ନୂଆଦିଲ୍ଲୀ: ପରିସୀମନ ବିଲ୍କୁ ନେଇ ଦିଲ୍ଲୀରେ ରାଜନୈତିକ ତାତି ବଢ଼ିଛି। ପରିସୀମନ ବିଲ୍ ପାସ୍ କରାଇବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସମର୍ଥନ ରହିଥିବା ନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର NDA ସାଂସଦଙ୍କ ସହ ଏକ ବୈଠକରେ ମୋଦି ଏନେଇ ଆଲୋଚନା କରିଥିବା ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ଚଳିତ ଅଗଷ୍ଟ ମାସରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇପାରେ। ଏହି ସ୍ୱତନ୍ତ୍ର ଅଧିବେଶନରେ ପରିସୀମନ ବିଲ୍ ସହିତ ମହିଳା ସଂରକ୍ଷଣ ସମ୍ପର୍କିତ ବିଲ୍ ଉପରେ ମଧ୍ୟ ସରକାର ଆଗକୁ ବଢ଼ିବାକୁ ଚେଷ୍ଟା କରିପାରନ୍ତି। ତେବେ ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଔପଚାରିକ ଘୋଷଣା ହୋଇନାହିଁ।
ବୈଠକରେ ପରିସୀମନ ବିଲ୍କୁ ନେଇ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମର୍ଥନ ଥିବା ଜଣାପଡିଛି । କୁହାଯାଉଛି ପ୍ରାୟ ୩୬୬ ସାଂସଦଙ୍କ ସମର୍ଥନ ଏନଡିଏକୁ ମିଳିପାରେ । ଯଦି ବର୍ତ୍ତମାନ ଏହି ବିଲ୍ ଆଗକୁ ନବଢ଼େ, ତେବେ ସ୍ୱତନ୍ତ୍ର ଅଧିବେଶନ ଡାକି ପରିସୀମନ ଓ ମହିଳା ସଂରକ୍ଷଣ ସମ୍ପର୍କିତ ବିଧେୟକ ଉପରେ ଆଲୋଚନା ଓ ପଦକ୍ଷେପ ନିଆଯାଇପାରେ ବୋଲି ସାଂସଦମାନଙ୍କୁ କୁହାଯାଇଥିବା ସୂଚନା ରହିଛି। ପରିସୀମନ ପ୍ରକ୍ରିୟା ସମୟରେ ସାଂସଦମାନଙ୍କ ନିର୍ବାଚନମଣ୍ଡଳୀର ସ୍ୱାର୍ଥ ଓ ଚିନ୍ତାକୁ ଧ୍ୟାନରେ ରଖାଯିବ ବୋଲି ମଧ୍ୟ ବୈଠକରେ ଆଶ୍ୱାସନ ଦିଆଯାଇଥିବା କୁହାଯାଉଛି।
ଏପଟେ ପରିସୀମନ ବିଲ୍କୁ ନେଇ ରାଜନୈତିକ ଚିତ୍ର ମଧ୍ୟ ରୋଚକ ହୋଇଛି। ସୂତ୍ର ଅନୁସାରେ, ତାମିଲନାଡୁର ଶାସକ ଦଳ DMK ଏହି ପ୍ରସଙ୍ଗରେ NDAକୁ ସମର୍ଥନ କରିବା ପାଇଁ ୩ଟି ସର୍ତ୍ତ ରଖିଛି। ତେଣୁ ବିଲ୍କୁ ନେଇ ଆଗାମୀ ଦିନରେ ରାଜନୈତିକ ଆଲୋଚନା ଆହୁରି ତୀବ୍ର ହୋଇପାରେ।
ଏବେ ନଜର ରହିଛି, ପରିସୀମନ ବିଲ୍ ଉପରେ ସରକାର ଦାବି କରୁଥିବା ସମର୍ଥନ ବାସ୍ତବରେ କେତେ ରହିଛି ଏବଂ ଅଗଷ୍ଟରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ କେବେ ଔପଚାରିକ ଘୋଷଣା ହେଉଛି।
