Latest Odisha News

BREAKING NEWS

ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂତନ ଭାରତର ଅଭିବୃଦ୍ଧି ନିର୍ଭରଶୀଳ: ପ୍ରଧାନମନ୍ତ୍ରୀ

ନୂଆଦଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ ଠାରେ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦଘାଟିତ୍ ହୋଇଯାଇଛି ।

ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ ବୋଲି ମୋଦି ପ୍ରକାଶ କରିଛନ୍ତି । ଭାରତୀୟ ବିଜ୍ଞାନ ପ୍ରଯୁକ୍ତି ଓ ନବୋନ୍ମେଷ ପରିଦୃଶ୍ୟରେ ବୈପ୍ଳବାତ୍ମକ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି ।

“ଏ ଦେଶର ଉଦୀୟମାନ ଯୁବ ବିଜ୍ଞାନୀଙ୍କ ଲାଗି ଲକ୍ଷ୍ୟ ହେଉଛି –“ଉଦ୍ଭାବନ, ପେଟେଂଟ, ଉତ୍ପାଦନ ଏବଂ ସମୃଦ୍ଧି” । ଏହି ଚାରିଟି ପଦକ୍ଷେପ ଭାରତକୁ ଦ୍ରୁତ ଅଭିବୃଦ୍ଧି ଦିଗରେ ଆଗେଇ ନେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ଉଦ୍ଭାବନ ହେଉଛି ଆମ ନୂତନ ଭାରତର ମାର୍ଗ”। ସେ ଆହୁରି ମଧ୍ୟ କହିଥିଲେ, “ନୂତନ ଭାରତ ପ୍ରଯୁକ୍ତି ଏବଂ ତାର୍କିକ ମନୋଭାବ ଚାହେଁ, ଫଳରେ ଆମେ ଆମ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରକୁ ଏକ ନୂଆ ଦିଗ ଦେଇପାରିବା । ସେ କହିଥିଲେ, ବିଜ୍ଞାନ ଏବଂ ପ୍ରଯୁକ୍ତି ସମସ୍ତଙ୍କ ପାଇଁ ସମାନ ସୁବିଧାସୁଯୋଗ ଯୋଗାଇ ଦେବାରେ କ୍ଷେତ୍ର ପ୍ରସ୍ତୁତ କରିଥାଏ ଏବଂ ସମାଜକୁ ଯୋଡ଼ିବା ଦିଗରେ କାର୍ଯ୍ୟ କରିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ, “ବର୍ତମାନ ସମୟରେ ସୂଚନା ଏବଂ ସଂଚାର ପ୍ରଯୁକ୍ତିର ବିକାଶ ଫଳରେ ସମସ୍ତେ ଶସ୍ତା ଦରରେ ସ୍ମାର୍ଟ ଫୋନ ଏବଂ ଶସ୍ତା ଡାଟା ପାଇପାରୁଛନ୍ତି । ଏହା ଦେଶରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁଛି, ପୂର୍ବରୁ ଏହା ମାତ୍ର କିଛି ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଥିଲା । ଏବେ ସେ ସିଧାସଳଖ ସରକାରଙ୍କ ସହ ଯୋଡ଼ି ହୋଇପାରିବ ଏବଂ ତା’ କଥା ଶୁଣାଯାଇପାରିବ ।”

ପ୍ରଧାନମନ୍ତ୍ରୀ ଯୁବ ବୈଜ୍ଞାନିକମାନଙ୍କୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଆହ୍ୱାନ କରିଥିଲେ, କାରଣ ସେଠାରେ ଶସ୍ତା ଏବଂ ଉନ୍ନତ ଉଦ୍ଭାବନ ଲାଗି ବ୍ୟାପକ ସମ୍ଭାବନା ରହିଛି ।

୧୦୭ତମ ଆଇଏସସିର ବିଷୟବସ୍ତୁ- “ବିଜ୍ଞାନ ଓ ପ୍ରଯୁକ୍ତି : ଗ୍ରାମୀଣ ବିକାଶ”, ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ବିଜ୍ଞାନ ଓ ପ୍ରଯୁକ୍ତି କାରଣରୁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଁଚିପାରିଛି ।

ସେ ଉଲ୍ଲେଖ କରିଥିଲେ ଯେ ବିଶ୍ୱସ୍ତରରେ ବିଶ୍ଳେଷଣାତ୍ମକ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକାଶନୀ ସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତମାନ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ ଏହି ଅଭିବୃଦ୍ଧି ହାର ମାତ୍ର ୪% ରହିଥିବା ବେଳେ ଭାରତ ୧୦% ହାରରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରୁଛି ।”
ନବୋନ୍ମେଷ ସୂଚକାଙ୍କରେ ଭାରତ ୫୨ତମ ର‌୍ୟାଙ୍କକୁ ଉନ୍ନୀତ ହେବା ବିଷୟରେ ସେ ଉଲ୍ଲେଖ କରିଥିଲେ । ପୂର୍ବ ୫୦ ବର୍ଷ ଅପେକ୍ଷା ଗତ ୫ ବର୍ଷ ମଧ୍ୟରେ ସରକାରଙ୍କ କାର୍ଯ୍ୟକ୍ରମ ଅଧିକ ଇନକ୍ୟୁବେଟର ସୃଷ୍ଟି କରିଛି ବୋଲି ସେ କହିଥିଲେ ।

Leave A Reply

Your email address will not be published.