Latest Odisha News

BREAKING NEWS

ଜାକିର୍ ନାଏକ ପ୍ରତ୍ୟର୍ପଣ ନେଇ ମାଲେସିଆକୁ ଜଣାଇଲେ ମୋଦୀ

ମସ୍କୋ: ଏବେ ରୁଷିଆ ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର୍ ପୁଟିନଙ୍କ ସହିତ ଆଲୋଚନା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷୀକ ବୁଝାମଣାରେ ସ୍ୱାକ୍ଷର କରିଥିଲେ ମୋଦୀ । ମୋଦୀ ଗୁରୁବାର ଦିନ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର୍ ମହମ୍ମଦଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରିଛନ୍ତି । ଏହି ଆଲୋଚନା ବୈଠକରେ ମୋଦୀ ବିବାଦୀୟ ଇସଲାମିକ ନେତା ଜାକିର୍ ନାଏକ ପ୍ରତ୍ୟର୍ପଣ ପ୍ରସଙ୍ଗ ଉତଥାପନ କରିଥିବାର ସୂଚନା ମିଳିଛି ।

ରୁଷିଆର ଭ୍ଲାଡ଼ିଭୋଷ୍ଟକ ସହରରେ ଚାଲିଥିବା ‘ ପଞ୍ଚମ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ’ (ଇଇଏଫ) ବୈଠକରେ ଏହି ଦୁଇ ନେତା ଯୋଗ ଦେବା ସହିତ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା କରିଛନ୍ତି ବୋଲି ପିଟିଆଇ ସୂତ୍ରରୁ ଜଣାପଡ଼ିଛି ।

“ପ୍ରଧାନମନ୍ତ୍ରୀ ମୋଦୀ ଜାକିର୍ ନାଏକ ପ୍ରତ୍ୟର୍ପଣ ପ୍ରସଙ୍ଗ ଉଠାଇଛନ୍ତି । ଏହା ଆମ ଦୁଇ ଦେଶ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଏହି ପ୍ରସଙ୍ଗକୁ ନେଇ ଦୁଇ ଦେଶର ବରିଷ୍ଠ ଅଧିକାରୀମାନେ ପରବର୍ତ୍ତୀ ସମୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି,” ବୋଲି ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଜାକିର୍ ଟିଭି ଚ୍ୟାନେଲ୍ ମାଧ୍ୟମରେ ଧର୍ମ ପ୍ରବଚନ ଦେଉଥିଲେ ମଧ୍ୟ ତାଙ୍କର ବିବାଦୀୟ ମନ୍ତବ୍ୟ ତଥା ବୟାନ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଏ । ସେ ଭାରତରୁ ଚାଲିଯାଇ ୨୦୧୬ ମସିହାରେ ଇସଲାମିକ ଦେଶ ମାଲେସିଆର ସ୍ଥାୟୀ ବାସିନ୍ଦା ରୂପେ ରହିଆସୁଛନ୍ତି ।

ସବୁଠାରୁ ବଡ଼କଥା ହେଲା, ଜାକିର୍ କେବଳ ଭାରତରେ ନୁହେଁ ମାଲେସିଆରେ ମଧ୍ୟ ସେଠାରେ ବସବାସ କରୁଥିବା ଭାରତୀୟ ହିନ୍ଦୁ ଏବଂ ପ୍ରବାସୀ ଚୀନ ନାଗରିକଙ୍କ ବିରୋଧରେ ବିବାଦୀୟ ପ୍ରବଚନ ଦେଉଥିଲେ । ଅଗଷ୍ଟ ୮ ତାରିଖରେ ଏହାକୁ ନେଇ ତାଙ୍କୁ ସେଠାରେ ପ୍ରବଚନ ଦେବାକୁ କଟକଣା ଜାରି କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ କାଶ୍ମୀର ପ୍ରସଙ୍ଗ ତଥା ଆତଙ୍କବାଦ ବିରୋଧରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.