Latest Odisha News

BREAKING NEWS

ବିଜେପିକୁ ପ୍ରିୟଙ୍କା ଡର! ମୋଦି ଯିବେ ମଧ୍ୟପ୍ରଦେଶ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରୁଛନ୍ତି।

ଏପରିକି ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ନର୍ମଦା ପୁଜନ କରିବା ସହ ବିଧିବଦ୍ଧ ପ୍ରଚାରର ଶୁଭାରମ୍ଭ କରିଛନ୍ତି। କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ଦଳ ୫ ଟି ଗ୍ୟାରେଣ୍ଟି ନେଇ ଆଗକୁ ବଢୁଛି।

କଂଗ୍ରେସର ଆଗୁଆ ଜୋରଦାର ପ୍ରଚାରକୁ କାଉଣ୍ଟର କରିବାକୁ ବିଜେପି ଅଣ୍ଟା ଭିଡ଼ିଛି। ଚଳିତ ମାସ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳରୁ ସାରା ଦେଶର ଦଳୀୟ କାର୍ଯ୍ୟକାର୍ତ୍ତାଙ୍କୁ ଭରଚୁଆଲ ମାଧ୍ୟମରେ ଉଦବୋଧନ ଦେବେ।

ଦେଶର ୧୦ ଲକ୍ଷ ବୁଥ କାର୍ଯ୍ୟକର୍ତା ମୋଦୀଙ୍କ ସହ ଯୋଡ଼ିହେବେ ବୋଲି କୁହାଯାଇଛି। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟପ୍ରଦେଶରେ ଦମଦାର ଶୋ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟପ୍ରଦେଶ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେପଟେ ମୋଦିଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଯାଦବଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି। ମୋଦିଙ୍କ ଗସ୍ତକୁ ନେଇ ଅରୁଣ ଯାଦବ ବିବାଦୀୟ ବୟାନ ଦେଇଛନ୍ତି। ମୋଦିଙ୍କ ବାପାଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଯାଦବ। ଯାହାକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି।

ଏହି ମନ୍ତବ୍ୟକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅରୁଣଙ୍କୁ ଟାର୍ଗେଟ କରିଛନ୍ତି। ଯାଦବଙ୍କ ଏହି ମନ୍ତବ୍ୟ ତାଙ୍କର ନ୍ୟୁନ ମାନସିକତା ବୋଲି ଶିଵରାଜ କହିଛନ୍ତି। ଏହା କଂଗ୍ରେସର ସଂସ୍କୃତିକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ମୋଦି ଦେଶର ଗର୍ବ ବୋଲି କହିବା ସହ କଂଗ୍ରେସ ମୋଦିଙ୍କ ସହ ଟକ୍କର ଦେଇ ପାରୁ ନ ଥିବାରୁ ଏଭଳି ବ୍ୟବହାର କରୁଛି ବୋଲି ଶିବରାଜ କହିଛନ୍ତି।

ମଧ୍ୟପ୍ରଦେଶ ବିଜେପି ସଭାପତି ବିଷ୍ଣୁ ଦତ୍ତ ଶର୍ମା ଏହାକୁ ନିନ୍ଦା କରିବା ସହ ଅରୁଣ ଯାଦବ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି। ତେଣୁ ଗୋଟିଏ ପଟେ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ମୋଦୀଙ୍କ ବିରୋଧରେ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେପଟେ ପ୍ରିୟଙ୍କାଙ୍କ ଗସ୍ତ ପରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଆସୁଥିବାରୁ ବିଜେପି ନେତା କର୍ମୀ ଓ କାର୍ଯ୍ୟକର୍ତା ବେଶ ଉତ୍ସାହିତ ହୋଇ ପଡିଛନ୍ତି। ଏପରିକି ମୋଦୀଙ୍କ ବିରୋଧରେ ଏଭଳି ମନ୍ତବ୍ୟକୁ ବିଜେପି ମଧ୍ୟପ୍ରଦେଶରେ ଏକ ରାଜନୈତିକ ପ୍ରସଙ୍ଗ କରୁଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.