ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି। ଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ତାରିଖ ଅର୍ଥାତ୍ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ମୋଦି।
ଭାରତୀୟ ପକ୍ଷରୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୮୧ ମସିହାରେ ଅର୍ଥାତ ୪୩ ବର୍ଷ ପୂର୍ବେ କୁଏତ ଗସ୍ତ କରିଥିଲେ। ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀ ୨୦୦୯ରେ ପଶ୍ଚିମ ଏସୀୟ ଦେଶ ଗସ୍ତ କରିଥିଲେ। ଆଜି ଭାରତର ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରମୁଖ ନେତା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ କୁଏତରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ପ୍ରଧାନମନ୍ତ୍ରୀ ସକାଳ ୯ଟା ୧୫ରେ କୁଏତ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ସମୟ ୧୧ଟା ୩୫ରେ ପ୍ରଧାନମନ୍ତ୍ରୀଙ୍କ ସେଠାରେ ଅବତରଣ କରିବ। ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତୀୟ ସମୁଦାୟ ପକ୍ଷରୁ ମୋଦିଙ୍କ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଏହି ଗସ୍ତ ସହାୟକ ହେବ। ମୋଦିଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଏବଂ ଅନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ। କୁଏତରେ ରହୁଥିବା ଭାରତୀୟ ସମୁଦାୟ ସବୁଠାରୁ ବଡ ପ୍ରବାସୀ ସମୁଦାୟ।