Latest Odisha News

ପୁରୀରୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଏବେବି ଅସ୍ପଷ୍ଟ !

ନୂଆଦିଲ୍ଲୀ: ୨୦୧୯ ନୂତନବର୍ଷରେ ଗଣମାଧ୍ୟମ ଏଜେନ୍ସି ଏଏନଆଇକୁ ତାଙ୍କର ପ୍ରଥମ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ, ନିୟନ୍ତ୍ରଣ ରେଖା ନିକଟ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ରାମମନ୍ଦିର ପ୍ରସଙ୍ଗ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରିଛନ୍ତି ।

ପୁରୀରୁ ନିର୍ବାଚନ ଲଢିବା ନେଇ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ମୁହଁ ଖୋଲି କହିଛନ୍ତି, ଏହା ଏକ କଳ୍ପନାଜଳ୍ପନା ମାତ୍ର । ଏହା ଗଣମାଧ୍ୟମର ଏକ ପରିକଳ୍ପନା ହୋଇପାରେ । ଗଣମାଧ୍ୟମକୁ ମଧ୍ୟ ଭଲ କାର୍ଯ୍ୟ ମିଳିବା ଜରୁରୀ ।

ତେବେ ମୋଦିଙ୍କର ଏହି ମନ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏନେଇ ଦଳ ପକ୍ଷରୁ ସେପରି କିଛି ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିନାହିଁ କିମ୍ବା ଦଳୀୟ ଘୋଷଣା ହୋଇନାହିଁ । ଦ୍ୱିତୀୟତଃ ମୋଦି ପୁରୀରୁ ନିର୍ବାଚନ ଲଢିବେ କି ନାହିଁ ତାହା ହୁଏତ ଦଳ ଏବେଠୁ ଘୋଷଣା କରିବାକୁ ଚାହୁଁନାହିଁ । ପୂର୍ବରୁ ୨୦୧୪ ମସିହା ସାଧାରଣ ନିର୍ବାଚନରେ ନିଜ ରାଜ୍ୟ ବ୍ୟତୀତ ଉତ୍ତରପ୍ରଦେଶର ବାରଣାସୀରୁ ନିର୍ବାଚନ ଲଢି ବିପୁଳ ବିଜୟ ହାସଲ କରିପାରିଥିଲେ । ତେଣୁ ମୋଦିଙ୍କ ପୁରୀରୁ ନିର୍ବାଚନ ଲଢିବା ଏଯାଏଁ ଅସ୍ପଷ୍ଟ ।

ବିମୁଦ୍ରାକରଣ: ବିମୁଦ୍ରାକରଣ ଉପରେ ମୋଦି କହିଛନ୍ତି, ଯେଉଁମାନେ ଘରେ ପୂର୍ବରୁ ଟଙ୍କା ରଖୁଥିଲେ ସେମାନେ ଏବେ ବ୍ୟାଙ୍କରେ ଟଙ୍କା ରଖୁଛନ୍ତି । ବିମୁଦ୍ରାକରଣ ପରେ ଲୋକେ ଟ୍ୟାକ୍ସ ଚୋରୀ କରୁଥିଲେ, କିନ୍ତୁ ଏବେ ସେହି ପରିସ୍ଥିତି ଆଉ ନାହିଁ । ବିମୁଦ୍ରାକରଣର ନିଷ୍ପତ୍ତି ହଠାତ୍ ହୋଇନାହିଁ । ନୋଟବନ୍ଦୀ ଏକ ସ୍ୱଚ୍ଛ ଆର୍ଥିକ ପଦ୍ଧତି ।

