Latest Odisha News

BREAKING NEWS

ଓଡିଶାରେ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ଵର: ଆଉ ଗୋଟିଏ ପାଦ ଆଗେଇଲା ଓଡ଼ିଶାର ରେଳ ଭିତ୍ତିଭୂମି । ରାଜ୍ୟକୁ ମିଳିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶାଖାପାଟଣା-ଭୁବନେଶ୍ଵର ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିକାଶ ପାଇଁ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି । ଏହିକ୍ରମରେ ଦେଶ ଉଦ୍ଦେଶ୍ୟରେ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଥିମଧ୍ୟରୁ ଓଡିଶାର ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ରହିଛି ।

ସୂଚନା ଅନୁସାରେ, ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଚାଲିବ। ଏହି ଟ୍ରେନ ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ ଏବଂ ବିଜ଼ୟନଗରମଠାରେ ରହିବ । ତେବେ ଶନିବାର ବ୍ୟତୀତ ସପ୍ତାହର ଅନ୍ୟ ସମସ୍ତ ଦିନ ଏହି ଟ୍ରେନ ଚଳାଚଳ କରିବ ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଅଛନ୍ତି । ଦେଶର ବିଭିନ୍ନ ରେଳ ଷ୍ଟେଶନରେ ଏକସଙ୍ଗେ ୧୦ ହଜାର ଲାଇଭ ସ୍କ୍ରିନ ମାଧ୍ୟମରେ ଭାରତର ୭୬୪ଟି ସ୍ଥାନରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ମୋଟ ୬ହଜାରଟି ପ୍ରକଳ୍ପ ମଧ୍ୟରୁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨୭୪ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏଥିରେ ୧୦ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଅନ୍ତର୍ଭୁକ୍ତ | ବର୍ତ୍ତମାନ ଭାରତୀୟ ରେଳ ୪୧ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଚଳାଚଳ କରୁଛି | ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ସିଏମ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟ ବିଜେପି ମୁଖ୍ୟ ସିଆର୍ ପାଟିଲ ମଧ୍ୟ ଉପସ୍ଥିତ ଥିଲେ।

ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ମୋ ଜୀବନ ଏହି ରେଳ ଧାରଣାରୁ ହିଁ ଆରମ୍ଭ କରିଛି। ଏହି ୧୦ ବର୍ଷର କାମ କେବଳ ଏକ ଟ୍ରେଲର, ମୋତେ ଆହୁରି ଆଗକୁ ଯିବାର ଅଛି । ସ୍ଵାଧୀନତାର ପରବର୍ତ୍ତୀ ସରକାର ରାଜନୈତିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିଲେ, ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ରେଳବାଇର ବିକାଶ ହୋଇନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି ମଧ୍ୟ କହିଛନ୍ତି, “ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ରେଳବାଇକୁ ନବୀକରଣ କରାଯିବ। ପୂର୍ବରୁ ରେଳ ସଂରକ୍ଷଣରେ ଦଲାଲୀ ହେଉଥିଲା, ପିସି କାରବାର ହେଉଥିଲା, କିନ୍ତୁ ଏବେ ଏସବୁ ବନ୍ଦ ହେବ । ରେଳବାଇର ନବୀକରଣ ହିଁ ବିକଶିତ ଭାରତର ଗ୍ୟାରେଣ୍ଟି ଅଟେ। । “

Leave A Reply

Your email address will not be published.