Latest Odisha News

BREAKING NEWS

୨୨ରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ, ଲୋକାର୍ପଣ କରିବେ ବିଭିନ୍ନ ପ୍ରକଳ୍ପ

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ମୋଦି ଝାରସୁଗୁଡା ବିମାନବନ୍ଦରକୁ ଉଦଘାଟନ କରିବା ସହିତ ଏହି ବିମାନ ବନ୍ଦରରୁ ଉଡାଣ ର ଶୁଭାରମ୍ଭ କରିବେ । ମୋଦି ଏହି ଦିନିକିଆ ଗସ୍ତରେ ଓଡିଶାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିବେ ।

ଏହାଛଡା ମୋଦି ସେହି ଦିନ ଗର୍ଜନବାହାଲ ଖୋଲାମୁହଁ ଖଣି ପ୍ରକଳ୍ପ ଏବଂ ସୁନ୍ଦରଗଡ଼ରେ ଏମ୍ସିଏଲ ଝାରସୁଗୁଡ଼ା-ସର୍ଡେଗା ରେଳ ଲାଇନ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ, ସୁନ୍ଦରଗଡ଼ରେ ଏନ୍ଟିପିସିର ଦୁଲଗାଁ କୋଇଲା ଖଣିରୁ କୋଇଲା ଉତ୍ପାଦନ ତଥା ପରିବହନ କାର୍ଯ୍ୟର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ପ୍ରଧାନମନ୍ତ୍ରୀ  ମୋଦି ବନ୍ଦ ହୋଇଥିବା କାରଖାନାକୁ ପୁନଃ ଚାଲୁ କରାଇ ଦେଶକୁ ସାର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଥମ କରି ପେଟ୍ କୋକ୍ ବ୍ଲେଣ୍ଡିଂ ସହ କୋଲ୍ ଗ୍ୟାସିଫିକେସନ୍ ଆଧାରିତ ସାର କାରଖାନା ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକର୍ପଣ କରିବାକୁ ଥିବା ପ୍ରକଳ୍ପ ଗୁଡିକ ହେଉଛି –

ଝାରସୁଗୁଡ଼ା ବିମାନବନ୍ଦର ଏବଂ ଏହି ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ:–

ଓଡ଼ିଶାର ଶକ୍ତିକେନ୍ଦ୍ର ଭାବେ ଜଣାଶୁଣା ଝାରସୁଗୁଡ଼ା ଜିଲାରେ ଏକ ନୂତନ ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ଉଦ୍ଘାଟନ କରିବେ । ଓଡ଼ିଶା ସରକାରଙ୍କ ସହଯୋଗରେ ଝାରସୁଗୁଡ଼ା ବିମାନବନ୍ଦର ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ୨୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି, ଏଥିପାଇଁ ଓଡ଼ିଶା ସରକାରଙ୍କର ୭୫ କୋଟି ଟଙ୍କାର ଯୋଗଦାନ ରହିଛି । ୧୦୨୭.୫ ଏକର ପରିମିତ ଜମିରେ ନିର୍ମିତ ଏହି ବିମାନବନ୍ଦରର ଟର୍ମିନାଲ୍ ବିଲ୍ଡିଂ ୪୦୦୦ ବର୍ଗ କିଲୋମିଟର । ସବୁ ପାଗରେ କାର୍ଯ୍ୟକ୍ଷମ ହେବା ଉପଯୋଗୀ ବିକଶିତ ଏହି ବିମାନବନ୍ଦରରେ ଏ-୩୨୦ ଟାଇପ୍ ବିମାନ ରାତିରେ ଅବତରଣ ଓ ଉଡ଼ାଣ କରିପାରିବ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯାତ୍ରୀ ସୁବିଧା ବ୍ୟବସ୍ଥା ସହ ଟର୍ମିନାଲ୍ ବିଲ୍ଡିଂ ଏବଂ ଆର୍ସିସି ସଂରଚନା ଏଠାରେ ରହିଛି । ଏହି ବିଲ୍ଡିଂର ଆଭ୍ୟନ୍ତରରେ ସ୍ଥାନୀୟ ହସ୍ତକଳା, କଳାକୃତି ଏବଂ ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ପ୍ରଦର୍ଶିତ ହେବା ସହ ଏହି ଅଞ୍ଚଳର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ସୂଚିତ କରାଯାଇଛି । ଯାତ୍ରୀଙ୍କୁ ପ୍ରକୃତି ସହିତ ଯୋଡ଼ିବାର ପ୍ରୟାସ କରାଯାଇଛି ଏଠାରେ ।

