Latest Odisha News

BREAKING NEWS

‘ପିଏମ୍ କିଷାନ କ୍ରେଡିଟ୍ କାର୍ଡ’ର କିପରି ସୁବିଧା ନେଇ ପାରିବେ ଚାଷୀ, ଜାଣନ୍ତୁ

ନୂଆଦିଲ୍ଲୀ: ସମସ୍ତ ପିଏମ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ (କେସିସି) ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି । ଫଳରେ ଏ ସମସ୍ତ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପୁନଃପରିଶୋଧ କରିବା ଉପରେ ସର୍ବାଧିକ ୪ ପ୍ରତିଶତ ସୁଧ ହାରରେ କୃଷି, ପଶୁ ଓ ମତ୍ସ୍ୟପାଳନ ଲାଗି ସ୍ୱଳ୍ପକାଳୀନ ଋଣ ମିଳିପାରିବ ।

ଏହି ଅଭିଯାନ ୧୦ ଫେବୃଆରୀ, ୨୦୨୦ରୁ ଆରମ୍ଭ ହୋଇଥିବା ବେଳେ ୧୫ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ, ସବୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ନାବାର୍ଡ ଅଧ୍ୟକ୍ଷଙ୍କୁ ଜାରି କରାଯାଇଛି । କେସିସି ଅଧୀନରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ସାମିଲ କରିବା ନିମନ୍ତେ ଅବଲମ୍ବନ ହେବାକୁ ଥିବା ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ବିବରଣୀ ଏଥିରେ ଦିଆଯାଇଛି ।

କେସିସି ନଥିବା ପିଏମ-କିଷାନ ହିତାଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସମେତ ବ୍ୟାଙ୍କର ଏମଡିମାନଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ କୃଷି, ପଶୁପାଳନ, ପଂଚାୟତ ଏବଂ ଗ୍ରାମୀଣ ବିକାଶ ବିଭାଗ ସଚିବଙ୍କ ଜରିଆରେ ଏପରି ହିତାଧିକାରୀଙ୍କ ସହିତ ଯୋଗାଯୋଗ କରିବା ଲାଗି ମଧ୍ୟ କୁହାଯାଇଛି । ଏନଆରଏଲଏମ ଯୋଜନା ଅନ୍ତର୍ଗତ ‘ବ୍ୟାଙ୍କ ସଖୀ’ମାନଙ୍କ ଜରିଆରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ସଚେତନ କରିବେ । ଫଳରେ ହିତାଧିକାରୀମାନେ କିଷାନ କ୍ରେଡିଟ କାର୍ଡ ପାଇଁ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯିବା ଲାଗି ପ୍ରସ୍ତୁତ ହେବେ ।

କେସିସି ଜରିଆରେ ସୁଧ ରିହାତି ସୁବିଧା ଏଣିକି ମତ୍ସ୍ୟ ଓ ପଶୁପାଳନ କରୁଥିବା ଚାଷୀଙ୍କୁ ମଧ୍ୟ ମିଳିବ । ଏହାକୁ ଦୃଷ୍ଟିରେ ରଖି ଏପରି କୃଷକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଅତିରିକ୍ତ ଋଣ ସୀମା ଓ ନୂଆ କ୍ରେଡିଟ କାର୍ଡ ଜାରି କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି ।

ଆବେଦନ ପ୍ରକ୍ରିୟାକୁ ସରଳ କରିବା ଲାଗି ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଛି-

୧. ଗୋଟିଏ ପୃଷ୍ଠା ବିଶିଷ୍ଟ ଏକ ସରଳ ଫର୍ମ ପ୍ରସ୍ତୁତ କରାଯାଇଛି । ପିଏମ କିଷାନ ଯୋଜନା ଅନ୍ତର୍ଗତ ବ୍ୟାଙ୍କ ନିକଟରେ ରହିଥିବା ହିତାଧିକାରୀଙ୍କ ତଥ୍ୟ ଏଥିରେ ଉପଯୋଗ କରାଯିବ । ହିତାଧିକାରୀ କେବଳ ଜମି ରେକର୍ଡ ଏବଂ ଫସଲ ବୁଣିବାର ବିବରଣୀ ଫର୍ମରେ ପୂରଣ କରିବେ ।