ସର୍ଜିକାଲ ଷ୍ଟ୍ରାଇକ୍ : ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କରେ ମୋଦି କହିଛନ୍ତି, ମୁଁ ଜାଣିଥିଲି ଯେ, ଏହା ବହୁତ ବଡ଼ ରିସ୍କ କାର୍ଯ୍ୟ । ଏହି ସର୍ଜିକାଲ ଷ୍ଟ୍ରାଇକ୍ ଯୋଜନା କରାଯାଇଥିଲା କାରଣ ସୈନିକଙ୍କୁ ଜୀଅନ୍ତା ଜଳେଇ ମାରିଦେବା ଦ୍ୱାରା ଆମର ପ୍ରତିରକ୍ଷା ବାହିନୀ ତଥା ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କୁ ଗଭୀର ଭାବେ ଦୁଃଖିତ କରିଥିଲା । ମୋ ଲାଗି ସବୁଠୁ ବଡ଼ ବିଚାର ଦେଶର ସୈନିକମାନଙ୍କ ସୁରକ୍ଷା ଲାଗି ରହିଛି ଯେଉଁମାନେ ଆମର ଶବ୍ଦଟିଏକୁ ମାନି ନିଜ ଦେଶ ଲାଗି ପ୍ରାଣବଳୀ ଦେବାକୁ ସଦା ତତ୍ପର ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ରାତି ସମ୍ପୂର୍ଣ୍ଣ ଅନିଦ୍ରା ରହି ଏହି ସର୍ଜିକାଲ୍ ଷ୍ଟ୍ରାଇକକୁ ସେ ନିଜେ ଦେଖିଛନ୍ତି ।

କୃଷି ଋଣଛାଡ଼: କୃଷି ଋଣଛାଡ଼ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏକ ରାଜନୈତିକ ଷ୍ଟଣ୍ଟ । ଏହା କଦାପି ଚାଷୀମାନଙ୍କର ସମସ୍ୟାର ସମାଧାନ କରିପାରିବ ନାହିଁ । ସାଧାରଣତଃ କୃଷକମାନେ ମହାଜନମାନଙ୍କଠୁ ଟଙ୍କା ଧାର ସୂତ୍ରରେ ନେଇଥାଆନ୍ତି । ଅଳ୍ପକେତେକ ଚାଷୀ ବ୍ୟାଙ୍କରୁ ଋଣ ନେବାର ଦେଖାଯାଇଥାଏ । ଚାଷୀଙ୍କ ଉନ୍ନତି ଲାଗି ଚାଷୀଙ୍କୁ ସଶକ୍ତ କରିବା ଆବଶ୍ୟକତା ରହିଛି ।

ଋାମମନ୍ଦିର ପ୍ରସଙ୍ଗ: ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ମୋଦି ରାମମନ୍ଦିର ପ୍ରସଙ୍ଗ ଉପରେ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥା ଶେଷ ହେବା ପରେ ହିଁ ରାମ ମନ୍ଦିର ପ୍ରସଙ୍ଗରେ ଅଧ୍ୟାଦେଶ ଅଣାଯାଇ ପାରିବ ।

ଉର୍ଜିତ ପଟେଲ ପ୍ରସଙ୍ଗ: ଏପ୍ରସଙ୍ଗରେ ମୋଦି ତାଙ୍କର ବକ୍ତବ୍ୟ ରଖି କହିଛନ୍ତି, ସେ ୬ ମାସ ପୂର୍ବରୁ ଇସ୍ତଫା ଦେବାକୁ ଚାହୁଁଥିଲେ । ସେ ତାଙ୍କର ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେବାକୁ ଚାହୁଁଥିଲେ । ସେ ଲିଖିତ ଆକାରରେ ମଧ୍ୟ ତାହା ପ୍ରଦାନ କରିଥିଲେ । ଏଥିରେ କୌଣସିି ରାଜନୈତିକ ଚାପ ସୃଷ୍ଟି ହୋଇନାହିଁ । ଆରବିଆଇର ଗଭର୍ଣ୍ଣର ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ବିରୋଧୀ ଦଳଙ୍କ ମହାଗଠବନ୍ଧନ ପ୍ରସଙ୍ଗ: ଯେଉଁମାନେ ଦେଶକୁ ଲୁଟ୍ କରିଛନ୍ତି ଏବେ ସେମାନେ ମିଶିଯାଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ଜନତା ବନାମ ଗଠବନ୍ଧନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ମୋଦି କେବଳ ଜନସାଧାରଣଙ୍କ ପ୍ରେମ ତଥା ଆଶୀର୍ବାଦରେ ରହିଛନ୍ତି । ଜନସାଧାରଣ ଏବେ ଅବଗତ କିପିରି ଲୁଟେରାମାନେ ଦେଶକୁ ପୁଣି ଲୁଟିବା ଲାଗି ଏବେ ମିଶିଯାଇଛନ୍ତି । ଆଗାମୀ ନିର୍ବାଚନରେ ସର୍ବସାଧାରଣ ସଠିକ୍ ମତସାବ୍ୟସ୍ତ କରିବେ ।

Leave A Reply

Your email address will not be published.