PM Modi’s Diwali: ନକ୍ସଲ ଗଡ଼ରେ ବିକାଶର ଦୀପ! ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପିଏମ୍ ମୋଦୀ, ୨୦୧୪ରୁ ୨୦୨୬ ଏମିତି କାଟିଛନ୍ତି ଦୀପାବଳି…
ନୂଆଦିଲ୍ଲୀ: ଛତିଶଗଡ଼ର ବସ୍ତରରେ ଦେଶର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ନକ୍ସଲବାଦର ଅନ୍ତ ଏବଂ ବସ୍ତରରେ ବିକାଶର ନୂଆ ଧାରାକୁ ନେଇ ବଡ଼ ବୟାନ ଦେଇଛନ୍ତି ମୋଦୀ। ସେ କହିଛନ୍ତି, ଦେଶ ପାଇଁ ଏହା ପ୍ରଥମ ଦୀପାବଳି, ଯେତେବେଳେ ଭାରତ ନକ୍ସଲବାଦରୁ ମୁକ୍ତ ହୋଇଛି। ତେବେ ନକ୍ସଲବାଦ ଶେଷ ହୋଇଥିଲେ ମଧ୍ୟ ବିପଦ ଏବେ ସମ୍ପୂର୍ଣ୍ଣ ଟଳିନାହିଁ। ଯବାନଙ୍କୁ ନିଜ ପରିବାର ବୋଲି ସମ୍ବୋଧନ କରି ମୋଦୀ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, “ମୋର ବୀର ସୈନିକମାନଙ୍କ ସହ ବିତାଇଥିବା ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ। ଏଥର ଆପଣମାନଙ୍କ ସହ ଦୀପାବଳି ପାଳନ କରିବାକୁ ମୁଁ ବସ୍ତର ମାଟିକୁ ଆସିଛି।”
ବସ୍ତରର ଅତୀତକୁ ମନେ ପକାଇ ମୋଦୀ କହିଥିଲେ, ଏହି ମାଟି ଦିନେ ନକ୍ସଲ ଆତଙ୍କର ଭୟଙ୍କର ପ୍ରଭାବ ଦେଖିଥିଲା। କିନ୍ତୁ ଯବାନଙ୍କ ତ୍ୟାଗ, ବଳିଦାନ ଓ ସମର୍ପଣ ଯୋଗୁଁ ଏଠାରେ ନକ୍ସଲ ଆତଙ୍କର ଅନ୍ତ ହୋଇଛି ଏବଂ ବିକାଶର ନୂଆ ଲହର ଆରମ୍ଭ ହୋଇଛି। ଏହା ସହ ମାନସିକ ନକ୍ସଲବାଦକୁ ନେଇ ମଧ୍ୟ ସତର୍କ କରିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ କହିବା ଅନୁସାରେ, ନକ୍ସଲବାଦ ଶେଷ ହୋଇଥିଲେ ମଧ୍ୟ କିଛି ଲୋକ ଏବେ ବି ଲୋକଙ୍କୁ ଉସକାଉଛନ୍ତି। ସେମାନଙ୍କୁ ପରାସ୍ତ କରିବା ଆବଶ୍ୟକ। ବସ୍ତରରେ ଯବାନଙ୍କ ସହ ମୋଦୀଙ୍କ ଦୀପାବଳି ପାଳନ ଏବଂ ତାଙ୍କର ଏହି ବୟାନ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରୁ ପ୍ରତିବର୍ଷ ଦେଶର ବିଭିନ୍ନ ସୀମା ଓ ସୁରକ୍ଷା କ୍ଷେତ୍ରରେ ଯବାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି।
- ୨୦୧୪: ଲଦାଖର ସିଆଚିନ୍ ବେସ୍ କ୍ୟାମ୍ପରେ ଯବାନଙ୍କ ସହ ଦୀପାବଳି।
- ୨୦୧୫: ପଞ୍ଜାବର ଅମୃତସର ଖାସାସ୍ଥିତ ଡୋଗରାଇ ଯୁଦ୍ଧ ସ୍ମାରକରେ।
- ୨୦୧୬: ହିମାଚଳ ପ୍ରଦେଶର ସୁମଦୋରେ ସେନା ଓ ITBP ଯବାନଙ୍କ ସହ।
- ୨୦୧୭: ଜମ୍ମୁ-କଶ୍ମୀରର ଗୁରେଜ୍ ଉପତ୍ୟକାରେ।
- ୨୦୧୮: ଉତ୍ତରାଖଣ୍ଡର ହର୍ଷିଲରେ ସେନା ଓ ITBP ଯବାନଙ୍କ ସହ, ପରେ କେଦାରନାଥ ଗସ୍ତ।
- ୨୦୧୯: ଜମ୍ମୁ-କଶ୍ମୀରର ରାଜୌରୀରେ LOC ନିକଟରେ।
- ୨୦୨୦: ରାଜସ୍ଥାନର ଜୈସଲମେରସ୍ଥିତ ଲୋଙ୍ଗେୱାଲା ବର୍ଡର ପୋଷ୍ଟରେ।
- ୨୦୨୧: ଜମ୍ମୁ-କଶ୍ମୀରର ନୌଶେରାରେ।
- ୨୦୨୨: ଲଦାଖର କାର୍ଗିଲରେ।
- ୨୦୨୩: ହିମାଚଳ ପ୍ରଦେଶର ଲେପ୍ଚାରେ।
- ୨୦୨୪: ଗୁଜରାଟର କଚ୍ଛ ଅଞ୍ଚଳର ଲକ୍କି ନାଳା ଓ ସର୍ କ୍ରିକ୍ରେ।
- ୨୦୨୫: ଗୋଆ ଓ କାରୱାର ନିକଟ ପଶ୍ଚିମ ସାମୁଦ୍ରିକ ସୀମାରେ INS ବିକ୍ରାନ୍ତରେ ନୌସେନା ଯବାନଙ୍କ ସହ।
- ୨୦୨୬: ଛତିଶଗଡ଼ର ବସ୍ତରରେ ସୁରକ୍ଷା ବାହିନୀର ଯବାନଙ୍କ ସହ।
ଏଥର ବସ୍ତରରେ ଦୀପାବଳି ପାଳନ କରିବାକୁ ଯାଉଥିବା ମୋଦୀଙ୍କ ଗସ୍ତ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା, ବିକାଶ ଓ ପରିବର୍ତ୍ତନର ବାର୍ତ୍ତା ଦେଉଛି।