୨. ଗୋଟିଏ ପୃଷ୍ଠାର ଫର୍ମ ସାରା ଦେଶର ସମସ୍ତ ପ୍ରମୁଖ ସମ୍ବାଦପତ୍ରରେ ବିଜ୍ଞାପନ ଜରିଆରେ ପ୍ରକାଶିତ ହେବ । ଏହାକୁ ହିତାଧିକାରୀ କାଟି ନେଇ ପୂରଣ କରିପାରିବେ ।

୩. ଏହି ଫର୍ମ ସମସ୍ତ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି) ସହିତ ଭାରତ ସରକାରଙ୍କ କୃଷି ବିଭାଗ, ସମବାୟ ଓ କୃଷକ କଲ୍ୟାଣ ବିଭାଗର ୱେବସାଇଟ (ଙ୍ଗଙ୍ଗଙ୍ଗ.ବଶକ୍ସସମକ୍ଟକ୍ଟକ୍ଟ୍ର.ଶକ୍ଟଙ୍ଖ.ସଦ୍ଭ) ଏବଂ ପିଏମ-କିଷାନ ପୋର୍ଟାଲ (ଙ୍ଗଙ୍ଗଙ୍ଗ.କ୍ଟ୍ରଜ୍ଞଳସଗ୍ଦବଦ୍ଭ.ଶକ୍ଟଙ୍ଖ.ସଦ୍ଭ)ରୁ ମଧ୍ୟ ଡାଉନଲୋଡ କରାଯାଇପାରିବ ।

୪. ଫର୍ମ ପୂରଣ କରିବା ଏବଂ ନିର୍ଦ୍ଧାରିତ ବ୍ୟାଙ୍କ ଶାଖାକୁ ପଠାଇବାର ଦାୟିତ୍ୱ ଜନ ସେବା କେନ୍ଦ୍ରଗୁଡ଼ିକୁ ଦିଆଯାଇଛି ।
ସବୁ ବ୍ୟାଙ୍କଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ଏପରି ଆବେଦନ ଗ୍ରହଣ ଲାଗି ପୃଥକ କାଉଂଟର ଖୋଲିବେ । ଆବେଦନ କରିବା ତାରିଖ ଠାରୁ ୧୪ ଦିନ ମଧ୍ୟରେ ନୂଆ କିଷାନ କ୍ରେଡିଟ କାର୍ଡ ଜାରି କରିବେ କିମ୍ବା ବର୍ତମାନର କେସିସି ସମୟସୀମା ବୃଦ୍ଧି ଅଥବା ରଦ୍ଦ କରିବା କାର୍ଯ୍ୟ ଶେଷ କରିବେ ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଦୈନନ୍ଦିନ ଭିତିରେ ଏହି ଅଭିଯାନର କାର୍ଯ୍ୟକାରିତା ନିରୀକ୍ଷଣ କରିବେ । ଜିଲ୍ଲାସ୍ତରରେ ଶୀର୍ଷ ଜିଲ୍ଲା ପ୍ରବନ୍ଧକ ଓ ଡିଡିଏମ, ନାବାର୍ଡଙ୍କ ପୂର୍ଣ୍ଣ ସହଯୋଗରେ ଜିଲ୍ଲାପାଳ ଏହି ଅଭିଯାନର କାର୍ଯ୍ୟକାରିତା ସୁନିଶ୍ଚିତ କରିବେ ।

କେସିସି ବ୍ୟତୀତ, ପିଏମ କିଷାନ ହିତାଧିକାରୀ ଓ ଯୋଗ୍ୟ କୃଷକମାନଙ୍କ ଠାରୁ ଅନୁମତି ନିଆଯାଇ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା (ପିଏମଜେଜେବିୱାଇ) ଲାଗି ନାମାଙ୍କନ କରାଯିବ । ଏହି ଯୋଜନାରେ ଦୁର୍ଘଟଣା ଓ ଜୀବନ ବୀମା ପାଇଁ ଯଥାକ୍ରମେ ୧୨ଟଙ୍କା ଓ ୩୩୦ ଟଙ୍କାର ପ୍ରିମିୟମ ସହିତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳିବ ।

Leave A Reply

Your email address will not be published.