Latest Odisha News

ଆନ୍ଧ୍ରପ୍ରଦେଶକୁ ୧୦,୫୦୦ କୋଟିର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ବିଶାଖାପାଟନମ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ୧୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପକୁ  ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ବିପ୍ଳବ ଭେରୁଦୁ ଆଲୁରୁ ସୀତାରାମରାଜଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ସେ ଆନ୍ଧ୍ରପ୍ରଦେଶ ଗସ୍ତ କରିବାର ସୁଯୋଗ ପାଇଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ମୋଦୀ କହିଥିଲେ, ଭାରତ ଆକାଂକ୍ଷାର ପେଣ୍ଠସ୍ଥଳ ।

ଏହି ପ୍ରୋଜେକ୍ଟ ଗୁଡିକ ମଧ୍ୟରେ ରହିଛି ୬ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ରାୟପୁର-ବିଶାଖାପାଟନମ୍ ଇକୋନୋମିକ କରିଡର । ୩୭୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହେବ ଏହି ଗ୍ରୀନଫିଲ୍ଡ କରିଡର । ଛତିଶଗଡ ଓ ଓଡ଼ିଶାର ଶିଳ୍ପ କ୍ଷେତ୍ର ଗୁଡିକ ସହିତ ବିଶାଖାପାଟନମ୍ ପୋର୍ଟ ଏବଂ ଚେନ୍ନାଇ-କୋଲକାତା ଜାତୀୟ ରାଜପଥର ସଂଯୋଗୀକରଣ କରିବ ଏହି କରିଡର । ଉଭୟ ଆନ୍ଧ୍ର ଓ ଓଡିଶାର ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ ଗୁଡିକ ମଧ୍ୟ ଏହି ସଂଯୋଗୀକରଣରୁ ଲାଭବାନ ହେବେ ।  ପ୍ରଧାନମନ୍ତ୍ରୀ ଶ୍ରୀକାକୁଲମ-ଗଜପତି କରିଡରର ଅଂଶସ୍ୱରୂପ ନାରାସନ୍ନାପେଟାରୁ ପାଠପଟନମ୍ ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ବି ଲୋକାର୍ପିତ କରିଛନ୍ତି । ୨୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି ।

ଏହାସହିତ ୨୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଏନଜିସିର ୟୁ-ଫିଲ୍ଡ ଅନସୋର୍ ଡିପଓ୍ୱାଟର ବ୍ଲକ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ  । ଏହି ବ୍ଲକରୁ ଦୈନିକ ୩ ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ଗ୍ୟାସ ଉତ୍ପନ୍ନ ହେବ । ସେ ପ୍ରାୟ ୬.୬୫  ମେଟ୍ରିକ୍ ଷ୍ଟାଣ୍ଡାର୍ଡ ଘନ ମିଟର କ୍ଷମତା ବିଶିଷ୍ଟ ଗେଲର ଶ୍ରୀକାକୁଲମ୍ ଅନଗୁଳ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ପ୍ରକଳ୍ପର ମୂଳଦୁଆ ପକାଇବେ । ଏହି ୭୪୫ କିଲୋମିଟର ଲମ୍ବା ପାଇପଲାଇନ ମୋଟ ୨୬୫୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମାଣ ହେବ ।

ପ୍ରାକୃତିକ ଗ୍ୟାସ୍ ଗ୍ରୀଡ୍ ର ଏକ ଅଂଶ ହୋଇ ଏହି ପାଇପଲାଇନ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ବିଭିନ୍ନ ଜିଲ୍ଲାରେ ଘରୋଇ ପରିବାର, ଶିଳ୍ପ, ବାଣିଜ୍ୟିକ ୟୁନିଟ୍ ଏବଂ ଅଟୋମୋବାଇଲ୍ କ୍ଷେତ୍ରକୁ ପ୍ରାକୃତିକ ଗ୍ୟାସ୍ ଯୋଗାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୃଷ୍ଟି କରିବ । ଏହି ପାଇପଲାଇନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଏବଂ ଭିଜିଆନଗରାମ ଜିଲ୍ଲାର ସିଟି ଗ୍ୟାସ ବିତରଣ ନେଟୱାର୍କକୁ ପ୍ରାକୃତିକ ଗ୍ୟାସ ଯୋଗାଇବ।

Leave A Reply

Your email address will not be published.