୨୩୯୦ ମିଟର ଦୈର୍ଘ୍ୟ ବିଶିଷ୍ଟ ରନ୍ୱେ ଥିବା ଏହି ବିମାନବନ୍ଦରରେ ଏବି-୩୨୦ ଟାଇପ୍ ବିମାନ ଅବତରଣ କରିପାରିବ । ଟର୍ମିନାଲ୍ ବିଲ୍ଡିଂରେ ୫ଟି ଚେକ୍-ଆଉଟ୍ କାଉଂଟର ଏବଂ ଏକ ଆରାଇଭାଲ୍ କାରାଉଜେଲ୍ ଥିବାବେଳେ ୩୦୦ ଯାତ୍ରୀଙ୍କୁ ଆୟତ କରିବାର ଦକ୍ଷତା ରହିଛି । ବିମାନବନ୍ଦରରେ ବିକଶିତ ଅନ୍ୟାନ୍ୟ ଭିତିଭୂମି ମଧ୍ୟରେ ନୂତନ ଟର୍ମିନାଲ୍ ବିଲ୍ଡିଂ ସହିତ ଆଇସୋଲେସନ ବେ’, ନୂତନ ଟେକ୍ନିକାଲ୍ ବ୍ଲକ ତଥା ସେଂଟ୍ରାଲ୍ ଟାୱାର୍, ଫାୟାର ଷ୍ଟସନ ବର୍ଗ-୭, ଏମ୍ଟି ୱାର୍କସପ୍, ଆବଶ୍ୟକ ନାଭିଗେସନ ତଥା ଭିଜୁଆଲ ଏଡ୍ ରହିଛି ।

ଏମ୍ସିଏଲ ଗର୍ଜନବାହାଲ ଖୋଲାମୁହଁ ଖଣି ପ୍ରକଳ୍ପ ଏବଂ ଝାରସୁଗୁଡ଼ା-ସର୍ଡେଗା ରେଳ ଲାଇନର ଲୋକାର୍ପଣ-

ସୁନ୍ଦରଗଡ଼ ଜିଲାରେ ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର ଗର୍ଜନବାହାଲ ଖୋଲାମୁହଁ ଖଣି ପ୍ରକଳ୍ପରେ ୨୩୦ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି ଯେଉଁଥିରେ ବାର୍ଷିକ ୧୩ ନିୟୁତ ଟନ୍ ଉତ୍ପାଦନ କ୍ଷମତା ରହିଛି- ଏହା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହା ୮୯୪ ଆଶାୟୀଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ୫୦୦୦ ବେରୋଜଗାରଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏମ୍ସିଏଲ୍ ଦ୍ୱାରା ୧,୧୨୪ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୫୩.୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଝାରସୁଗୁଡ଼ା-ସର୍ଡେଗା ରେଳଲାଇନ୍ର ଉଦ୍ଘାଟନ କରିବେ । ଏହି ରେଳଲାଇନ୍ କାର୍ଯ୍ୟକ୍ଷମ ହେଲେ ଏହା ପେଲ୍ମା (ଅନୁପୁର ରେଳ ଷ୍ଟେସନ ନିକଟ)କୁ ସଂଯୋଗ କରିବାରେ ଖୁବ୍ ସହଜ ହେବ । ଏହି ରେଳ ଲାଇନ୍ ମଧ୍ୟ ଭାରତୀୟ ରେଳବାଇ ଦ୍ୱାରା ଯାତ୍ରୀମାନଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇପାରିବ ।

