏହି କଣିକାଗୁଡ଼ିକ ଏତେ ଛୋଟ ଯେ ସେମାନେ ହଜମ ପ୍ରକ୍ରିୟା ଦେଇ ଫୁସଫୁସରେ ପହଞ୍ଚିଯାଇଥାନ୍ତି।

ବିଗତ କିଛି ବର୍ଷ ପୂର୍ବରୁ ଖାଦ୍ୟରେ ରହୁଥିବା ପ୍ଲାଷ୍ଟିକ ଚିନ୍ତା ବଢାଇ ଦେଇଛି। ବିଶ୍ୱରେ ପ୍ରତିବର୍ଷ ୪୫୦ ମିଲିୟନ ଟନରୁ ଅଧିକ ପ୍ଲାଷ୍ଟିକର ଉତ୍ପାଦନ ହୋଇଥାଏ। ପ୍ଲାଷ୍ଟିକର ଅଧିକାଂଶ ଅଂଶ ନଷ୍ଟ ହୋଇନଥାଏ। କିନ୍ତୁ ତାହା ଆମ ଜୀବନରେ ଛୋଟ ଛୋଟ କଣିକା ସଦୃଶ ଉପଲବ୍ଧ ହୋଇଥାଏ।

Leave A Reply

Your email address will not be published.