ଏନ୍ଟିପିସିର ଦୁଲଙ୍ଗା କୋଇଲା ଖଣିରୁ କୋଇଲା ଉତ୍ପାଦନ ଏବଂ ପରିବହନର ଶୁଭାରମ୍ଭ –

ଏନ୍ଟିପିସିର ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ଓଡ଼ିଶାର ସୁନ୍ଦରଗଡ଼ ଜିଲା ଅନ୍ତର୍ଗତ ହେମଗିର ତହସିଲରେ ରହିଛି । କୋଇଲା ଉତ୍ପାଦନ ଆରମ୍ଭ ହେଲେ ଏଠାରୁ ବର୍ଷକୁ ୭ ନିୟୁତ ଟନ୍ ଉତ୍ପାଦନ ହୋଇପାରିବ ଏବଂ ଏହା ୨୪ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନକ୍ଷମ ରହିବ । ଏହା ଏନ୍ଟିପିସି ଦ୍ୱାରା କାର୍ଯ୍ୟକ୍ଷମ ହେବାକୁ ଥିବା ଦ୍ୱିତୀୟ ଖଣି ଏବଂ ରାଜ୍ୟରେ କମ୍ପାନୀର ପ୍ରଥମ ଖଣି । ଏଥିରୁ ଉତ୍ପାଦିତ କୋଇଲା ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ ନିର୍ମାଣାଧୀନ ଉଚ୍ଚ କ୍ଷମତାସମ୍ପନ୍ନ ୧୬୦୦ ମେଗାୱାଟ୍ ଦର୍ଲିପାଲି ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ବ୍ୟବହୃତ ହେବ ।

 

ତାଳଚେର ଫର୍ଟିଲାଇଜର୍ ଲିମିଟେଡ୍ (ଗେଲ୍, ସିଆଇଏଲ୍, ଆର୍ସିଏଫ୍ ଏବଂ ଏଫ୍ସିଆଇଏଲ୍ର ସଂଯୁକ୍ତ ଉଦ୍ୟୋଗ) ପାଇଁ ଶୁଭ କାର୍ଯ୍ୟାରମ୍ଭ –

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବନ୍ଦ ହୋଇଥିବା କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଇ ଦେଶକୁ ସାର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଥମ କରି ପେଟ୍ କୋକ୍ ବ୍ଲେଣ୍ଡିଂ ସହ କୋଲ୍ ଗ୍ୟାସିଫିକେସନ୍ ଆଧାରିତ ସାର କାରଖାନାର ଶୁଭ କାର୍ଯ୍ୟାରମ୍ଭ କରିବେ ।

ଗେଲ୍ ଇଣ୍ଡିଆ ଲିମିଟେଡ୍ (ଗେଲ୍), କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍), ରାଷ୍ଟ୍ରୀୟ କେମିକାଲ୍ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ୍(ଆର୍ସିଏଫ୍ଏଲ୍) ଏବଂ ଫର୍ଟିଲାଇଜର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏଫ୍ସିଆଇଏଲ୍)ର ମିଳିତ ଉଦ୍ୟୋଗ ତାଳଚେର୍ ଫର୍ଟିଲାଇଜର୍ ଲିମିଟେଟ୍ ଦ୍ୱାରା ଏହି ପ୍ଲାଂଟ ୧୩,୦୦୦ କୋଟି ଟଙ୍କା ବିନିଯୋଗରେ ବିକଶିତ ହେବାକୁ ଯାଉଛି ।

 

ଏହି ଅବସରରେ ଭୁବନେଶ୍ୱରରେ ଆଜି ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍), ଏନ୍ଟିପିସି ଲିମିଟେଡ୍, ତାଳଚେର ଫର୍ଟିଲାଇଜର୍ସ୍ ଲିମିଟେଡ୍ ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ଅନୁଗୁଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲାରେ ଏହିସବୁ ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଶୁଭାରମ୍ଭ ସମ୍ପର୍କରେ ସୂଚନା ଦିଆଯାଇଛି ।

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ନିର୍ଦ୍ଦେଶକ ଅପରେସନ୍ (ବୈଷୟିକ) ଶ୍ରୀ ଜେ.ପି. ସିଂହ, ନିର୍ଦ୍ଦେଶକ (ବିତ) ଶ୍ରୀ କେ.ଆର. ବାସୁଦେବନ୍, ଏନ୍ଟିପିସିର ଆଂଚଳିକ ନିର୍ବାହୀ ନିର୍ଦେଶକ (ପୂର୍ବାଂଚଳ କ୍ଷେତ୍ର-୨), ଶ୍ରୀ ୟୁ.ଭି. ଧତରକ୍, ତାଳଚେର ଫର୍ଟିଲାଇଜର୍ ଲିମିଟେଡ୍ ଏବଂ ରାଷ୍ଟ୍ରୀୟ କେମିକାଲ୍ ଆଣ୍ଡ ଫର୍ଟିଲାଇଜର୍ ଲିମିଟେଡ୍ର ଅଧ୍ୟକ୍ଷ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଭାରତୀୟ ବିମାନବନ୍ଦର ପ୍ରାଧିକରଣର ସଦସ୍ୟ (ଯୋଜନା) ଶ୍ରୀ ଏ.କେ. ପାଠକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଏହିସବୁ ପ୍ରକଳ୍ପ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.